Srimandira: ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିଶାଖୋରଙ୍କ ଉତ୍ପାତ। ଖୁଲମଖୁଲା ନିଶା ସେବନ କରି ଯାତ୍ରୀଙ୍କୁ କରୁଛନ୍ତି ଦୁର୍ବ୍ୟବହାର। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। କିଭଳି ଜଣେ ଅଣ ସେବାୟତ ନିଶା ସେବନ କରି ଟଳମଳ ଅବସ୍ଥାରେ ଅଛନ୍ତି। ଏପରିକି ନିଜର ଭାରସାମ୍ୟ ରଖି ନପାରି ତଳେ ମଧ୍ୟ ପଡ଼ି ଯାଉଛନ୍ତି। ମହାପ୍ରଭୁଙ୍କର ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରୁଛନ୍ତି। ଯାହାକୁ ନେଇ ଶ୍ରଦ୍ଧାଳୁ ମାନେ ଭୟଭୀତ ହୋଇ ପଡିଛନ୍ତି। ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଏହି ଘଟଣା ଦେଖିବାକୁ ମିଳିଥିବା ବେଳେ ଉପସ୍ଥିତ ପୋଲିସ କର୍ମଚାରୀମାନେ ଏନେଇ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି।
ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିଶାଖୋରଙ୍କ ଉତ୍ପାତ #puri pic.twitter.com/HxF5N0hH7o
— ZEE Odisha News (@ZeeOdisha) October 10, 2025
ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏକ ଆଧ୍ୟାତ୍ମିକ ବାତାବରଣ ରଖିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ଏଭଳି କିଛି ନିଶାଖୋର ବ୍ୟକ୍ତି ନିଶା ସେବନ କରି ଅନେକ ସମୟରେ ଉତ୍ପାତ କରୁଛନ୍ତି। ଫଳରେ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶକୁ ଏଭଳି ବ୍ୟକ୍ତି ବିଶେଷ ମାନେ ନଷ୍ଟ କରୁଛନ୍ତି। ଏଣୁ ତୁରନ୍ତ ପୋଲିସ ପ୍ରଶାସନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଏଭଳି ନିଶାଖୋର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏଭଳି ଅଭାବନୀୟ ଦୃଶ୍ୟକୁ ନେଇ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ମଧ୍ୟ ଏକ ଖରାପ ଅନୁଭୂତି ନେଇ ଫେରୁଛନ୍ତି।