)
Semicon India 2025: ଆଜି ଦିଲ୍ଲୀର ଯଶୋଭୂମିରେ ଓଡ଼ିଶା ଏହାର ଶୁପ୍ତ ପ୍ରତିଭାଙ୍କ ପ୍ରକାଶରେ ସମସ୍ତଙ୍କୁ ଚମକାଇଛି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ପ୍ରଥମ ଭାରତ ନିର୍ମିତ ମେଡ୍ ଇନ୍ ଇଣ୍ଡିଆ ଚିପ୍ ତାଲିକାରେ ଓଡ଼ିଶାର ନାଁ ସାମିଲ ରହିଛି। ଖାଲି ସେତିକି ନୁହେଁ ଏହି ୩୫ଟି ଚିପ୍ ରେ ଓଡ଼ିଶା ନିର୍ମିତ ୩ଟି ଚିପ୍ ସ୍ଥାନୀତ ହୋଇଛି। ପୁଣି ତିନୋଟି ଚିପ୍ ଭିନ୍ନ ଭିନ୍ନ କ୍ଷେତ୍ରରେ ଧ୍ରୁବତାରା ହେବ ବୋଲି ଆଶା କରାଯାଇଛି।
ପ୍ରାୟ ସାଢ଼େ ଚାରି ବର୍ଷ ପୂର୍ବେ ଭାରତରେ ସେମି କଣ୍ଡକ୍ଟର ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୨୧ରେ ଏଥିଲାଗି ଭାରତ ସରକାର ଏକ ମିଶନ ଆରମ୍ଭ କରିଥିଲେ ଯାହାର ନାଁ ଥିଲା ‘ଇଣ୍ଡିଆ ସେମି କଣ୍ଡକ୍ଟର ମିଶନ’ ବା ଆଇଏସ୍ଏମ୍। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଏହି ମିଶନ ପରିଚାଳନା କରାଯାଇଥିଲା, ଯେଉଁଥିରେ ୭୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ହାତ ଖୋଲି ଦେଇଥିଲେ। ଆଉ ୨୮୦ ଶିକ୍ଷାନୁଷ୍ଠାନ ଏବଂ ୭୨ଟି ଷ୍ଟାର୍ଟଅପ୍ ଏଥିରେ ସୁଯୋଗ ପାଇଥିଲେ। ସେଥିରେ ଓଡ଼ିଶାର ଅଂଶଗ୍ରହଣ କିଛି କମ୍ ନଥିଲା।
ଆଇଆଇଟି ଭୁବନେଶ୍ୱର, ଏନ୍ଆଇଟି ରାଉରକେଲା ସମେତ ରାଜ୍ୟର ୨୫ଟି ଶିକ୍ଷାନୁଷ୍ଠାନ ଏହି ଗବେଷଣା ଓ ଉତ୍ପାଦନ କାର୍ଯ୍ୟରେ ଲାଗିଥିଲେ। ଆଉ ଏମାନଙ୍କ ଭିତରୁ ଦୁଇଟି ଅନୁଷ୍ଠାନର ତିନୋଟି ଚିପ୍କୁ ଆଜି ପ୍ରଥମ ମେଡ୍ ଇନ ଇଣ୍ଡିଆ ଚିପ୍ ଭାବରେ ସ୍ଥାନୀତ କରାଯାଇଛି। ଖାଲି ସେତିକି ନୁହେଁ ଇଲେକତଟ୍ରୋନିକ୍ସ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପ୍ରଧାନମନ୍ତ୍ରୀଙ୍କୁ ଏହି ତିନୋଟି ଚିପ୍କୁ ଉପହାର ଦେଇଛନ୍ତି।
First ‘Made in Bharat’ Chips! pic.twitter.com/QYFGA4HFLG
— Ashwini Vaishnaw (@AshwiniVaishnaw) September 2, 2025
ସେମିକନ୍ ୨୦୨୫ ଉନ୍ମୋଚନ ଅବସରରେ ଏହା ଥିଲା ପ୍ରଥମ ଏବଂ ସର୍ବବୃହତ ଆକର୍ଷଣ। ଭାରତର ଉତ୍ପାଦିତ ୩୫ଟି ଚିପ୍ ଭିତରେ ରାଜ୍ୟର ଏହି ତିନୋଟି ଅତ୍ୟନ୍ତ ଗୌରବ ଆଣିଛି ରାଜ୍ୟ ପାଇଁ। ଏ ଭିତରେ ରହିଛି ଏନ୍ଆଇଟି ରାଉରକେଲା ନିର୍ମିତ ଦୁଇଟି ଚିପ୍- ସି ଟୁ ଏସ୍୦୦୦୧୮ ଯାହା ଆମ୍ପ୍ଲିଫାୟର ଏବଂ ସେନ୍ସର ସର୍କିଟ ଭାବେ ବିକଶିତ କରାଯାଇଛି ଏବଂ ସିଟୁ ଏସ୍ ୦୦୧୭, ଯାହାକୁ ଏକ ଏନ୍କ୍ରିପ୍ସନ୍ କୋର୍ ଭାବେ ବିକଶିତ କରିଛି ଏନ୍ଆଇଟି ରାଉରକେଲାର ଅଧ୍ୟାପକ ଓ ଛାତ୍ରଛାତ୍ରୀ।
ଆଉ ଏକ ଚିପ୍ ଯାହା ଏହି ତାଲିକାରେ ସାମିଲ ରହିଛି ତାହା ହେଲା ଏକ ହାଇ ପରଫର୍ମାନ୍ସ ମଲ୍ଟିପ୍ଲାୟର ଆଇସି । ଏହାର ନାଁ ସି ଟୁ ଏସ୍ ୦୦୬୧। ଏହାକୁ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବିକଶିତ କରିଛି। ବିଶେଷକରି ସିଗ୍ନାଲ ପ୍ରସେସିଂ, ଯୋଗାଯୋଗ, ଶକ୍ତି ପରିଚାଳନାରେ ଏହି ପ୍ରକାର ଚିପ୍ର ଆବଶ୍ୟକତା ଅଧିକ।
ଏହା କେବଳ କୌଣସି ପ୍ରତିଷ୍ଠାନ ବା ସରକାରୀ ଦୂରଦୃଷ୍ଟିର ପ୍ରତିବଦ୍ଧତାକୁ ଦର୍ଶାଉଛି ତାହା ନୁହେଁ, ବରଂ ଭାରତକୁ ସେମି କଣ୍ଡକ୍ଟର ଶିଳ୍ପରେ ଆର୍ମ ନିର୍ଭର କରିବା ଦିଗରେ ଏହା ଆଗକୁ ଅନେକ ଦିଗ ପ୍ରଦର୍ଶନ କରିବ। ଯୁଚବ ପିଢ଼ିଙ୍କ ପାଇଁ ନିଯୁକ୍ତର ମାର୍ଗ ଏବଂ ବ୍ୟବସାୟର ଭିତ୍ତିଭୂମି ପକାଇବ ଆଉ ଦେଶକୁ ଆତ୍ମ ନିର୍ଭର କରିବା ଦିଗରେ ସହାୟକ ହେବ। ଓଡ଼ିଶା ମଧ୍ୟ ଏହି ଗତିରେ ଦେଶର ଅନ୍ୟ ପ୍ରାନ୍ତ ସହ ଚାଲିବାକୁ ଚାହିଁଛି। ସେଥିଲାଗି ଓଡ଼ିଶାରେ ତିନୋଟି ସେମି କଣ୍ଡକ୍ଟର ଶିଳ୍ପ ସ୍ଥାପନ ଲାଗି ସରକାର ଅନୁମତି ଦେଇଛନ୍ତି। ଭୁବନେଶ୍ୱରରେ ଖୋଲିବାକୁ ଥିବା ଏହି ତିନୋଟି ଅନୁଷ୍ଠାନରୁ ଦୁଇଟିରେ ସିଲିକନ୍ କାର୍ବାଇଡ୍ ନିର୍ମାଣ ହେବ।
ଆଉ ଗୋଟିଏ ଥ୍ରୀଡି ଗ୍ଲାସ୍ ନିର୍ମାଣ କରିବ। ସରକାରୀ ପଦକ୍ଷେପରେ ଆମ ଅନୁଷ୍ଠାନ ଓ ଯୁବ ପିଢ଼ିମାନଙ୍କର ଏହି ପ୍ରତିବଦ୍ଧତା ନିଶ୍ଚିତ ଭାବେ ରାଜ୍ୟକୁ ୭୦ ଦଶକର ଇଲେକ୍ଟ୍ରନିକ ବଜାର ପରି ଭାରତରେ ପ୍ରତିଷ୍ଠିତ କରିବ, ଏହା ଆଶା କରାଯାଇପାରେ। କାରଣ ଏହି ସମୟରେ ଓଡ଼ିଶା ନିର୍ମିତ କୋଣାର୍କ ଟିଭି ସାରା ଭାରତରେ ଆମକୁ ପ୍ରଶଂସିତ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଲ୍ସିଡି ମନିଟରର ବିକାଶ ଏବଂ ସେମି କଣ୍ଡକ୍ଟର ନିର୍ମାଣରେ ଆମର ଅନାଗ୍ରହ ଏହି ଶିଳ୍ପକୁ ରୁଗ୍ଣ କରି ଦେଲା। ଆଜି କିନ୍ତୁ ସମୟ ବଦଳିଛି। ହୁଏତ ଏ ସେମିକନ୍ ୨୦୨୫ ଆଗକୁ କିଛି ନୂଆ ଉଦ୍ୟମ ଲାଗି ଓଡ଼ିଶାକୁ ବାଟ ଦେଖାଉଛି।