Srimandira: ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ। ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ଯ ଉପରେ ସତ୍ଯର ବିଜୟ କରିଥିଲେ। ଏଣୁ ଏହି ସ୍ମୃତିରେ ଆଜି ଶ୍ରୀମନ୍ଦିରରେ ସୁବର୍ଣ୍ଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଶ୍ରୀଭୁଜ, ଶ୍ରୀପୟର, କିରିଟି, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଛନ୍ତି ଜଗତ ଠାକୁର। ସକାଳ ଧୂପ ପରେ ଆୟୁଧ ମାନଙ୍କର ମାର୍ଜନା ପୁଜା ସରିବା ପରେ ମହାପ୍ରଭୁ ଆୟୁଧ ଧାରଣ କରିଛନ୍ତି। ମହାପ୍ରଭୁଙ୍କର ଏହି ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ଯ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଦଶହରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଉଛନ୍ତି ଭକ୍ତ।
ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟା ଦଶମୀ।ଅସତ୍ୟ ଉପରେ ସତ୍ୟର ଜୟ। ଶ୍ରୀମନ୍ଦିରରେ ଅବକାଶ ନିତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି। ନୂଆଲୁଗା ଓ ଜାମା ଲାଗି ପରେ କିରିଟି,ଚୂଳ,ଚନ୍ଦ୍ରିକା,ଆଡକାନି,ଚନ୍ଦ୍ରସୂର୍ଯ୍ୟ,ହରିଡା ମାଳ, ତବିଜ ମାଳ ଆଦି ସ୍ଵର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ବିଭୂଷିତ କରାଯାଇଛି। ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ହେଲେ ମହାପ୍ରଭୁ ଆୟୁଧ ହସ୍ତରେ ଧରି ନଥିଲେ। ସକାଳ ଧୂପ ନୀତି ଶେଷ ହେବାପରେ ଚକ୍ର ମାଜଣା ହେବା ସହ ଆୟୁଧ ପୂଜା ହୋଇଥାଏ। ତାପରେ ଭିତର ବେଢ଼ା ପରିକ୍ରମା ପରେ ମହାପ୍ରଭୁ ଆୟୁଧ ହସ୍ତରେ ଧାରଣ କରିଥାନ୍ତି। ଆଉ ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ସୂନାବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି।
ସେପଟେ ଶ୍ରୀଜୀୟୁ ଆୟୁଧ ଧାରଣ କରିବା ପରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ଠାରୁ ଦୁର୍ଗାମାଧବ, ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ଆଜ୍ଞାମାଳ ପାଇ ବିମାନ ଓ ପାଲିଙ୍କିରେ ବିଜେ କରି ଜଗନ୍ନାଥବଲ୍ଲଭ ଦଶହରା ପଦାକୁ ବିଜେକରିଥାନ୍ତି। ସେଠାରେ ବନ୍ଦାପନା,ପ୍ରସାଦଲାଗି ଓ ରାଜନିତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁ ମତ୍ସ୍ୟ ଶିକାର କରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
ଦଶହରା ଦିନ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ସୁବର୍ଣ୍ଣ ବେଶକୁ ଭକ୍ତ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେପଟେ ମହାପ୍ରଭୁଙ୍କର ଆଜି ଅନେକ ନିତି କାନ୍ତି ଥିବାରୁ ଦ୍ୱାରଫିଟା ନିତି ବିଳମ୍ବ ହୋଇଛି।