Trending Photos
Lord Jagannath: ଆଜି ହେଉଛି ପବିତ୍ର ଦୋଳ ଯାତ୍ରା ଅର୍ଥାତ ଦୋଳପୁର୍ଣ୍ଣିମା। ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଦୋଳଯାତ୍ରା ଅନ୍ଯତମ ଯାତ୍ରା। ଆଉ ଆଜିର ବିଶେଷତ୍ୱ ହେଉଛି ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳନ୍ତି। ଆଜି ଠିକ୍ ଏହିଭଳି ମନୋରମ ଦୃଶ୍ଯ ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ। ତେବେ ବିଡମ୍ବନାର ବିଷୟ ଚନ୍ଦ୍ର ଗ୍ରହଣ ନିତି ଯୋଗୁଁ ସୂଚନା ବେଶ ଦର୍ଶନ ସକାଳ ପରିବର୍ତ୍ତେ ରାତିରେ ହେବା ପାଇଁ ନିତି ନିର୍ଘଣ୍ଟ ହୋଇଛି। ସେପଟେ ସକାଳ ଧୁପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଛନ୍ତି।
ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଛି ସମଗ୍ର ପରିବେଶ। ସେପଟେ ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିଛନ୍ତି। କେବଳ ଆଜିର ପବିତ୍ର ଦିନରେ ଯେମିତି ଲାଗୁଥାଏ ଭକ୍ତ ଆଉ ଭଗବାନ ଏକାକାର ହୋଇଯାଇଛନ୍ତି। ଏହା କେବଳ ଯେ ଫଗୁ ବା ଅବିରର ଖେଳ ନୁହେଁ ଏହା ହେଉଛି ଏକତାର ପ୍ରତୀକ ବୋଲି ଅବତାରଣା କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶାରଦ। ସେପଟେ ଦର୍ଶନ ବ୍ୟବସ୍ଥାରେ ଟିକେ ବିଶୃଙ୍ଖଳା ଦେଖାଦେଇଥିବା ବେଳେ ଏସପି ପ୍ରତୀକ ସିଂଙ୍କ ହସ୍ତକ୍ଷେପ ଫଳରେ ମୁଁ ନିୟନ୍ତ୍ରିତ କରାଯାଇଛି।
ଆଜି ଗ୍ରହଣ ନିତି ଯୋଗୁଁ ସକାଳେ ନୁହେଁ ରାତିରେ ହେବ ମହାପ୍ରଭୁଙ୍କ ସୁନାବେଶ ଅର୍ଥାତ ବଡ଼ତଢାଉ ବେଶ। ହେଲେ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ଫଗୁ ଖେଳ। ଆଉ ଏହି ଫଗୁ ଅବିରରେ ଭକ୍ତ ଆଉ ଭଗବାନ ଏକାକାର ହୋଇଯାଇଛନ୍ତି। ମହାପ୍ରଭୁଙ୍କ ସହ ଫଗୁ ଓ ଅବିର ଖେଳୁଛନ୍ତି ଭକ୍ତ। ଉଭୟ ଭକ୍ତ ଆଉ ଭଗବାନ ଫଗୁର ରଙ୍ଗରେ ଏକାକାର ଦିଶୁଛନ୍ତି। ପ୍ରଭୁଙ୍କ ଉପରକୁ ଭକ୍ତ ଛାଟୁଛି ଭକ୍ତି ଆଉ ପ୍ରେମର ରଙ୍ଗ। ଆଉ ମହାପ୍ରଭୁ ମଧ୍ୟ ଭକ୍ତଙ୍କ ସହ ଫଗୁ ଖେଳରେ ମାତିଛନ୍ତି। ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୁଦେବୀ ଭୋଗ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ଯକୁ ବେଶ୍ ଉପଭୋଗ କରିଥିଲେ ଭକ୍ତ। ମହାପ୍ରଭୁଙ୍କ ଶ୍ରୀମୁଖ ଭକ୍ତଙ୍କ ଅବିରରେ ଭଲ ସେ ଦେଖା ଯାଉନଥାଏ। ତଥାପି ପାଲିଙ୍କିରେ ଝୁଲିଝୁଲି ୨୧ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥିଲେ ମହାପ୍ରଭୁ ଦୋଳଗୋବିନ୍ଦ। ଭକ୍ତ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ୍ କୃତାର୍ଥ ହୋଇଯାଇଥିଲେ।
ସନ୍ଧ୍ୟା ୬ଟା ୪୭ରେ ଗ୍ରହଣ ସର୍ବମୋକ୍ଷ ପରେ ଅନ୍ୟ ନୀତି ହୋଇ ସନ୍ଧ୍ୟା ୮ଟାରୁ ରାତି ସାଢ଼େ ୯ଟା ମଧ୍ୟରେ ରାଜାଧିରାଜ ବା ସୁନାବେଶ କରାଯିବ। ଅପରାହ୍ଣ ୪ଟାରେ ଉତ୍ତରୀ ମଇଲମ କରାଯାଇ ସାଢ଼େ ୪ଟାରେ ଗ୍ରହଣ ମହାସ୍ନାନ କରାଯିବ। ସନ୍ଧ୍ୟା ସାଢ଼େ ୬ରେ ଗ୍ରହଣ ଭୋଗ ହେବ ସନ୍ଧ୍ୟା ୭ଟାରେ ହେବା ପରେ ସନ୍ଧ୍ୟା ୮ଟାରୁ ରାଜାଧିରାଜ ବେଶ କରାଯିବ।ତେବେ ଆଜିର ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଅର୍ଥାତ ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି।