)
Shubhankar Mishra apology: ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ନିଜର ବିବାଦୀୟ ବୟାନ ପାଇଁ ୟୁଟୁବର ଶୁଭଙ୍କର ମିଶ୍ରା କ୍ଷମା ପ୍ରାର୍ଥନା କରିଛନ୍ତି। ମିଶ୍ରା ଏକ ଭିଡିଓ ପୋଷ୍ଟରେ ଦାବି କରିଥିଲେ ଯେ ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ ତେବେ ସେମାନଙ୍କ ପ୍ରେମ କେବେ ବି ସଫଳ ହେବନାହିଁ।
ଶୁଭଙ୍କର ଏହା ମଧ୍ୟ କହିଥିଲେ ଯେ ଦର୍ଶନ କଲେ ବିବାହ ବନ୍ଧନରେ ସେମାନେ କେବେ ବି ବାନ୍ଧି ହୋଇପାରିବେ ନାହିଁ। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ରହିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ।
ଏହି ବିବାଦୀୟ ବୟାନ ପରେ ସବୁଆଡୁ ତାଙ୍କର ସମାଲୋଚନା କରାଯାଇଥିଲା।ଭକ୍ତ, ମନ୍ଦିର ସେବୟାତ ଏବଂ ସାଧାରଣ ଜନତା ମିଶ୍ରାଙ୍କ ଏହି ବୟାନକୁ ସମାଲୋଚନା କରି ଏହାକୁ ଭିତ୍ତିହୀନ ଏବଂ ମନ୍ଦିରର ପରମ୍ପରା ପ୍ରତି ଅପମାନଜନକ ବୋଲି କହିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏହି ବୟାନକୁ ନିନ୍ଦା କରିଥିଲା ଏବଂ ମିଶ୍ରାଙ୍କ ବିରୁଦ୍ଧରେ ପୋଲିସ ପାଖରେ ଅଭିଯୋଗ ଦାୟର କରାଯାଇଥିଲା।
ଶୁଭଙ୍କର ମିଶ୍ରା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏକ କ୍ଷମା ପ୍ରାର୍ଥନାର ଭିଡିଓ ପୋଷ୍ଟ କରିଛନ୍ତି। ସେ ଏଥିରେ କହିଛନ୍ତି, "ମୋର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା। ଓଡ଼ିଆ ଭକ୍ତମାନେ ଆଘାତ ପାଇଛନ୍ତି, ଏବଂ ମୁଁ କ୍ଷମା ପ୍ରାର୍ଥନା କରୁଛି। ପ୍ରଭୁ ଜଗନ୍ନାଥ ମୋର ଭଗବାନ, ଏବଂ ମୁଁ ପୁରୀ ଧାମକୁ ମୋର ଘର ବୋଲି ମାନିଥାଏ। ମୁଁ ପୁରୁଣା ଭିଡିଓଟିକୁ ହଟାଇ ଦେଇଛି ଏବଂ ହୃଦୟର ଗଭୀରତାରୁ କ୍ଷମା ପ୍ରାର୍ଥନା କରୁଛି।"
ସେ କହିଛନ୍ତି, "ମୁଁ ଯାହା କହିଥିଲି ତାହା କାଳ୍ପନିକ କିମ୍ବା ମୋ ନିଜସ୍ୱ କଥାରୁ ନୁହେଁ। ବହୁ ପୂର୍ବରୁ ବିଭିନ୍ନ ୱେବସାଇଟରେ ମଧ୍ୟ ସମାନ କଥା ଉଲ୍ଲେଖ କରାଯାଇଥିଲା। ଅଭିଯୋଗ ପାଇବା ପରେ, ମୁଁ ମୋର ସୋସିଆଲ ମିଡିଆ ସାଇଟରୁ ଭିଡିଓଟିକୁ ହଟାଇ ଦେଇଥିଲି"।