)
SI Scam: ଭୁବନେଶ୍ୱର: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟିକୁ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ଶଙ୍କର ଗଣମାଧ୍ୟମ ଆଗରେ ବଡ଼ ବୟାନ ରଖିଛନ୍ତି। ଚାଞ୍ଚଲ୍ୟକର ବୟାନ ଦେଇ ଗଣମାଧ୍ୟମକୁ ଶଙ୍କର କହିଛନ୍ତି କି “ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି। ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ଫାଇଲ୍ କରିଥିଲି। ହାଇକୋର୍ଟଙ୍କୁ ଆଗୁଆ ଜାମିନ ମାଗିଥିଲି। ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍ ନାହିଁ।”
ସେ ଆହୁରି ମଧ୍ୟ କହିଛନ୍ତି କି ପରୀକ୍ଷା ବାତିଲ୍ କରିବାକୁ ହଜାରେ କୋଟିର ଡିଲ୍ ହୋଇଥିଲା। ଷଡ଼ଯନ୍ତ୍ରକାରୀଙ୍କ ସବୁ ଗୁମର ଖୋଲିଦେବି। ମୋ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା। ମୁଁ କେଉଁଠି ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି। ଆଗକୁ ଦରକାର ପଡିଲେ ସୁପ୍ରିମ୍କୋର୍ଟକୁ ଯିବି ବୋଲି ସେ କହିଛନ୍ତି।
ରବିବାର କୋର୍ଟ ଚାଲାଣ କରାଯିବ । ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି।
ଏଠାରେ କହି ରଖୁ କି କ୍ରାଇମବ୍ରାଞ୍ଚ ଭାରତ-ନେପାଳ ସୀମାନ୍ତରେ ଥିବା ଉତ୍ତରାଖଣ୍ଡରୁ SI ନିଯୁକ୍ତି ଦୁର୍ନୀତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଦ୍ୱାରା ୱାଣ୍ଟେଡ୍ ପୃଷ୍ଟି ଏହି ଦୁର୍ନୀତିର ପର୍ଦ୍ଦାଫାସ ହେବା ପରଠାରୁ ଫେରାର୍ ଥିଲା ଏବଂ ନେପାଳ ସୀମାରେ ଲୁଚି ରହିଥିଲା।
ପୃଷ୍ଟିଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚର ତିନୋଟି ଦଳ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା। ଏହି ନୂତନ ଗିରଫଦାରୀ ସହିତ ଏହି ରାକେଟରେ ଗିରଫ ହୋଇଥିବା ବ୍ରୋକରଙ୍କ ସଂଖ୍ୟା ୧୦ ରେ ପହଞ୍ଚିଛି। ଶଙ୍କର ପୃଷ୍ଟିଙ୍କ ଗିରଫଦାରୀ ପରେ ତାଙ୍କୁ ଅଧିକ ତଦନ୍ତ ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଫେରାଇ ଅଣାଯାଇଛି। ପୂର୍ବରୁ, କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିଙ୍କ ଦୁଇ ପ୍ରମୁଖ ସହଯୋଗୀ, ମୁନା ମହାନ୍ତି ଓ ରିଙ୍କୁ ମହାରଣାଙ୍କୁ ଗିରଫ କରିଥିଲା।