Rathyatra 2025: ବିଶ୍ବପ୍ରସିଦ୍ଧ ରଥଯାତ୍ରା ଓ ଶ୍ରୀଜଗନ୍ନାଥ ଧାମକୁ ନେଇ ସ୍ଵତନ୍ତ୍ର ଆପ୍ ସହ ୱେବ୍ ସାଇଟ୍ ହେବ। ରଥଯାତ୍ରା ସମୟରେ ୩୬୫ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସିସିଟିଭି,ଅତ୍ୟାଧୁନିକ ଡ୍ରନ କ୍ୟାମେରା,AI କ୍ୟାମେରା ନଜରରେ ରହିବ ପୁରୀ। ରଥଯାତ୍ରା ସମୟରେ ପୁରୀ ପୌରାଞ୍ଚଳରେ ସମସ୍ତ ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା କରାଯିବ ବୋଲି ଆଜି ଅନୁଷ୍ଠିତ ପ୍ରଥମ ସମନ୍ଵୟ ବୈଠକରେ ନିଷ୍ପତ୍ତି ନିଆଯାଉଛି।
Trending Photos
Rathyatra 2025: କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି . ପରମେଶ୍ୱରମ୍ ଙ୍କ ଅଧ୍ୟକ୍ଷତାରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି ।ପୁରୀ ଟାଉନ ହଲ ରେ ବୈଠକ। ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ,ଆଇଜି,ରେଳବାଇ ଆରକ୍ଷୀ ଅଧିକ୍ଷକ, ଏସପି ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ କରି ରଥ କାଠ ଯୋଗାଣ ,ରଥ ନିର୍ମାଣ ,ନୀତି ସଂପାଦନ ,ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ ,ବିଦ୍ୟୁତ୍ ଯୋଗାଣ ଆଦି ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
ପୁରୀ ପୌରାଞ୍ଚଳରେ ଚନ୍ଦନ ଯାତ୍ରାରେ ୧୦ ଜଣଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା କରାଯାଇଛି। ରଥଯାତ୍ରା ସମୟରେ ଲୋକଙ୍କ ପାଇଁ ୫ ଲକ୍ଷର ବୀମା ହେବ।ରଥଯାତ୍ରା ପାଇଁ ୭୨ ଫାଶୀ କାଠ ଆବଶ୍ୟକତା ଥିବା ବେଳେ୭୬ ଫାଶୀ କାଠର ପହଞ୍ଚି ସାରିଛି। ୨୬ ଦଉଡ଼ି ,ଅଣସର ପାଇଁ ୧୬୮ କେ.ଜି ଝୁଣା ,୩୦୦ କେ.ଜି ଚନ୍ଦନ କାଠ ମହଜୁଦ ଅଛି। ରଥଯାତ୍ରା ପାଇଁ। ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ବିଗତ ବର୍ଷର ୫୧ ଖଣ୍ଡ ବଳକା ରହିଛି। ଏହାମଧ୍ୟରୁ ଖପୁରିଆ କରତ କଳକୁ ଆବଶ୍ୟକ ୪୧୮ ଖଣ୍ଡ କାଠ ମଧ୍ୟରୁ ୧୫୭ ଖଣ୍ଡ ଏବଂ ରଥଖଳା ପାଇଁ ଆବଶ୍ୟକ ୩୯୬ ଖଣ୍ଡ କାଠ ମଧ୍ୟରୁ ୧୬୯ ଖଣ୍ଡ କାଠ ପହଞ୍ଚି ସାରିଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଥିଲେ।ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲେ।ରଥଯାତ୍ରା ସମୟରେ ୧୪୦ଟି ଅଧିକ ଶଯ୍ୟା,୩୩ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୫ ଜଣ ଫୁଡ୍ ଇନ୍ସପେକ୍ଟର ଆସିବେ।
ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ସ୍ଵାସ୍ଥ୍ୟ ଓ ବିଦ୍ୟୁତ୍ ଯୋଗାଣ ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ୩୬୫ ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ।ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ବଡଦାଣ୍ଡର ୫ ରୁ ୭ ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ପାଇଁ ଡାଟା ବେସ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ଆରଡିସି।ବଡ଼ଦାଣ୍ଡର ଉଭୟ ପାର୍ଶ୍ଵର ନାଳ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ରେଡ଼କ୍ରସ ରୋଡ ସମେତ କ୍ରସ ଡ୍ରେନ୍ ଓ ବଡ଼ଦାଣ୍ଡର ସଫେଇ କାର୍ଯ୍ୟ ମେ ୧୫ ସୁଦ୍ଧା ଶେଷ ହେବ।
ବଡ଼ଦାଣ୍ଡକୁ ୧୫ଟି ଜୋନରେ ବିଭକ୍ତ କରାଯାଇଛି। ୧୪ଟି ଜଳମଗ୍ନ ଅଞ୍ଚଳ ଚିହ୍ନଟ କରାଯାଇଛି। ଜୁନ୍ ସୁଦ୍ଧା ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହି, ଗଳିକନ୍ଦି ନାଳ ସଫେଇ ଶେଷ କରାଯିବ। ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି। ବଡ଼ଦାଣ୍ଡର ଉଭୟ ପାର୍ଶ୍ବ ଓ ଜନଗହଳିପୂର୍ଣ୍ଣ ସ୍ଥାନ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ବିଦ୍ୟୁତ ସମସ୍ୟା ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା। ସହରକୁ ତିନୋଟି ଗ୍ରୀଡ୍ ଓ ସାତୋଟି ସବଗ୍ରୀଡ ମାଧ୍ୟମରେ ବିଦ୍ୟୁତ ଯୋଗାଣ ହେଉଛି। ବିଦ୍ୟୁତ ସମସ୍ୟା ସମାଧାନ ନେଇ ଟାଟା ପାୱାର ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦିଆଯାଇଛି।
ରଥଯାତ୍ରା ସମୟରେ ସ୍ବତନ୍ତ୍ର ବସ୍ ଚଳାଚଳ ନିର୍ଦ୍ଧାରିତ ରେଟ ଚାର୍ଟ, ଦୁର୍ଘଟଣା ରୋକିବା ପାଇଁ ଇଣ୍ଟରସେପ୍ଟର କ୍ରେନ୍ ନିୟୋଜିତ ହେବ। ଟ୍ରେନ୍ ସୂଚନା ପ୍ରଦାନ ପାଇଁ ଭିଡିଓ ୱଲ୍ ସହ ଟିକେଟ ବୁକିଙ୍ଗ କାଉଣ୍ଟର ,ଅଟୋମେଟିକ୍ ଟିକେଟ ଭେଣ୍ଡିଙ୍ଗ ମେସିନ୍ ଲଗାଯିବ। ଶାନ୍ତି ଶୃଙ୍ଖଳା ରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୋଲିସ ମୁତୟନ ହେବେ। ମାଳତୀପାଟପୁର ଓ ତାଳବଣିଆରେ ବସ ଗୁଡ଼ିକର ପାର୍କିଂ ବ୍ୟବସ୍ଥା ହେବ।୧୩୦ ନିୟମିତ ବସ ସହ ଅଧିକ ବସ ଚଳାଚଳ କରିବ। ଭୋଳାନାଥ ବିଦ୍ୟାପୀଠରୁ ଜାତୀୟ ପଲ୍ଲୀଶ୍ରୀ ମେଳା ସ୍ଥାନାନ୍ତରଣ ନ ହେବା ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରଥମ ସମନ୍ୱୟ ବୈଠକରେ ବିଭାଗ ଗୁଡିକ ଦେଇଥିବା ପ୍ରତିଶୃତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆରଡିସି ଓ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।