)
ଭୁବନେଶ୍ୱର: ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ରେଳବାଇ ପୋଲିସକୁ ବଡ ସଫଳତା ମିଳିଛି । ଚଳିତ ବର୍ଷ ୩୩୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି ରେଳବାଇ ପୋଲିସ । ଏନଡିପିଏସ ମାମଲା ନିୟମ ଅନୁଯାୟୀ ଅଦ୍ୟାବଧି ମୋଟ ୨୦୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ରେଳବାଇ ପୋଲିସ ନିଶାଦ୍ରବ୍ୟ ଜବତ କରିଛି । କଟକରେ ୮୭ ଟି ମାମଲା ରୁଜୁ କରିଥିବା ସମୟରେ ୧୪୮୯ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ୧୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ରାଉରକେଲାରେ ୧୧୩ଟି ମାମଲା ରୁଜୁ କରାଯାଇଥିବାବେଳେ ୧୮୬୩ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଏହା ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୧୮୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରେଳବାଇ ପୋଲିସ। ଏଥିସହ ୨.୬୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ରେଳବାଇ ପୋଲିସ ।
ସୂଚନାଯୋଗ୍ୟ ଯେ, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତମାନେ ଅଧିକାଂଶ ବାହାର ରାଜ୍ୟର ବୋଲି ସୂଚନା ରହିଛି । ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର ଏବଂ ଗୁଜୁରାଟ ରାଜ୍ୟର ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ସମସ୍ତ ମାମଲାଗୁଡିକର ତଦନ୍ତ ଜାରି ରହିଛି । ଏହାର ପଛରେ ଥିବା ଚୋରାଚାଲାଣ ନେଟୱର୍କକୁ ଭାଙ୍ଗିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।
ରେଳପଥକୁ ମାଦକ ଚୋରାଚାଲାଣରୁ ମୁକ୍ତ ରଖିବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ଓ ସରକାରୀ ରେଳବାଇ ପୋଲିସ (GRP) ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖାଯାଇ କଠୋର ଯାଞ୍ଚ ଓ ନିରୀକ୍ଷଣ କରାଯାଉଛି । ରାଜ୍ୟର ବହୁ ଗୁରୁତ୍ଵପୂର୍ଣ୍ଣ ରେଳ ଷ୍ଟେସନ ଯଥା ଭୁବନେଶ୍ଵର, କଟକ, ସମ୍ବଲପୁର, ପୁରୀ, ରାଉରକେଲା ଆଦି ଷ୍ଟେସନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଭିଯାନ କରାଯାଉଛି । ଟ୍ରେନରେ ସନ୍ଦେହଜନକ ଅନୁଭବ ହେଉଥିବା ବ୍ୟାଗ ତଥା ପାର୍ସଲ୍ ଗୁଡିକୁ ତନ୍ନ ତନ୍ନ ଭାବେ ଯାଞ୍ଚ କରୁଛନ୍ତୁ ସୁରକ୍ଷାକର୍ମୀ । ଏଥିସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସହ ବିଭିନ୍ନ ସମୟରେ ସନ୍ଧାନୀ କୁକୁର ଦ୍ବାରା ଷ୍ଟେସନ୍ ଓ ଟ୍ରେନ ବଗି ମଧ୍ୟରେ ଯାଞ୍ଚ କରାଯାଉଛି । ସାଧାରଣ ଲୋକମାନଙ୍କୁ ମାଦକ ବିରୋଧୀ ଅଭିଯାନରେ ସହଯୋଗ କରିବା ଓ ସନ୍ଦେହଜନକ ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି।
ରେଳପଥକୁ ମାଦକ ଦ୍ରବ୍ୟ ଚୋରାଚାଲାଣରୁ ମୁକ୍ତ ରଖିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି । GRP ଓ RPF ମଧ୍ୟରେ ସମନ୍ୱୟ ରଖାଯାଇ କଠୋର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ନିଶା ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ଗ୍ରହଣ କରାଯାଉଛି ଏବଂ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି