)
Top 10 News Today
Headline 01- ଆଜି ପହିଲି ରଜ ତେଣୁ ସମଗ୍ର ରାଜ୍ୟରେ ଗଣପର୍ବ ରଜ ମହୋତ୍ସବକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି । ଗାଁଠାରୁ ସହର ସମସ୍ତ ସ୍ଥାନ ଉତ୍ସବମୁଖର ହୋଇଛି । ପାନ, ପୋଡପିଠା ସହ ବିଭିନ୍ନ ପିଠାପଣାରେ ମହମହ ବାସୁଛି ଓଡ଼ିଶା। ଗାଁ ଗାଁରେ ଲାଗିଛି ଦୋଳିର ଆସର ।
Headline 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ଅଛନ୍ତି। ୬-୭ ଶିଖର ସମ୍ମିଳନୀ ପୂର୍ବରୁ, ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଗତ କିଛି ମାସ ଧରି ପଶ୍ଚିମ ଏସିଆରେ ଉତ୍ତେଜନା ଶୀର୍ଷରେ ରହିଛି । ଉଭୟ ନେତା ମିଳିତ ଭାବରେ ନିସ୍ରେ 'ଇଣ୍ଡିଆ ଇନୋଭେଟ୍ସ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
Headline 03- ଓମାନ ଉପକୂଳରେ ୧୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ପାରମ୍ପରିକ ଡଙ୍ଗା ବୁଡ଼ି ଯାଉଥିବା ସମ୍ପର୍କରେ ସୂଚନା ମିଳିଛି । ଖବର ପ୍ରଚାରିତ ହେବା ପରେ ଆଜି ତୁରନ୍ତ ଏକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସୂତ୍ର ଅନୁଯାୟୀ, ଜୁନ୍ ୧୪ ତାରିଖ ସକାଳେ ଓମାନର ରାସ୍ ଅଲ୍ ହାଦ୍ ଅଞ୍ଚଳରୁ ପ୍ରାୟ ୮୦ ନଟିକାଲ୍ ମାଇଲ୍ ପୂର୍ବରେ ଏକ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପରେ ଡଙ୍ଗାଟି ବୁଡ଼ିବାକୁ ଆରମ୍ଭ କରିଥିଲା।
Headline 04- ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ଅଘଟଣ ସାମ୍ନାକୁ ଆସିଛି । ବଜ୍ରପାତରେ ଜିଅନ୍ତା ଜଳିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଲରେ କାମ ବେଳେ ବର୍ଷା ପାଇଁ କୁଡ଼ିଆରେ ଆଶ୍ରୟ ନେଇଥିଲେ । ମାତ୍ର ବଜ୍ରପାତ ହେବାରୁ କୁଡ଼ିଆ ସହ ଦୁହେଁ ଜଳିଯାଇଥିଲେ ।
Headline 05- ଝାରସୁଗୁଡ଼ା ଜିଲ୍ଲା ମେଡିକାଲ୍ରେ ଚିକିତ୍ସା ଅବହେଳାରୁ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଇବ ନଦୀରେ ବୁଡ଼ି ଯାଇଥିବା ୨ ଯୁବକଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଜୀବିତ ଅବସ୍ଥାରେ ଉଦ୍ଧାର ପରେ ଚିକିତ୍ସା ଅବହେଳାରୁ ମୃତ୍ୟ ହେଲା ବୋଲି କହିଛନ୍ତି । ଫଳରେ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି ।
Headline 06- ଜଗତସିଂହପୁର ବାଲିକୁଦା ଥାନା ତେର୍ତ୍ତାଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି । ମା’, ବାପାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ପୁଅ । ପାରିବାରିକ କଳହରୁ ମା’, ବାପାଙ୍କୁ ଧାରୁଆ ଅସ୍ତ୍ରରେ ପୁଅ ହାଣିଥିବା ସୂଚନା ମିଳିଛି । ହତ୍ୟା ଅଭିଯୁକ୍ତ ପୁଅକୁ ଗିରଫ କରିଛି ବାଲିକୁଦା ପୋଲିସ ।
Headline 07- ଭଡ଼ା ଘର ବାବଦରେ ନୂଆ ପଲିସିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଭଡ଼ା ଘର ଯୋଗାଇ ଦେବାକୁ ସରକାର ଏହି ପଲିସି ଆଣିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ରାଜଧାନୀକୁ ଅନେକ ଲୋକ ଆସୁଛନ୍ତି, ସେମାନଙ୍କୁ ଭଡ଼ା ଘର ମିଳୁନି ତେଣୁ ବସ୍ତି ବଢ଼ୁଛି । ବସ୍ତି ନ ବଢ଼ିବା ପାଇଁ ଘର ଯୋଗାଇ ଦେବେ ସରକାର । ଏଥିସହ ସରକାର ଆୱାସ ଯୋଜନାରେ ଘର କରି ଭଡ଼ାରେ ଦେବେ ।
Headline 08- ତେଲକୋଇ କାଞ୍ଜିପାଣି ଥାନା ଜାତୀୟ ରାଜପଥ ୪୯ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଟି ପୃଥକ ସଡ଼କ ଦୁର୍ଘଟଣା କାରଣରୁ ୫ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ୨ ଶହ ମିଟର ଭିତରେ ୧୦ ମିନିଟ୍ ବ୍ୟବଧାନରେ ୨ଟି ଦୁର୍ଘଟଣା ଘଟିଥିଲା । କୁଆଁରମୁଣ୍ଡା ଢ଼ାବା ନିକଟରେ ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଚାଳକ ମୃତ ହୋଇଛି ଏବଂ କୁଆଁର ଛକ ମଙ୍ଗଳା ମନ୍ଦିର ନିକଟରେ ଟ୍ରକ୍-ବାଇକ୍ ଧକ୍କାରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଛି ।
Headline 09- ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା । ଏକ ମାଓ ଡମ୍ପ୍ ଠାବ ପରେ ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । DVF ଓ SOG ଟିମ୍ର ମିଳିତ ଅଭିଯାନରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ ହୋଇଛି । ମିଳିତ ଅପରେସନ ସମୟରେ ଧେପଗୁଡ଼ା ରିଜର୍ଭ ଫରେଷ୍ଟରୁ ଜବତ କରିଛନ୍ତି ଯବାନ ।
Headline 10- ମୌସୁମୀ ପ୍ରବେଶ ପରେ ରଜରେ ଉପକୂଳ ଏବଂ କିଛି ଅଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଜିଲ୍ଲାରେ 'ରଜ ପାଗ' ଦେଖିବାକୁ ମିଳିଛି । ଆଜି ଯାଜପୁର, ଭଦ୍ରକ, କେନ୍ଦୁଝର ସମେତ ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଏପରି ସ୍ଥିତି ଆଗକୁ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।