)
Konark Sun Temple: ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ୍ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍ କମିଟି ରବିବାର କୋଣାର୍କ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଏସ୍ଆଇ ପୁରୀ ସର୍କଲ ଅଧୀକ୍ଷକ ଡିବି ଗଡ଼ନାୟକଙ୍କ ସହିତ କମିଟି ସବିଶେଷ ଆଲୋଚନା କରି ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଟ୍ରେସ୍ ମ୍ୟାପ୍କୁ ଟିକିନିଖି ଦେଖିଥିଲେ। ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ନିରୀକ୍ଷଣ କରିଥିଲେ।
ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ଭ କରାଯାଇ ରୋବୋଟିକ୍ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଓ ପରିମାଣ ଆକଳନ କରାଯାଇଥିଲା। ଏବେ ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିର ପଶ୍ଚିମ ପାର୍ଶ୍ଵରେ ୮୦ ଫୁଟ ଉଚ୍ଚତାରେ ୧୬ ସେଣ୍ଟିମିଟରର ଏକ କ୍ଷୁଦ୍ର ଟନେଲ୍ ନିର୍ମାଣ ପାଇଁ ସର୍ବସମ୍ମତ ନିଷ୍ପତ୍ତ ନିଆଯାଇଛି। ଆଜି ଡ୍ରିଲିଂ ମେସିନ୍ରେ ମନ୍ଦିର କାନ୍ଥରେ ଟନେଲ୍ ଖୋଳା ଆରମ୍ଭ ହୋଇଛି। ଦୁଇଦିନ ମଧ୍ୟରେ ଟନେଲ୍ ଖୋଳା କାର୍ଯ୍ୟ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତି, ଭିତର ପଥରର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ ବାଲି କଢ଼ାଯିବ ଏଥିପାଇଁ ଏଏସ୍ଆଇ ପକ୍ଷରୁ ସମସ୍ତ ଯାନ୍ତ୍ରୀକ ଓ ବୈଷୟିକ ପ୍ଲାଟଫର୍ମ ପ୍ରସ୍ତୁତ ହୋଇରହିଛି ବୋଲି ଶ୍ରୀ ଗଡ଼ନାୟକ ପ୍ରକାଶ କରିଛନ୍ତି।
ଏଠାରେ କହି ରଖୁକି ଇଂରେଜମାନଙ୍କ ରାଜୁତି ସମୟରେ ସୂର୍ଯ୍ୟମନ୍ଦିରରୁ ଗୋଟିଏ ପରେ ଗୋଟିଏ ପଥର ଖସୁଥିଲା। ବିଶ୍ଵପ୍ରସିଦ୍ଧ ଏହି କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ସେମାନେ ୧୯୦୩ରୁ ୧୯୦୯ ମଧ୍ୟରେ ଜଗମୋହନ ଗର୍ଭଗୃହରେ ବାଲି ଭର୍ତ୍ତି କରି ଏହାର ସମସ୍ତ ପ୍ରବେଶପଥଗୁଡ଼ିକୁ ବନ୍ଦ କରିଦେଇଥିଲେ। ୨୦୦୩ ମସିହାରେ ଓଡ଼ିଶା ହାଇକୋର୍ଟରେ ସୂର୍ଯ୍ୟମନ୍ଦିର ପ୍ରବେଶ ପଥ ଖୋଲିବାକୁ ନେଇ ଏକ ଜନସ୍ବାର୍ଥ ମାମଲା ରୁଜୁ ହେବା ପରେ ଏଏସ୍ଆଇର କେନ୍ଦ୍ରୀୟ ପ୍ରତିନିଧି ଦଳ କୋଣାର୍କରେ ପହଞ୍ଚି ମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ। ଗର୍ଭଗୃହରେ ଭର୍ତ୍ତି ହୋଇଥିବା ବାଲି ଉତ୍ତର ଓ ପଶ୍ଚିମ ପାର୍ଶ୍ଵ ପଟକୁ ଦବି ରହିଥିବାରୁ ମନ୍ଦିର ପ୍ରତି ବିପଦ ଅଛି ବୋଲି ରିପୋର୍ଟ ଦେଇଥିଲେ।
ଏହାପରେ ୨୦୦୯, ୨୦୧୧ ଓ ୨୦୧୩ ମସିହାରେ ଗର୍ଭଗୃହରୁ ବାଲି କାଢ଼ିବା ନେଇ ତନାଘନା ହେବା ସହିତ ମନ୍ଦିରର ଲେଜର୍ ସ୍କାନିଂ କରାଯାଇଥିଲା। ଏଏଆଇଇର ଏଡିଜିଙ୍କ ସମେତ ଆଇଆଇଚି ଦିଲ୍ଲୀ, ଆଇଆଇଟି ଖଡଗପୁର, ଆଇଆଇଟି ଚେନ୍ନାଇ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍ ଟିକିନିଖି ତର୍ଜମା କରିଥିଲେ । ଦୀର୍ଘ ୧୨୦ ବର୍ଷ ପରେ ସୂର୍ଯ୍ୟମନ୍ଦିର ଗର୍ଭଗୃହ ପୁଣି ଖୋଲିବା ଲାଗି ଏଏସ୍ଆଇ ପକ୍ଷରୁ ନିଷ୍ପତ୍ତ ନିଆଯାଇଥିଲା। ୨୦୨୨ ସେପ୍ଟେମ୍ବରରେ ତତ୍କାଳୀନ ଭୁବନେଶ୍ଵର ସର୍କଲ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସୂର୍ଯ୍ୟମନ୍ଦିର ଉତ୍ତର ଦିଗ ପଟ ଗର୍ଭଗୃହ ଦ୍ବାର ନିକଟରେ ବାସ୍ତୁ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି କାର୍ଯ୍ୟ ଅନୁକୂଳ କରାଯାଇଥିଲା। ୨୦୨୩ ଜାନୁଆରି ୩ରୁ ବାଲିକଢ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାତ୍ର କୌଣସି କାରଣକୁ ନେଇ ବହୁଦିନ ବନ୍ଦ ରହିବା ପରେ ଏବେ ପୁଣି ପ୍ରକ୍ରିୟା ଆରମ୍ଭ ହୋଇଛି।