Trending Photos
)
Ramakanta Ratha: ଭୁବନେଶ୍ୱର: ଶ୍ରୀରାଧାର ରଚୟିତା କବି ତଥା ପୂର୍ବତନ ପ୍ରଶାସକ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ବିଦେଶରେ ରହୁଥିବା ତାଙ୍କର ପୁଅ ଘରକୁ ଫେରିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି। ସେପଟେ କବି ଶ୍ରୀ ରଥଙ୍କ ଶେଷ ଦର୍ଶନ ପାଇଁ ତାଙ୍କର ଖାରବେଳ ନଗର ସ୍ଥିତ ବାସଭବନରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଭିଡ ଲାଗି ରହିଛି। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।
ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ , ସଚିତ୍ର ଅନ୍ଧାର ଏବଂ ଶ୍ରୀରାଧାର ରଚୟିତା ତଥା ବିଶିଷ୍ଟ କବି ପଦ୍ମଭୁଷଣ ରମାକାନ୍ତ ରଥଙ୍କର ରବିବାର ସକାଳୁ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରସ୍ଥିତ ଖାରବେଳନଗର ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ ସେ କଟକରେ ଜନ୍ମଗ୍ରହଣ କରିଥିଲେ। ଏହା ସହିତ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।
ଏଠାରେ କହି ରଖୁ କି ଶ୍ରୀରାଧା, ସନ୍ଦିଗ୍ଧ ମୃଗୟା, ସଚିତ୍ର ଅନ୍ଧାର ଓ ସପ୍ତମ ଋତୁ ପାଇଁ ଶ୍ରୀ ରଥ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ। ‘ସପ୍ତମ ଋତୁ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ପୁରସ୍କାର ମିଳିଥିବା ବେଳେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୧୯୮୪ରେ କବିତା ସଂକଳନ ଶ୍ରୀରାଧାକୁ ରଚନା କରିଥିଲେ ରମାକାନ୍ତ ରଥ। କବି ରମାକାନ୍ତ ରଥଙ୍କୁ ଏଥି ପାଇଁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭରତବର୍ଷର କାବ୍ୟ ସାହିତ୍ୟରେ 'ଶ୍ରୀରାଧା' ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି। ଏହା ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଇଂରାଜୀ ଭାଷାକୁ ଅନୁବାଦ ନିଜେ ଲେଖକ ରମାକାନ୍ତ ରଥ କରିଛନ୍ତି । ଶ୍ରୀରାଧାରେ, ରାଧାଙ୍କୁ କବି କେବଳ କୃଷ୍ଣଙ୍କ ପ୍ରେମିକା ଭିନ୍ନ ଏକ ସ୍ୱତନ୍ତ୍ର ନାରୀର ପରିଚୟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି ।