Srimandira: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ଠିପିଖୋଲା ମଦ ଦୋକାନ।ସରକାରୀ କିମ୍ବା ମହାପ୍ରଭୁଙ୍କ ଜମିରେ ମଦଦୋକାନ ହେବା ନିୟମ ନଥିଲେ ମଧ୍ୟ ଏଠାରେ ସ୍ଵୀକୃତି ମିଳିଛି। ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ଜମି ମହାପ୍ରଭୁଙ୍କର ବୋଲି ରିପୋର୍ଟ ଦେଇଥିଲେ ମଧ୍ୟ ଏହାକୁ କେହି ଖାତିର କରିନାହାନ୍ତି। ମୋଟାଅଙ୍କର ହାତଗୁଞ୍ଜା ନେଇ ଏଭଳି ଏକ ବେଆଇନ କାରବାର କରାଯାଇଥିବା ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିବା ସହ ଏହି ଠିପି ଖୋଲା ମଦଦୋକାନର ସ୍ଵୀକୃତି ବାତିଲ
କରିବାକୁ ଦାବି କରିଛନ୍ତି। ନଚେତ ମାମଲା କୋର୍ଟକୁ ଯିବ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏହା ପଛରେ ମାଫିଆ ମାନଙ୍କ ହାତ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ଏସ୍ପିଙ୍କୁ ସୁରକ୍ଷା ଲୋଡ଼ିଛନ୍ତି। ମୋଟାଅଙ୍କର ହାତଗୁଞ୍ଜା ନେଇ ଅଧିକାରୀମାନେ ସରକାରୀ ନିୟମ କାନୁନକୁ ଦଳି ମକଚି ଦେଇଛନ୍ତି। ସ୍ବର୍ଗଦ୍ଵାରଠାରୁ ମାତ୍ର କିଛି ଦୂରରେ ‘ଦ ଫିସର୍ମ୍ୟାନ୍ସ୍ କିଚେନ୍'' ନାମକ ଏକ ଠିପି ଖୋଲା ମଦ ଦୋକାନ ମହାପ୍ରଭୁଙ୍କ ଜମିରେ ହୋଇଛି। ଏଠାରେ ଥିବା ରେସ୍ତୋରାଁରେ ବାର୍ ଖୋଲିବା ପାଇଁ ଏହାର ପ୍ରୋପାଇଟର୍ ନାନ୍ସି ପ୍ରିୟା ଆବେଦନ କରିଥିଲେ। ତାଙ୍କ ଆବେଦନ ଆଧାରରେ ପୁରୀ ଅବକାରୀ ଅଧୀକ୍ଷକ ତହସିଲଦାରଙ୍କୁ ଜମି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ସହ ଶ୍ରୀମନ୍ଦିର ଠାରୁ କେତେ ଦୂରରେ ଅଛି ବୋଲି ଜାଣିବାକୁ ଚାହିଥିଲେ।
ତହସିଲଦାର ବାଲିସାହି ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ରିପୋର୍ଟ ପ୍ରସ୍ତୁତ କରିଥିଲେ। ବାଲିସାହି ରାଜସ୍ବ ନିରୀକ୍ଷକ ଦେଇଥିବା ରିପୋର୍ଟ ଅନୁଯାୟୀ ଏହି ବାର୍ କୁ କେମିତି ସ୍ବୀକୃତି ମିଳିଲା ବୋଲି ପ୍ରଶ୍ନ ଉଠିଛି। ଠିପି ଖୋଲା ମଦଦୋକାନ ଦୁଇଟି ଖାତାର ଦୁଇଟି ପ୍ଲଟ୍ରେ ରହିଥିଲା ଗୋଟିଏ ଖାତା ସଂଖ୍ୟା ୧୪୫୨/୧୯୨୩ର ପ୍ଲଟ୍ ସଂଖ୍ୟା ୭୫୩/୧୬୦ ଓ ଅନ୍ୟଟି ଖାତା ସଂଖ୍ୟା ୧୪୫୨/୧୯୨୪ର ପ୍ଲଟ୍ ସଂଖ୍ୟା ୭୫୩/୧୬୧୮ ଉଭୟ ପ୍ଲଟ୍ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ମାର୍ପତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ନାମରେ ରହିଛି।
ତା'' ସହିତ ଏହି ପ୍ଲଟ୍ ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୧.୨ କିମି ଦୂରରେ ରହିଛି। କେଉଁ ପରିସ୍ଥିତିରେ ମହାପ୍ରଭୁଙ୍କ ଜମି ଉପରେ ମଦ ବେପାର ଲାଇସେନ୍ସ ମିଳିଛି? ତା'' ସହିତ ଫୁଡ୍ ଲାଇସେନ୍ସ ମଧ୍ୟ କେମିତି ମିଳିଛି? ଶ୍ରୀମନ୍ଦିର ପ୍ରଶାସନ ଏ ଯାଏ ଉଚ୍ଛେଦ କାହିଁକି କରିନି ? ବିଭିନ୍ନ ବିଭାଗର ଅଧିକାରୀମାନେ ମିଳିମିଶି ଅନୁମତି ଦେବାରେ କି ସ୍ୱାର୍ଥ ରହିଛି ବୋଲି ଅଭିଯୋଗ କରିଛନ୍ତି ଆମ୍ ଆଦମୀ ପାର୍ଟିର ସଭାପତି।