Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1870491

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକିରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

1. Low Pressure Rain in odisha: ସାରା ରାତି ବର୍ଷା, ଆଉ ଦୁଇଦିନ: 
ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ସାରା ରାତି ବର୍ଷା ଲାଗି ରହିଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ଆକାଶ ମେଘାଚ୍ଛନ୍ନ ରହିବା ସାଙ୍ଗକୁ  ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଗଞ୍ଜାମରେ ରାତି ସାଢ଼େ ଆଠଟା ସୁଦ୍ଧା ୭୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।  ଆଜିବି  ଆଜି  କଳାହାଣ୍ଡି, ନୂଆପଡ଼ା ବଲାଙ୍ଗୀର, ବରଗଡ଼, କନ୍ଧମାଳ, ବୌଦ୍ଧ, ସୋନ୍‍ପୁର, ସମ୍ବଲପୁର, ନବରଙ୍ଗପୁର, ଗଞ୍ଜାମ ପ୍ରଭୃତି ଜିଲ୍ଲାରେ ନାରଙ୍ଗୀ ସତର୍କତା ( ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।   ଏହିସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ। ସେହିପରି ନୟାଗଡ଼, କୋରାପୁଟ, ମାଲକାନଗିରି ରାୟଗଡ଼ାଗଜପତି, କଟକ, ଅନୁଗୁଳ ପ୍ରଭୃତି ଜିଲ୍ଲାରେ ପୀତ ସତର୍କତା ( ୟେଲୋ ଓ୍ୱାର୍ଣ୍ଣିଂ) ଜାରି କରାଯାଇଛି। ଏଠାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା ରହିଛି। ଆଉ ଦୁଇଦିନ ବର୍ଷା ହେବା ପରେ ଏହି ଲଘୁଚାପ କ୍ଷେତ୍ର ଛତିଶଗଡ଼ ଦେଇ କତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

2. Hirakud Opens 2 gates: ଖୋଲିଲା ହୀରାକୁଦର ଦୁଇଟି ଗେଟ୍: 
ଗତ ଅପରାହ୍ନରେ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ ଖୋଲାଯାଇଛି । ଉଭୟ ଡାହାଣ ଓ ବାମ ପଟରେ ଗୋଟାଏ ଲେଖାଏଁ ଗେଟ ଖୋଲାଯାଇଛି । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ହୀରାକୁଦ କତୃପକ୍ଷ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌ ରହିଥିଲା ।

3.Jajpur Medical College to be named after King Jajati: ଯାଜପୁରରେ ଯଜାତି କେଶରୀ ମେଡିକାଲ୍‍ କଲେଜ: 
ନୂତନ ମେଡିକାଲ୍‍ କଲେଜ୍‍ ଯାଜପୁରରେ ଖୋଲିବାକୁ ଯାଉଛି। ଏହି ମେଡିକାଲ୍‍ କଲେଜ୍‍ର ନାଁ ରାଜା ଯଜାତି କେଶରୀଙ୍କ ନାଁରେ ନାମିତ ହେବ। ଆସନ୍ତା ଶିକ୍ଷାବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ। ଏଥିରେ ୧୦୦  ଆାସନରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ଲାଗି ନାମଲେଖା ଅନୁମତି ପାଇବାକୁ ଜାତୀୟ ମେଡିକାଲ୍‍ କମିାନଙ୍କୁ ଆବେଦନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ସଫଳ ହେଲେ ରାଜ୍ୟରେ ସମୁଦାୟ ସରକାରୀ ମେଡିକାଲ୍‍ କଲେଜ୍‍ ସଂଖ୍ୟା ୧୨ରେ ପହଞ୍ଚିବ। ଯେଉଁଥିରେ ପ୍ରତିବର୍ଷ ୧୬୫୦ ଜଣ ଛାତ୍ରଛାତ୍ରୀ ଡାକ୍ତରୀ ଡିଗ୍ରୀ ପଢ଼ିବାର ବ୍ୟବସ୍ଥା କରାଯାଇଛି। ଯାଜପୁର ମେଡିକାଲ୍‍ କଲେଜ୍‍ ୪୬ ଏକର ଜମି ଉପରେ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ସରକାର ୫୨୬ କୋଟି ୨୧ ଲକ୍ଷ  ଟଙ୍କା ଖର୍ଚ୍ଚ କରାଯାଇଛି। 

4. Primary Schools closed for Teachers Strike: ସାରା ରାଜ୍ୟରେ ପ୍ରାଥମିକ ସ୍କୁଲ୍‍ ବନ୍ଦ: 
ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲ୍‍ ଶିକ୍ଷକ ସମ୍ପୃକ୍ତ ବିଇଓଙ୍କ ଅଫିସ ଆଗରେ ଧାରଣାରେ ବସିବାରୁ ସ୍କୁଲ୍‍ ରେ ତାଲା ପଡ଼ିଛି। ଚୁକ୍ତି ଭିତ୍ତିକ ନିଯୁକ୍ତି, କ୍ୟାଡର ରୁଲ୍‍ ସଂଶୋଧନ, କେନ୍ଦ୍ରୀୟ ହାରରେ ଦରମା, କ୍ରୀଡ଼ା ଓ କଳା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ସେମାନେ ଆନ୍ଦୋଳନ କରିଛନ୍ତି। ଏହାଦ୍ୱାରା ୧ଲକ୍ଷ ୩୦ ହଜାର ଶିକ୍ଷକ ଛୁଟିରେ  ରହିବାରୁ ୫୦ ହଜାରରୁ ଅଧିକ ପ୍ରାଥମିକ ସ୍କୁଲ ରେ ୪୦ ଲକ୍ଷ ପିଲା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। 

5.No Student Politics in Campus: ହେବନି ଛାତ୍ର ସଂସଦ ନିର୍ବାଚନ: 
ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ। ବିଗତ ୬ ବର୍ଷ ଧରି ଏହି ନିର୍ବାଚନ ବନ୍ଦ ରହିଛି। ଚଳିତ ବର୍ଷ ନିର୍ବାଚନ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ଏହି ନିର୍ବାଚନ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ଏହା ପ୍ରକାଶ କରାଯାଇଛି।

6. Agenda for Special Session of Parliament: ପ୍ରକାଶ ପାଇଲା ସ୍ୱତନ୍ତ୍ର ସଂସଦୀୟ ଅଧିବେଶନର କାର୍ଯ୍ୟସୂଚୀ: 
ସୋମବାରଠାରୁ  ଆରମ୍ଭ ହେବାକୁ ଥିବା ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନରେ  ମୁଖ୍ୟ ବିଷୟ ହେବ ଦେଶରେ ‘ସଂସଦୀୟ ବ୍ୟବସ୍ଥାର ୭୫ ବର୍ଷ ପୂର୍ତ୍ତି’କୁ ସ୍ମରଣ କରିବା। ସମ୍ବିଧାନ ସଭାରୁ ଆରମ୍ଭ କରି ଆଜି ଭିତରେ ଦେଶ ୭୫ ବର୍ଷ ଅତିକ୍ରମ କରିଛି। ଏହି ବର୍ଷ ଦେଶ ସମ୍ବିଧାନ ସଭାର ୭୫ ବର୍ଷ ପାଳନ କରିବ।  ଏହାସହ ଏଥିରେ ୪ଟି ବିଲ୍‍କୁ ମଧ୍ୟ ପାରିତ କରିବାର କାର୍ଯ୍ୟକ୍ରମ ରହିଛି।  ପ୍ରଥମ ଦିନରେ ଆଲୋଚନା ବିଷୟ ରହିଛି ‘ସମ୍ବିଧାନ ସଭାରୁ ସଂସଦୀୟ ଯାତ୍ରାର ୭୫ ବର୍ଷ- ଉପଲବ୍‍ଧି, ଅନୁଭୁତି, ସ୍ମୃତି ଓ ଶିକ୍ଷା’। ଏହା ପରେ ସାଧାରଣ ବିଷୟ ଉପସ୍ଥାପନ ଓ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ରହିଛି ବୋଲି ଟେବଲ୍‍ ଅଫିସ ଜଣାଇଛି। 

7. 1650 crore for Ujjala: ଉଜ୍ଜଳା ପାଇଁ ୧୬୫୦ କୋଟି: 
୨୦୨୫-୨୬ ସୁଦ୍ଧା ଦେଶର ୭୫ ଲକ୍ଷ ଗରିବ ପରିବାରଙ୍କୁ ନିର୍ମଳ ରନ୍ଧନ ଗ୍ୟାସ୍‍ ଯୋଗାଣ ଲାଗି ସରକାର କାର୍ଯ୍ୟକାରୀ କରିଥିବା ଉଜ୍ଜଳା ଯୋଜନାରେ ୧୬୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ ମଞ୍ଜୁରୀ ପ୍ରଦାନ କରିଛି।  ବୁଧବାରଦିନ ବସିଥିବା କେନ୍ଦ୍ର କ୍ୟାବିନେଟ୍‍ ରେ   ବିଚାର ବ୍ୟବସ୍ଥାରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଇ ଆରମ୍ଭ କରାଯାଇଥିବା ଇ- କୋର୍ଟ ପ୍ରକଳ୍ପର ତୃତୀୟ ସଂସ୍କରଣ ଆରମ୍ଭ କରିବାକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି। 

8. 3 martyred in J&K: ଦକ୍ଷିଣ କଶ୍ମୀରରେ ୨ ସେନାଧିକାରୀ, ୧ ପୁଲିସ ସହିଦ: 
ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ସମୟରେ ଦକ୍ଷିଣ କଶ୍ମୀରରେ ଦୁଇ ସେନା ଅଧିକାରୀଙ୍କ ସମେତ ଜଣେ ପୁଲିସ ଅଧିକାରୀ ସହିଦ ହୋଇଛନ୍ତି।ସହିଦ ହୋଇଥିବା ସେନାଧିକାରୀ ହେଲେ କର୍ଣ୍ଣେଲ ମନପ୍ରୀତ ସିଂହ, ବାଟାଲିୟନ୍‍ କମାଣ୍ଡର ମେଜର ଆଶୀଷ ଧୌନିକ, ଏବଂ ଜମ୍ମୁ କଶ୍ମୀର ପୁଲିସ ଡିଏସ୍‍ପି ହୁମାୟୁନ୍‍ ଭଟ୍ଟ। ଅନ୍ତନାଗ ଜିଲ୍ଲାର କୋକରନାଗ ଜଙ୍ଗଲରେ ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସେମାନେ ଅପରେସନ୍‍ ରେ ବାହାରିଥିଲେ। ଗୁଳି ବିନିମୟ ସମୟରେ ଏହି ତିନିଜଣଙ୍କ ଦେହରେ ଗୁଳି ଲାଗିଥିଲା। ସେନା ପକ୍ଷରୁ ସେମାନଙ୍କୁ ବିମାନ ଯୋଗେ ଶ୍ରୀନଗର ଅଣାଯାଇଥିଲା କିନ୍ତୁ ପରେ ସେମାନଙ୍କ ପ୍ରାଣ ଚାଲିଯାଇଥିଲା। ଖବର ପାଇଁ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। 

9. SC Orders for new regulation controlling Media Trial : ମିଡିଆ ଟ୍ରାଏଲ୍‍କୁ ସୁପ୍ରିମ୍‍ କୋର୍ଟ ଛାଟ: 
ମିଡିଆ ଟ୍ରାଏଲ୍‍କୁ ରୋକିବା ଲାଗି ସୁପ୍ରିମ୍ କୋର୍ଟ ଗୃହମନ୍ତ୍ରଣାଳୟକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ପୁଲିସ ଯେଉଁଭଳି ଭାବେ ମିଡିଆକୁ ଅପରାଧିକ ଘଟଣା ସମ୍ପର୍କରେ ସୂଚନା ଦେଉଛି ତାହା ଯେମିତି ପରବର୍ତ୍ତୀ ସମୟରେ ମିଡିଆ ଟ୍ରାଏଲ୍‍ ରେ ପରିଣତ ନହେବ ସେଥିନେଇ ପଦେକ୍ଷେପ ନେବାକୁ ଏଥିରେ କୁହାଯାଇଛି। ଏବେ ମିଡିଆ ବିଶେଷକରି ଇଲେକ୍ଟ୍ରୋନିକ୍‍ ଏବଂ ସୋଶାଲ୍‍ ମିଡିଆରେ ଯେଉଁଭଳି ଭାବେ ବିଭିନ୍ନ ଅପରାଧିକ ମାମଲାକୁ ପ୍ରସାରଣ କରୁଛି ତାହା ବିଚାର ପୂର୍ବରୁ ଜନତାଙ୍କ ସମବେଦନା ଲାଭ କରୁଛି। ଏହାଦ୍ୱାରା ବିଚାର ପ୍ରକ୍ରିୟା ପ୍ରଭାବିତ ହେଉଥିବା କୋର୍ଟ ଅନୁଭବ କରିଛି।  ଅପରପକ୍ଷେ ଏପ୍ରିଲ୍‍-୧, ୨୦୧୦ କେନ୍ଦ୍ର ସରକାର ପୁଲିସ କିପରି ଗଣମାଧ୍ୟମକୁ ତଥ୍ୟ ଦେବ ସେ ସମ୍ପର୍କରେ ଆଇନ ପ୍ରଣୟନ କରିଥିଲେ। ଏ ଭିତରେ ଏକ ଦଶନ୍ଧି ବିତିଯାଇଥିବାରୁ ସରକାର ଏ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସୁପ୍ରିମ୍‍ କୋର୍ଟ କହିଛନ୍ତି। 

10. 40 containment Zones to control Nipah spread: କେରଳରେ ୪୦ କଣ୍ଟେନ୍‍ମେଣ୍ଟ ଜୋନ୍‍:  
ନିପାହ୍‍ ଭୂତାଣୁ ଆତଙ୍କ ପୁଣିଥରେ କେରଳରେ ଦେଖିବାକୁ ମିଳିଛି। ସଂକ୍ରମିତଙ୍କ ସମ୍ପର୍କ ସଂଖ୍ୟା ୭୦୨ରେ ପହଞ୍ଚିବାରୁ ପ୍ରୋଟୋକଲ ଅନୁସାରେ ୪୦ଟି କଣ୍ଟେନ୍‍ମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି। ଏ ଭିତରେ ନିପାହ୍‍ ସଂକ୍ରମଣେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତିନିଜଣ ସଂକ୍ରମିତ ରହିଛନ୍ତି।  ପାଞ୍ଚବର୍ଷ ଭିତରେ ଏହା ତୃତୀୟ ଆତଙ୍କ। ଚାରିଜଣଙ୍କ ନମୁନାରେ ନିପା ଭୂତାଣୁ ନିଶ୍ଚିତ କରାଯିବା ପରେ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ୧୬ଟି କୋର୍‍ ଟିମ୍‍ ଗଠନ କରାଯାଇ ନିର୍ଦ୍ଧାରିତ ପ୍ରୋଟକଲ ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ୨୦୧୮ପ୍ରଥମେ ଏହି ଭୂତାଣୁ କେରଳରେ ଚିହ୍ନଟ କରାଯାଇଥିଲା, ଯେଉଁଥିରେ ୧୭ ଜଣଙ୍କ ଜୀବନ ଯାଇଥିଲା। ସେହିପରି ୨୦୨୧ରେ ମଧ୍ୟ ଜଣଙ୍କ ଜୀବନ ଯାଇଥିଲା।

Also Read: Today Horoscope: ଜାଣନ୍ତୁ ଆଜିର ରାଶିଫଳ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Watch Video: ମହାପ୍ରଭୁ ଜଗନ୍ନାଥଙ୍କ ସକାଳ ଧୂପ ଓ ଦ୍ୱାରଫିଟା ନୀତି ଦର୍ଶନ