)
Odisha News: ଏକ ବଡଧରଣର ଅପହରଣ ଘଟଣାର ପର୍ଦ୍ଧାଫାଶ କରିଛ ପୁରୀ ପୁଲିସ। ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ କରାଯାଇଥିଲା। ୩୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଥିଲା। ପୋଲିସ ଏ-ହି ଘଟଣାରେ ଜଗତସିଂପୁରରୁ ଅପହୃତ ଯୁବକକୁ ଉଦ୍ଧାର କରିଥିବା ବେଳେ ୪ଜଣ ଅପରାଧୀଙ୍କୁ ଗିରଫ କରିଛି। ତେବେ ଗତ ୧୪ ତାରିଖରେ ଘଟିଥିଲା ଏହି ଘଟଣା।
ସନ୍ଧ୍ୟା ସମୟରେ କୋଣାର୍କ ଥାନା ବନଖଣ୍ଡ ପେଟ୍ରୋଲ ପମ୍ପ ନିକଟରୁ ବନ୍ଧୁକ ମୁନରେ ଯୁବକକୁ ଅପହରଣ କରିନେବା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଅପରାଧରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଜଗତସିଂହପୁରରୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ୍ ଓ ଡବ୍ଲ୍ୟୁବି-୩୨ ଏନ୍-୮୨୫୭ବିଶିଷ୍ଟ ଗୋଟିଏ କାର୍ ଜବତ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ତେବେ ଖୋର୍ଦ୍ଧା ଜିଲ୍ଲା ଖଣ୍ଡଗିରି ସରକନ୍ତରା ଗାଁର ଅଶୋକ କୁମାର ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ କୋଣାର୍କ ଥାନାରେ ୨୦୫/୨୫ ନମ୍ବରରେ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତରେ ଏହି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ତେବେ ଆସାମ ମେଟ୍ରୋ ଜିଲ୍ଲା ସୌଗନବାଡ଼ି ଥାନା ପଲାସୀ ରାମପଲ୍ଲୀର ଜୟ ଚକ୍ରବର୍ତ୍ତୀଙ୍କ ସହିତ ଭୁବନେଶ୍ଵରର ଅଶୋକଙ୍କ ସହିତ ବ୍ୟବସାୟିକ ସମ୍ପର୍କ ଥିଲା । ସେ ଅନ୍ଲାଇନ୍ ଗେମ୍ ଆପ୍ ଦ୍ବାରା ଟଙ୍କା ପଇସା କାରବାର କରୁଥିଲେ ।
ସେହିପରି ଅଭିଯୁକ୍ତ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଭଗବାନପୁରର କିସମତ ଶିବରାମ ନଗରର ଚଞ୍ଚଳ ଜେନା ନିର୍ମାଣ ବ୍ୟବସାୟକୁ ନେଇ ଭୁବନେଶ୍ଵର ଯାଆସ କରୁଥିବା ସମୟରେ ଅନ୍ଲାଇନ୍ ଗେମ୍କୁ ନେଇ ଜୟଙ୍କ ସହ ସମ୍ପର୍କ ହୋଇଥିଲା। ଟଙ୍କା ଦେଣନେଣକୁ କେନ୍ଦ୍ର କରି ଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଚଞ୍ଚଳ ନେଇଥିଲା । ଏହି ଅନ୍ଲାଇନ୍ ଗେମ୍ ଆପ୍ ମାଧ୍ୟମରେ ଯେଉଁ ଅର୍ଥ ଆସୁଥିଲା ଜୟଙ୍କ ଜାଣତରେ ଚଞ୍ଚଳ ଅନ୍ୟମାନଙ୍କ ଆକାଉଣ୍ଟକୁ ପଠାଉଥିଲା।ଜୟଙ୍କ ପରାମର୍ଶ କ୍ରମେ ତାଙ୍କ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କୁ ଚଞ୍ଚଳ ପ୍ରାୟ ୧୭ ଲକ୍ଷ ଟଙ୍କା ପଠାଇଥିବା ବେଳେ ସେ ଆଉ ଟଙ୍କା ଫେରିପାଇନଥିଲା।
ଏହି ଟଙ୍କାକୁ ସେ ଜୟଙ୍କ ଠାରୁ ଆଦାୟ କରିବାପାଇଁ ଯୋଜନା କରିଥିଲା। ଏହି ଯୋଜନାନୁସାରେ ଗତ ମାସରେ ଜୟ ପଶ୍ଚିମବଙ୍ଗ ଦୀଘା ଅଞ୍ଚଳକୁ ଯାଇଥିବା ବେଳେ ସେଠାରୁ ତାଙ୍କୁ ଚଞ୍ଚଳ ଓ ତା''ର ସହଯୋଗୀମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ଦିଘା ଥାନାରେ ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା। ଜୟ ଓ ତାଙ୍କ ସହଯୋଗୀମାନେ ଗତ ୭ ତାରିଖ ମଧ୍ୟରେ ଚଞ୍ଚଳକୁ ଟଙ୍କା ଫେରାଇବା ପାଇଁ ମଧ୍ୟ ଏକ ଲିଖିତ ଚୁକ୍ତିନାମା ହୋଇଥିଲା। ମାତ୍ର ଜୟ ଟଙ୍କା ଫେରାଇ ନପାରିବାରୁ ଚଞ୍ଚଳ ଭୁବନେଶ୍ଵରକୁ ଆସି ଏକ ହୋଟେଲରେ ରହି ଜୟଙ୍କ ଗତିବିଧିକୁ ନଜର ରଖିଥିଲା। ଗତ ୧୪ ତାରିଖ ସନ୍ଧ୍ୟା ସମୟରେ ଅଶୋକ ଓ ଜୟ ଦୁହେଁ ଏକ କାର୍ରେ କୋଣାର୍କ ଆଡ଼କୁ ଯାଇଥିବା ବେଳେ ଜୟଙ୍କୁ କେତେକ ଦୁର୍ବୃତ୍ତ ଏକ ଲାଲ ରଙ୍ଗର କାରରେ ଅପହରଣ କରିନେଇଥିବା ନେଇ ଅଶୋକ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କୋଣାର୍କ
ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ତିନିଟି ଟିମ୍ ଗଠନ କରାଯାଇଥିଲା। ପେଟ୍ରୋଲ ପମ୍ପ, ଲଜ୍ ଓ ହୋଟେଲ ଆଦିର ସିସିଟିଭି ଫୁଟେଜ୍କୁ ନେଇ ପୁଲିସ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତମାନେ ଜୟଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇ ୩୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିଲେ। ଅଭିଯୁକ୍ତମାନେ ଜୟଙ୍କୁ ଅପହରଣ କରିନେଇ ଜଗତସିଂହପୁର ଓ ପାରାଦୀପ ଆଡ଼କୁ ଚାଲିଯାଇଥିଲେ। ସେଠାରେ ଅଭିଯୁକ୍ତମାନଙ୍କୁ ଜଗତସିଂହପୁରର ନିର୍ଭୟ ମହାର୍ଥା ମଧ୍ୟ ସହାୟତା କରିଥିଲା।
ସେମାନେ ଜୟଙ୍କୁ ବୋଟ୍ରେ ଗଭୀର ସମୁଦ୍ରକୁ ନେଇ ସେଠାରେ ବୁଡ଼ାଇ ମାରିଦେବାର ଯୋଜନା କରିଥିଲେ। ମାତ୍ର ପୁଲିସ କୌଶଳକ୍ରମେ ନିର୍ଭୟର ଘର ଠାବ କରି ସେଠାରେ ପହଞ୍ଚି ଜୟଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ପୁଲିସ ଚଞ୍ଚଳ ଓ ନିର୍ଭୟ ସମେତ ମହିସାଦଲ କସାବପୁର ଅଞ୍ଚଳର ସେକ୍ ବାକି ବୁଲ୍ଲା ଓ ପଶ୍ଚିମ ମେଦିନିପୁର ହଳଦିଆ ଚିରଞ୍ଜିବିପୁରର ସୁଲତାନ ଅହମ୍ମଦ ଖାନକୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୪ଟି ମୋବାଇଲ ଫୋନ୍ ଓ ଏକ କାର ଜବତ କରିଛି। ତେବେ ଏହି ମାମଲାରେ ସମ୍ପୃକ୍ତ ଆଉ ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି ତାକୁ ପୁଲିସ ଗିରଫ କରିବ ବୋଲି ଏସ୍ପି କହିଛନ୍ତି।