)
Accident News: ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ବ୍ରହ୍ମପୁର ଏବଂ ଯାଜପୁରରେ ସଡକ ଦୁର୍ଘଟଣା ଘଟିଛି ।
ବ୍ରହ୍ମପୁର ହଳଦିଆପଦର ଓଭର ବ୍ରିଜ୍ ନିକଟରେ ବାଇକ୍ ଉପରେ ଟ୍ରକ ମାଡ଼ିଯିବା କାରଣରୁ ୫ ଜଣଙ୍କର ଜୀବନ ଯାଇଛି । ବିପରୀତ ଦିଗରୁ ଟ୍ରକଟି ଆସି ଲଗାତାର ୩ଟି ବାଇକ୍କୁ ଧକ୍କା ଦେଇଥିବା କାରଣରୁ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ରାସ୍ତାରେ ମୃତଦେହ ଗୁଡିକ ଏଣେତେଣେ ଛିଟିକି ପଡ଼ିଥିଲା । ଦୀର୍ଘ ସମୟ ଧରି ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କାନ୍ଦ ବୋବାଳିରେ ଫାଟି ପଡୁଛି ଦୁର୍ଘଟଣାସ୍ଥଳ ଏବଂ ହସ୍ପିଟାଲ । ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । CMRFରୁ ଅନୁକମ୍ପାମୂଳକ ସହାୟତା ଘୋଷଣା ହୋଇଛି । ଗଭୀର ଶୋକ ପ୍ରକାଶ ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଯାଜପୁର ଧର୍ମଶାଳା ଥାନା ୫୩ ଏନ୍ଏଚ୍ ଆରୁହା ଛକ ନିକଟରେ ଦୁର୍ଘଟଣା କାରଣରୁ ଜଣଙ୍କ ପ୍ରାଣହାନୀ ଘଟିଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର୍ ହୋଇଯାଇଛି । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ।
ରାଜଧାନୀ ଭୁବନେଶ୍ୱରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କଳା ରଙ୍ଗର ଏକ ସ୍କୋଡା କାର ଦୁର୍ଘଟଣା ଘଟାଇଛି। ଆଚାର୍ଯ୍ୟ ବିହାର ଛକରେ ଅନ୍ ଡ୍ୟୁଟି ପୋଲିସ ପେଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଇଛି ସ୍କୋଡା କାର୍ । ଦୁର୍ଘଟଣାରେ ଉଭୟ ସ୍କୋଡା କାର୍ ଏବଂ ପୋଲିସ ପେଟ୍ରୋଲିଂ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।