)
ଭୁବନେଶ୍ୱର: କିସ୍ ଛାତ୍ର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା କରିଛନ୍ତି NCST କମିଶନ । ଏଥିସହ ଗଣଶିକ୍ଷା ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍ପିଙ୍କୁ ଜବାବ ତଲବ ମଗାଯାଇଛି । ଘଟଣାର ୩ ଦିନ ଭିତରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମଧ୍ୟ କିସ୍ରେ ଛାତ୍ରମୃତ୍ୟୁ ଘଟଣା ଘଟିଛି । କମିଶନ ସଦସ୍ୟ ଭୁବନେଶ୍ବର ଆସି ତଦନ୍ତ କରିବେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ, କିସ୍ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ନିଜ ମନ୍ତବ୍ୟରେ ସନ୍ତୋଷ କହିଛନ୍ତି ଯେ, ଆଗରୁ ଏପରି ଘଟଣା ହେଉଥିଲା କିନ୍ତୁ ତାହାକୁ ଚାପି ଦିଆଯାଉଥିଲା । ଯେତେ ଶିକ୍ଷାନୁଷ୍ଠାନ ରହିଛି ସେମାନେ ଗୋଟିଏ ଲେଖାଏଁ ସାମ୍ରାଜ୍ୟ କରିଛନ୍ତି । କିଟ୍ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ୍ କରି ସନ୍ତୋଷ କହିଛନ୍ତି ଯେ, ତାଙ୍କ ମୁଖିଆ ପୂର୍ବ ସରକାରରେ ସାଂସଦ ଥିଲେ ତେଣୁ ତାଙ୍କ ଦଳ ତାଙ୍କୁ ସୁରକ୍ଷା ଦେଉଥିଲା । କିନ୍ତୁ ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଥିବାରୁ ସବୁ ଘଟଣା ପଦାକୁ ଆସୁଛି । ପୂର୍ବରୁ କିଟ୍ ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫଦାରି ହୋଇଥିଲା ତେଣୁ ଏହି ଘଟଣାରେ ମଧ୍ୟ କେହି ବର୍ତ୍ତିବେନି ବୋଲି ସନ୍ତୋଷ କହିଛନ୍ତି ।
କେନ୍ଦୁଝର ସାଂସଦ ମଧ୍ୟ କିସ୍ ଘଟଣାରେ ପ୍ରତିକ୍ରିୟା ରଖି ତୁରନ୍ତ ଆକ୍ସନ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯଦି କିସ୍ର କର୍ମଚାରୀ ଦାୟୀ, ତାହେଲେ ନିଯୁକ୍ତି ଦାତା ମଧ୍ୟ ସମାନ ପରିମାଣରେ ଦାୟୀ । ଘଟଣାରେ ଆକ୍ସନ ନିଆଗଲେ ହିଁ ଆଉ କେହି ଏପରି କରିବାକୁ ସାହସ କରିବେନି । ST କମିଶନ, ମୁଖ୍ୟମନ୍ତ୍ରୀ, ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଦୃଷ୍ଟିକୁ ନେବି ବୋଲି ସାଂସଦ କହିଛନ୍ତି । ଉଭୟ ଆଦିବାସୀ ବିଭାଗ ଏବଂ କେନ୍ଦ୍ର ସରକାର ମଧ୍ୟ ଟଙ୍କା ଦେଉଛନ୍ତି ଆଗରୁ ଏମିତି ଘଟୁଥିଲା ଏବେ ବି ଘଟୁଛି ତେଣୁ ତୁରନ୍ତ ଆକ୍ସନ ଦରକାର ବୋଲି ସାଂସଦ ପ୍ରତିକ୍ରିୟା ଦେଇଛନ୍ତି ।
କିସ୍ ଛାତ୍ର ହତ୍ୟା ଘଟଣାରେ OSCPCR ଅଧ୍ୟକ୍ଷା ବବିତା ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେଉଁ ଡାକ୍ତର ଭୁଲ ରିପୋର୍ଟ ଦେଇଥିଲେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛୁ ।
ଘଟଣା ବାବଦରେ ସ୍ଥାନୀୟ ପୋଲିସକୁ କାହିଁକି ଜଣାଇଲେ ନାହିଁ ବୋଲି ବବିତା ପ୍ରଶ୍ନ କରିଛନ୍ତି । ବିନା ପୋଷ୍ଟମର୍ଟମରେ କିପରି ମୃତଦେହ ହସ୍ତାନ୍ତର କଲେ ଏବଂ ଇନ୍ଫୋସିଟି ଥାନା ପୋଲିସ କେମିତି ଜାଣି ପାରିଲା ନାହିଁ ବୋଲି ସେ କହିଛନ୍ତି ।
କିସ୍ ଛାତ୍ର ହତ୍ୟା ଘଟଣାରେ କର୍ତ୍ତୃପକ୍ଷଙ୍କୁ ଦାୟୀ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବେକ ଚିପି ହତ୍ୟା ଘଟଣାକୁ ହାର୍ଟ ଆଟାକ ରୂପ ଦିଆଗଲା କିପରି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଏହା ବଡ଼ ଅପରାଧ, ଯେଉଁମାନେ ଦାୟୀ ସେମାନଙ୍କ ବିରୋଧଝରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଭକ୍ତ କହିଛନ୍ତି । ଯେଉଁ ଡାକ୍ତର ହାର୍ଟ ଆଟାକ ରୂପ ଦେଲେ ତାଙ୍କୁ କାହିଁକି ଗିରଫ କରାଯାଉନି ? ହଷ୍ଟେଲ କର୍ତ୍ତୃପକ୍ଷ କରୁଥିଲେ କଣ, କାହିଁକି ଦାୟୀ ରହିବେ ନାହିଁ ? ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ।
କିସ୍ ଛାତ୍ର ଘଟଣାରେ ବିଚାରପତିଙ୍କ ଆଗରେ BNSS 183 ଅନୁସାରେ ପ୍ରତ୍ୟକ୍ଷଦର୍ଶୀ ଛାତ୍ରଙ୍କ ବୟାନ ରେକର୍ଡ କରାଯିବ । ଏହି ଘଟଣାରେ ସହକାରୀ CEOଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି । ଛାତ୍ରଙ୍କ ପରିବାର ପକ୍ଷରୁ ଘଟଣାରେ ନ୍ୟାୟ ଦାବି କରାଯାଇଛି । ନାବାଳକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକ ।