)
Puri News: ଆଜି ପବିତ୍ର ମାର୍ଗଶିର ପ୍ରଥମାଷ୍ଟମୀ। ଏହାକୁ ପଢୁଆଁ ଅଷ୍ଟମୀ ଭାବେ ପାଳନ କରାଯାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ନିକଟରେ ନୂଆଲୁଗା ଲାଗି ହେବ। ପାଟବସ୍ତ୍ରରେ ଚତୁର୍ଦ୍ଧାମୂର୍ତ୍ତି ପଢ଼ୁଆଁ ହେବେ। ମହାପ୍ରଭୁଙ୍କ ମାମୁଁ ଘର ମାଧବ ପୀଠରୁ ଆସିଛି ପଢ଼ୁଆଁ ଭାର। ଆଜି ପଢ଼ୁଆଁ ହେବେ ଶ୍ରୀବିଗ୍ରହ। ନୂଆବସ୍ତ୍ର ପିନ୍ଧି ଦର୍ଶନ ଦେବେ ବଡ଼ଠାକୁର ।
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଆଳି ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠ ମଉଳା କ୍ଷେତ୍ରରୁ ଆସିଛି ପଢୁଆଁ ଭାରା। ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀ ଓ ପତିତପାବନଙ୍କ ପାଇଁ ପାଟବସ୍ତ୍ର ଶ୍ରୀମନ୍ଦିର ଜରିଆରେ ପ୍ରଦାନ କରାଯାଇଛି। ପଢୁଆଁ ଭାରରେ ଆସିଛି ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଛ, ଲବଙ୍ଗ ସମେତ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ ଓ ପଦ୍ମ ଫୁଲ । ଏସବୁକୁ ଶ୍ରୀମନ୍ଦିର ଗାରଦରେ ଦିଆଯାଇଛି।
ବେଶ ଆଡ଼ମ୍ବରରେ ଶ୍ରୀମାଧବ ଜିଉଙ୍କ ପୀଠରୁ ପଢୁଆଁ ଯାତ୍ରା ଆରମ୍ଭ ହୋଇଥିଲା । ମଙ୍ଗଳବାର ସକାଳୁ ଶୋଭାଯାତ୍ରା ସହ ଭାର ବାହାରିଥିଲା। ଭୋଇ ସେବକମାନେ ପତାକା ଧରି ଆଗେଆଗେ ଚାଲିଥିଲେ। ଗଡ଼ୁଆ ସେବକଙ୍କ ଦ୍ବାରା ପାଇକ ଆଖଡ଼ା ସାଙ୍ଗକୁ ରାମତାଳି ଓ ଲଉଡ଼ି ପ୍ରଦର୍ଶନ ହେଉଥିଲା। ବହୁ ସଂକୀର୍ତନ ଦଳ ଶୋଭାଯାତ୍ରାରେ ସାମିଲ୍ ହୋଇ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ଢୋଲିଆ ଓ ମହୁରିଆଙ୍କ ମଙ୍ଗଳବାଦ୍ୟରେ ନିନାଦିତ ହେଉଥିଲା ଏହି ଦିବ୍ୟ ଯାତ୍ରା।
୨୦ ଜଣ ବେହେରା ଉପବାସ ବ୍ରତ ପାଳନ ସହ ୧୦ଟି ଭାର ନେଇ ଶ୍ରୀକ୍ଷେତ୍ର ଆସିଥିଲେ। ଛତିଶା ନିଯୋଗ ସେବକ, ଭକ୍ତ ଓ ଶ୍ରୀଜଗନ୍ନାଥ ପ୍ରେମୀ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ । ଶ୍ରୀଶ୍ରୀ ମାଧବାନନ୍ଦ ଜିଉ ବିକାଶ ପରିଷଦ ପକ୍ଷରୁ ଶ୍ରୀମନ୍ଦିର ଗାରଦରେ ସମସ୍ତ ଭାର ପ୍ରଦାନ କରାଯାଇଥିଲା ।
ଏହା ବହୁ ପ୍ରାଚୀନ କାଳରୁ ଚାଲି ଆସୁଥିଲେ ବି କାଳକ୍ରମେ କୌଣସି କାରଣରୁ ବନ୍ଦ ହୋଇଯାଇଥିଲା । ମାତ୍ର ଗତ କିଛି ବର୍ଷ ହେଲା ପୁନର୍ବାର ଏହି ପରମ୍ପରାକୁ ଉଜ୍ଜୀବୀତ ରଖିବାକୁ ପ୍ରଚେଷ୍ଟା କରାଯାଇଛି। ପ୍ରଥମ ବର୍ଷ ସହସ୍ରାଧିକ ଭକ୍ତଙ୍କ ମେଳରେ ଏହା ଆୟୋଜିତ ହୋଇଥିଲା। ଆଜି ବଡ଼ଦାଣ୍ଡରେ ଆରିସା ପିଠା ବଣ୍ଟନ କରାଯିବ।