)
Pitabasa Panda: ଭୁବନେଶ୍ୱର: କଟକରେ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଅଶାନ୍ତ ହୋଇ ପଡ଼ିଛି ବ୍ରହ୍ମପୁର। ବ୍ରହ୍ମପୁର ସହର ମଝିରେ ବିଜେପି ନେତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ଗୁଳି ମାଡ଼ରେ ବିଜେପି ନେତା ତଥା ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି। ଘର ସମ୍ମୁଖରେ ହତ୍ୟା କରାଯାଇଛି ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ। ଗଜଲକ୍ଷ୍ମୀ ପୂଜା ପାଇଁ ସମଗ୍ର ସହର ଉତ୍ସବମୁଖର ଥିବାବେଳେ ଏଭଳି ଲୋମହର୍ଷଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଖବର ବ୍ୟାପିବା କ୍ଷଣି ସମଗ୍ର ସହର ଓ ଆଇନଜୀବୀ ସମାଜ ସ୍ତବ୍ଧ ହୋଇଯାଇଛନ୍ତି।
ବୈଦ୍ୟନାଥପୁର ଥାନା ନିକଟରେ ତାଙ୍କୁ ସୋମବାର ରାତିରେ ଗୁଳିମାଡ ହୋଇଥିଲା। ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ପୀତବାସଙ୍କର ଛାତିରେ ବାଜିଥିଲା। ଆହତ ଅବସ୍ଥାରେ ପୀତବାସ ନିଜ ବାସଭବନ ଆଡ଼କୁ ଦୌଡିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅଧିକ ବାଟ ଯାଇ ପାରିନଥିଲେ। ଫଳରେ କିଛି ବାଟ ଯାଇ ତଳେ ପଡ଼ିଯାଇଥିଲେ। ଏହାକୁ ଦେଖି ନିକଟରେ ଥିବା କିଛି ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ରାତି ସାଢେ ୧୦ଟାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୀତବାସ ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିଲେ। ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ସଂପର୍କରେ ସେ ଖୁଲାସା କରୁଥିଲେ । ପୂର୍ବରୁ ସେ କଂଗ୍ରେସର ପ୍ରବକ୍ତା ଭାବେ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।
ଆଜି ଦିନତମାମ ପୀତବାସ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୂର୍ବ ଶତ୍ରୁତା ନା ରାଜନୈତିକ କାରଣରୁ ଏହି ଗୁଳିକାଣ୍ଡ ହୋଇଛି ତାହା ଜଣାପଡ଼ିନାହିଁ । ଖବର ପାଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ ଅନୀଲ କୁମାରଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ମେଡିକାଲରେ ପହଞ୍ଚିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭକରିଛି। ସୂଚନାଯୋଗ୍ୟ ଯେ ଆଜି ବ୍ରହ୍ମପୁର ଏସ୍ପି ଡା. ଶ୍ରବଣା ବିବେକ ଏମ୍ ଓ ବୈଦ୍ୟନାଥପୁର ଥାନାଧିକାରୀ ସୁଚିତ୍ରା ପରିଡ଼ା ଉଭୟ ଛୁଟିରେ ଅଛନ୍ତି। ସ୍ବର୍ଗତ ପଣ୍ଡା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଥିଲେ।