Vigilance Raid: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ୍ର ପ୍ରଧାନଶିକ୍ଷକ ନିରଞ୍ଜନ ଅତି। ସ୍କୁଲର ପିଅନଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି କେନ୍ଦ୍ରାପଡ଼ା(Kendrapara) ସରକାରୀ ହାଇସ୍କୁଲ୍ର ପ୍ରଧାନଶିକ୍ଷକ। ଭିଜିଲାନ୍ସ ପ୍ରଧାନଶିକ୍ଷକ ନିରଞ୍ଜନ ଅତି ଗିରଫ କରି କୋର୍ଟଚାଲାଣ କରିଛି।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଶ୍ରୀ ଅତି ଗତ ବର୍ଷ ଡିସେମ୍ବର ୨୮ତାରିଖରୁ କେନ୍ଦ୍ରାପଡ଼ା ହାଇସ୍କୁଲ୍ରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ବା ସେହି ସ୍କୁଲର ପିଅନ ସନ୍ତୋଷ କୁଣ୍ତଙ୍କଠାରୁ ଘର ଋଣ ଅନୁମୋଦନ କରାଇଦେବା ବାବଦକୁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ ପ୍ରଧାନଶିକ୍ଷକ। ଶ୍ରୀ କୁଣ୍ତଙ୍କୁ ନୂଆ ଘର ପାଇଁ ଶିକ୍ଷା ବିଭାଗ(Education department)ରୁ ଆଡଭାନ୍ସ ଆକାରରେ ୧୧ ଲକ୍ଷ ୮୬ହଜାର ଟଙ୍କା ମଞ୍ଜୁର ହୋଇଥିଲା।
ଏହି ଟଙ୍କା ପ୍ରଥମ ପର୍ଯ୍ୟାୟରେ ସେ ୬୦ ପ୍ରତିଶତ ଟଙ୍କା ଉଠାଇ ଥିଲେ। ଅବଶିଷ୍ଟ ୪୦ ପ୍ରତିଶତ ଅର୍ଥାତ ୪ ଲକ୍ଷ ୫୮ହଜାର ଟଙ୍କା ଆସିବା ପରେ ଅର୍ଥାତ୍ ଗତ ଜାନୁଆରୀ ୧୯ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଚିଠି ଲେଖି ଏହାକୁ ପ୍ରଦାନ କରିବାକୁ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ମାତ୍ର ପ୍ରଧାନଶିକ୍ଷକ ଉକ୍ତ ଟଙ୍କାକୁ ଅନୁମୋଦନ କରୁ ନ ଥିବା ଅଭିଯୋଗ କରିଥିଲେ ଶ୍ରୀ କୁଣ୍ଡ। ଶେଷରେ ୫ ହଜାର ଟଙ୍କା ଦେଲେ ଅନୁମୋଦନ କରିବେ ବୋଲି ପ୍ରଧାନଶିକ୍ଷକ ତାଙ୍କୁ ଜଣାଇଥିଲେ। ଏଭଳି ଘଟଣାରେ ଶ୍ରୀ କୁଣ୍ତ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଶ୍ରୀ କୁଣ୍ତ ହାଇସ୍କୁଲ୍ ଯାଇ ପ୍ରଧାନଶିକ୍ଷକଙ୍କୁ ତାଙ୍କ ପ୍ରକୋଷ୍ଠରେ ୫ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଲାଞ୍ଚ ଟଙ୍କା ସହିତ ପ୍ରଧାନଶିକ୍ଷକଙ୍କୁ ଧରିବାରେ ସଫଳ ହୋଇଛି।