)
ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ବଳଙ୍ଗା ପୀଡ଼ିତାଙ୍କ ଘର ଆଗରେ ସୁରକ୍ଷା ବଢ଼ିଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ କ୍ବାର୍ଟର୍ସ ସାମ୍ନାରେ ମଧ୍ୟ ସୁରକ୍ଷା ବଢ଼ିଛି । ଭୁବନେଶ୍ୱର ଏଜି ଛକରୁ ଗଭର୍ଣ୍ଣର୍ ହାଉସ୍ ପର୍ଯ୍ୟନ୍ତ ସୁରକ୍ଷାକୁ ବଢ଼ାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।
ବଳଙ୍ଗା ପୀଡ଼ିତାଙ୍କ ବାପାଙ୍କ ବଡ଼ ବୟାନ ଦେଇ କହିଛନ୍ତି ଯେ, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି ମୋ ପାଖରେ ମୋ ଝିଅ ଆଜି ନାହିଁ । ମାନସିକ ଚିନ୍ତା ଯୋଗୁଁ ସେ ତାର ଜୀବନ ନେଇଛି । ଆପଣମାନେ ରାଜନୀତି ନ କରି ତା ତାର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ପୀଡିତାଙ୍କ ବାପା କହିଛନ୍ତି ।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ପ୍ରେସମିଟ୍ କରି କହିଛନ୍ତି ଯେ, ପୀଡ଼ିତା ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର, ପୀଡ଼ିତା ପରିବାରକୁ ସରକାର ୨ କୋଟି ଟଙ୍କାର କ୍ଷତିପୂରଣ ଦିଅନ୍ତୁ । ଯେଉଁମାନେ ସମ୍ପୃକ୍ତ ୭ ଦିନ ଭିତରେ ପୋଲିସ୍ ସେମାନଙ୍କୁ ଧରନ୍ତୁ । ଏଯାବତ ପୋଲିସ ହାତ ଖାଲି ରହିଛି ଏବଂ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ।
ଅନ୍ୟପଟେ, ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ରାଜ୍ୟପାଳ ଡକ୍ଟର କେ. ହରିବାବୁ କମ୍ଭମପାଟିଙ୍କ ଶୋକବ୍ୟକ୍ତ କରିଛନ୍ତି । 'ଆତ୍ମାର ସଦ୍ଗତି ସହ ପୀଡ଼ିତାଙ୍କ ପରିବାରକୁ ଈଶ୍ୱର ଅପାର ଶକ୍ତି ପ୍ରଦାନ କରନ୍ତୁ' ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ମସ୍ତ ଚେଷ୍ଟା ସତ୍ୱେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିଛନ୍ତି ।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।
ସୂଚନାଯୋଗ୍ୟ, ପ୍ରଥମେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଏୟାର୍ ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା । ପୁରୀ ବଳଙ୍ଗାରେ ଘଟଣାସ୍ଥଳକୁ ଯାଇ ପୋଲିସ୍ ଡିଜି ୱାଇ. ବି. ଖୁରାନିଆ ଏବଂ ପୁରୀ ଏସ୍ପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଥିଲେ । ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଥିଲେ ଯେ, ସର୍ବୋତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସୁବିଧା ନିଶ୍ଚିତ କରାଯିବ ।
ବଳଙ୍ଗା ପୀଡିତାଙ୍କ ମୃତ୍ୟୁରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦ୍ଗତି ସହ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସରକାରଙ୍କ ସମସ୍ତ ଚେଷ୍ଟା ସତ୍ତ୍ଵେ ଜୀବନ ବଞ୍ଚାଇ ପାରିନଥିବାରୁ ଦୁଃଖିତ ବୋଲି କହିଛନ୍ତି ।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ଭକ୍ତ କହିଛନ୍ତି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ପିସିସି ସଭାପତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୭ ଦିନ ଭିତରେ ଅଭିଯୁକ୍ତ ଧରା ନ ପଡ଼ିଲେ ଡିଜିପି ଅଫିସ୍ ଘେରିବୁ ।