)
Odisha News: ଗୋପାଳପୁର:(ପ୍ରେମାନନ୍ଦ ପୁଜାରୀ) ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର (ZSI), ଗୋପାଳପୁରର ବୈଜ୍ଞାନିକମାନେ ଏକ ନୂତନ ପ୍ରଜାତିର ମାଛ ଚିହ୍ନଟ କୁ କରିଛନ୍ତି, ଯାହାକୁ ସ୍ୟୁଡୋରମ୍ବସ ବାହୁଦାଏନସିସ ନାମ ରେ ନାମିତ କରାଯାଇଛି । ଏହା ଓଡ଼ିଶାର ସୋନପୁର ନିକଟସ୍ଥ ବାହୁଦା ମୁହାଁଣରୁ ଅକ୍ଟୋବର ୨୦୨୨ ମସିହାରେ ସଂଗ୍ରହ କରାଯାଇଥିଲା।
୨୦୦ ବର୍ଷ ପୂର୍ବେ, ୧୮୨୨ ମସିହାରେ ପଶ୍ଚିମବଙ୍ଗ ଉପକୂଳରୁ ଏହା ସହିତ ସଦୃଶ ଏକ ମାଛ ସ୍ୟୁଡୋରମ୍ବସ ଆରସିୟସ ଚିହ୍ନଟ ହୋଇଥିଲା। ଦୁଇଟି ପ୍ରଜାତି ମଧ୍ୟରେ ସମାନତା ଥିବା ସତ୍ତ୍ବେ, ଗୋପାଳପୁର ବିଜ୍ଞାନାଗାର କେନ୍ଦ୍ରରେ ଡ଼ିଏନଏ ପରୀକ୍ଷା ଓ ଆକୃତିଜନିତ ତଥ୍ୟ ଦ୍ୱାରା ଏହା ଏକ ନୂତନ ପ୍ରଜାତି ବୋଲି ନିଶ୍ଚିତ ହୋଇଛି। ଏହି ମାଛ ବିଷୟରେ ଅନୁସନ୍ଧାନ ପାଇଁ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା ।
ଏହି ଅଭିଯାନରେ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଡ଼. ସରୂପ ରଞ୍ଜନ ମହାନ୍ତି, ଡ଼. ଦୀପାଞ୍ଜନ ରାୟ, ଡ଼. ଶେଷଦେବ ପାତ୍ର, ଶୁଭେନ୍ଦୁ ଶେଖର ମିଶ୍ର ଓ ବୈଜ୍ଞାନିକ ଡ଼. ଅନିଲ ମହାପାତ୍ର ପ୍ରମୁଖ୍ୟ ଭୂମିକା ନେଇଥିଲେ। ପରୀକ୍ଷାରେ ଜଣାପଡ଼ିଛି ଯେ ନୂତନ ପ୍ରଜାତିର ଡ଼ିଏନଏ ଅନୁକ୍ରମ ପୁରୁଣା ପ୍ରଜାତିଠାରୁ ପ୍ରାୟ ୧୧% ଭିନ୍ନ ଏବଂ ଜିନେଟିକ ବିଭାଜନ ପ୍ରାୟ ୧୭ ମିଲିୟନ ବର୍ଷ ପୂର୍ବରୁ ଘଟିଥିଲା।
ଏହି ମାଛ ବିଷାକ୍ତ ନୁହେଁ ଏବଂ ମଣିଷ ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତି। ଏହା ସମୁଦ୍ର ଓ ମୁହାଁଣ ଅଞ୍ଚଳର ତଳଭାଗରେ ବାସ କରେ ଓ ଛୋଟ ମାଛ, କୀଟପତଙ୍ଗ ଓ ଗୁଲ୍ମ ଭୋଜନ କରେ। ଏହାର ରଙ୍ଗ ଧୂସର ମାଟିଆ, ଦେହରେ ୩୬-୩୭ ମେରୁହାଡ଼ ଓ ତୀକ୍ଷ୍ଣ କାତି ରହିଥାଏ। ଏହାର ଲମ୍ବ ୧୧ ରୁ ୩୧ ସେଣ୍ଟିମିଟର ପର୍ଯ୍ୟନ୍ତ ହୁଏ।
ଡ଼. ଅନିଲ ମହାପାତ୍ର କହିଛନ୍ତି ଯେ, ଏହି ନୂତନ ପ୍ରଜାତି ସମ୍ପର୍କିତ ଗବେଷଣାର ପ୍ରତିବେଦନ ଅନ୍ତର୍ଜାତୀୟ ବୈଜ୍ଞାନିକ ପତ୍ରିକା Zootaxa ରେ ପ୍ରକାଶିତ ହୋଇଛି। ବିଶେଷତା ବସତଃ ଏହି ମାଛ ଅନ୍ୟ ମାଛ ଅପେକ୍ଷା କୃତ ଆକୃତି ସମାନତା ରହିଥିଲେ ମଧ୍ୟ ଗୋଟିଏ ସିଧା ରେଖା ଲାଞ୍ଜ ରୁ ମୁଣ୍ଡ ପର୍ଯ୍ୟନ୍ତ ଦେଖିଲେ ଆଖିର ଉପର ଭାଗକୁ ଦେଖାଯାଉଥିବା ସ୍ବଷ୍ଟ ଭାବେ ପ୍ରଜାତି କୁ ଚିହ୍ନଟ କରାଯାଉଛି ।