)
ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ । ମୁଖ୍ୟ ଶାସନ ସଚିବ ଓ ଶିଳ୍ପ ସଚିବଙ୍କ ଉପସ୍ଥିତିରେ ଭେଟି ରାଜ୍ୟରେ ବଡ଼ ଧରଣର ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୀଲ ଅଗ୍ରୱାଲ ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଶା ପୁଣି ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କଥା କହିଛନ୍ତି । ‘ସବୁ ରାଜ୍ୟ ମୋ ପଛରେ ପଡିଛନ୍ତି, କିନ୍ତୁ ମୋ ହୃଦୟରେ ଓଡିଶା ଅଛି, ଆମ ଦେଶର ୭ ଲକ୍ଷ ଛାତ୍ରୀଛାତ୍ରୀ ବିଦେଶରେ ପଢୁଛନ୍ତି, ଜମି ଆମର ଅଛି, ଓଡ଼ିଶା ଲୋକଙ୍କ ସମର୍ଥନ ଦରକାର, ପୁରୀରେ ହେବ କି କେଉଁଠି ହେବ ଆମେ ଓଡିଶା ଲୋକଙ୍କ ଜନମତ ନେବୁ’ ବୋଲି ବେଦାନ୍ତ ମୁଖ୍ୟ କହିଛନ୍ତି ।
ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ କହିଛନ୍ତି ଯେ, ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରି ୩୦ ଲକ୍ଷ ଟନ୍ର ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ଜମି ମିଳିଲେ ୩ରୁ ୪ ମାସ ଭିତରେ କାମ ଆରମ୍ଭ ହେବ । ଏକ ମାସରେ ଜମି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ୩ରୁ ସାଢ଼େ ୩ ବର୍ଷ ଲାଗିବ, ୩୦ରୁ ୪୦ ହଜାର ଲୋକେ କାମ ପାଇବେ ବୋଲି ଅନୀଲ ଅଗ୍ରୱାଲ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନୀର ପୁଞ୍ଜି ବିନିଯୋଗ ଜରିଆରେ ଓଡିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ । ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍ ହବ୍ ହେବାପାଇଁ ଓଡିଶା ବର୍ତ୍ତମାନ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ। ଆମର ଏହି ଉଦ୍ୟମ ଦ୍ୱାରା କେବଳ ଅର୍ଥନୈତିକ ଅଭିବୃଦ୍ଧି ଆସିବ ନାହିଁ ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବା ସହିତ ଜନସାଧାରଣଙ୍କୁ ସଶକ୍ତ କରିବ ଏବଂ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହେବାପାଇଁ କ୍ଷେତ୍ର ପ୍ରସ୍ତୁତ କରିବ । ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ପୁଞ୍ଜି ନିବେଶ ଏକ ଗେମ୍-ଚେଞ୍ଜର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ବୈଠକରେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ବେଦାନ୍ତର ଶିଳ୍ପ ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।