)
Odisha News: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଆଜି ମାସିକ କାର୍ଯ୍ୟ ସମୀକ୍ଷା କରିବା ସହ ବିଧି ସବ୍ କମିଟି ଏବଂ ଅର୍ଥ ସବ୍ କମିଟି ବୈଠକ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଗତ ମାସରେ ଅଧିକାରୀ, କର୍ମଚାରୀ ମାନଙ୍କୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଦାୟିତ୍ବର ଅଗ୍ରଗତି ସମୀକ୍ଷା କରିବାସହ ଆଗାମୀ ଦିନପାଇଁ କାର୍ଯ୍ୟ ଖସଡ଼ା ସହ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ, ଦର୍ଶନ ବ୍ୟବସ୍ଥା, ବିଭିନ୍ନ କୋର୍ଟ ମାନଙ୍କରେ ବିଚାରଧୀନ ଥିବା ଶ୍ରୀମନ୍ଦିର ମାମଲା, ସେବା ସମର୍ପଣ ଦଲିଲ ସମ୍ପାଦନ ଓ ସାଧାରଣ ଦିନ ଗୁଡିକରେ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନୀ କୁ ଭକ୍ତ ମାନଙ୍କ ପ୍ରବେଶ ଉପରେ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିରସ୍ଥ ରୋହିଣୀ କୁଣ୍ଡ, ଦୀପ ଷ୍ଟାଣ୍ଡ, ଫୁଲ ଗୁନ୍ଥା ଘର ଓ କୋଇଲି ବୈକୁଣ୍ଠ ରେ ହୁଣ୍ଡି ଗଣତି ଘର କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଧାର୍ଯ୍ୟ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେବା ସହିତ ଶ୍ରୀଗୁଣ୍ଡିଚା ମନ୍ଦିରର ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିରର ଉତ୍ତର ପଟ ପାଚେରରୀରେ ନୂତନ ଦ୍ବାର ନିର୍ମାଣ ସହିତ ଖଣ୍ଡୋଲାଇଟ ପ୍ଲେଟ ବସାଇବାକୁ ମୁଖ୍ୟ ପ୍ରଶାସକ ସମ୍ପୃକ୍ତ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଲେ।
ତତ୍ ସହିତ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷା ମୂଳକ ଭାବେ ଶୀଘ୍ର ଆରମ୍ଭ କରିବାକୁ ଜିଲ୍ଲାପାଳ ଦାବିଦାର ନିଯୋଗଙ୍କ ସହିତ ଆଲୋଚନା ଶେଷ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ମାନ୍ୟବର କୋର୍ଟ ମାନଙ୍କରେ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତରେ ଫାଇସଲା ହୋଇନଥିବା ମାମଲା ଗୁଡ଼ିକ କମ୍ପ୍ୟୁଟରୀକରଣ କରାଯିବାସହ ଶ୍ରୀମନ୍ଦିର ପକ୍ଷରୁ କେଶ ଗୁଡ଼ିକ ଲଢ଼ିବା ପାଇଁ ଅଭିଜ୍ଞ ଆଡଦ୍ଭୋକେଟ୍ ମାନଙ୍କର ଏକ ଚିଠା ତାଲିକା ପ୍ରସ୍ତୁତ କରିବାକୁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ଏଥିସହ ଶ୍ରୀମନ୍ଦିରରେ ହେଉଥିବା ସେବା ସମର୍ପଣ ଦଲିଲ ଗୁଡ଼ିକ ରେଜିଷ୍ଟ୍ରେଶନ୍ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସକଙ୍କ ଅନୁମତି ସାପେକ୍ଷ। ଏହି ମର୍ମରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗକୁ ଏକ ପତ୍ର ଲେଖାଯିବାକୁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେବାସହିତ, ଏଥିସହ ଓ.ବି.ସି ସି ଦାୟିତ୍ୱ ହସ୍ତାନ୍ତର କଲାପରେ ଶ୍ରୀଜଗନ୍ନାଥ ବଲ୍ଲଭ ଗାଡ଼ି ରହଣି ସ୍ଥଳ (Parking ସ୍ଥଳ) ପାଇଁ ଶ୍ରୀମନ୍ଦିର ପକ୍ଷରୁ ଟେଣ୍ଡର ଆହ୍ବାନ କରାଯିବ ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରୀ ଛଡ଼ାଯିବା ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟକ୍ଷ ଭାବରେ ପରିଚାଳନା କରିବେ ବୋଲି ବୈଠକରେ ସ୍ଥିର ହୋଇଛି। ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଦେବୋତ୍ତର କମିଶନର, ଅତିରିକ୍ତ ସଚିବ ବିଧି ବିଭାଗ ଏବଂ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକ , ଶ୍ରୀମନ୍ଦିରର ସମସ୍ତ ଅଧିକାରୀ ଏବଂ ଶ୍ରୀମନ୍ଦିର କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ।