)
Top 10 News Today:
1- ଜୟରାମ ଠାକୁରଙ୍କ ସମେତ ୧୫ ବିଜେପି ବିଧାୟକ ନିଲମ୍ୱିତ: ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ବିରୋଧୀଦଳର ନେତା ଜୟରାମ ଠାକୁରଙ୍କ ସମେତ ୧୫ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକଙ୍କୁ ନିଲମ୍ବିତ କରି ଗୃହକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ଏହି ପାହାଡି ରାଜ୍ୟରେ ବିରାଟ ରାଜନୈତିକ ଅସ୍ଥିରତା ଚାଲିଛି। କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି। ୬ଜଣ କଂଗ୍ରେସ ବିଧାୟକ ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସପକ୍ଷରେ ଭୋଟ୍ ଦେବା ପରେ ଆରମ୍ଭ ଏଠାରେ ରାଜନିତୀ ତିବ୍ର ହୋଇଥିଲା। ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ୧୫ ଜଣ ବିଧାୟକଙ୍କୁ ବହିଷ୍କାର କରିବାବେଳେ କହିଛନ୍ତି ଯେ ସେମାନଙ୍କ କାର୍ଯ୍ୟ ସଂସଦୀୟ ନୁହେଁ, ଯାହା ଏହି ଗୃହ ଏବଂ ବିଧାନସଭାର ସମ୍ମାନକୁ କ୍ଷତି ପହଞ୍ଚାଇଛି ଏବଂ ଏହି ପରିସ୍ଥିତିରେ ଗୃହ ଚଳାଇବା ସମ୍ଭବ ନୁହେଁ। ସେ କହିଛନ୍ତି ମୁଁ ପ୍ରସ୍ତାବ ଦେଇଛି ଯେ ନିମ୍ନଲିଖିତ ସଦସ୍ୟମାନଙ୍କୁ ବିଧାନସଭା ଗୃହରୁ ବହିଷ୍କାର କରାଯାଉ, ଯାହାଫଳରେ ଏହି ସମ୍ମାନଜନକ ଗୃହର ପ୍ରକ୍ରିୟା ନିରପେକ୍ଷ ହୋଇପାରିବ।
2- ବଦଳିଲେ ୩ ଜିଲ୍ଲାପାଳ: ନିର୍ବାଚନ ପୂର୍ବରୁ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାର ଅଦଳ ବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର ଜିଲ୍ଲାପାଳ ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୟୁରଭଞ୍ଜ ବଦଳି କରାଯାଇଛି। ଅର୍ଥାତ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଦ ହେବେ ମୟୁରଭଞ୍ଜର ନୂଆ ଜିଲ୍ଲାପାଳ। ସେହିପରି ପୁରୀ ଜିଲ୍ଲାପାଳ ବିଜୟ ଦାଶଙ୍କୁ କଟକ ମ୍ୟୁନିସିପାଲିଟିର ନୂଆ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। କଟକ ମ୍ୟୁନିସିପାଲିଟି କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବେ ପୁରୀରେ ଜିଲ୍ଲାପାଳ ଭାବେ ଅଧିଷ୍ଠିତ ହେବ।
3- ED ଉପରେ ସୁପ୍ରିମକୋର୍ଟଙ୍କ ବୟାନ: ଅର୍ଥାତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ସମ୍ପର୍କରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ବଡ଼ ବୟାନ ଦେଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି PMLA ର ଧାରା ୫୦ ଅନୁଯାୟୀ କାହାକୁ ସମନ କରାଯାଏ, ତେବେ ତାଙ୍କୁ ସମନକୁ ସମ୍ମାନ କରିବାକୁ ପଡିବ ଏବଂ ଏହାର ଉତ୍ତର ମଧ୍ୟ ଦେବାକୁ ପଡିବ।
4- ଗୁଜୁରାଟ ଉପକୂଳରୁ ଡ୍ରଗ୍ସ ଜବତ: ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ମିଳିତ ଅପରେସନରେ ମଙ୍ଗଳବାର ଦିନ (୨୭ ଫେବ୍ରୁଆରୀ) ଗୁଜୁରାଟ ଉପକୂଳରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ନେଇ ଯାଉଥିବା ଏକ ସନ୍ଦିଗ୍ଧ ଡଙ୍ଗାକୁ ଧରାଯାଇଛି। ଭାରତୀୟ ନୌସେନା ଏକ ବିୟାନରେ କହିଛି ଯେ ନିକଟ ଅତୀତରେ ପରିମାଣ ଦୃଷ୍ଟିରୁ ଏହି ଜବତ୍ ହେଉଛି ସବୁଠାରୁ ବଡ଼ ଆକ୍ସନ।
5- ରାଜଧାନୀରୁ ଲୁଟ୍ : ଘରେ ସମସ୍ତେ ଶୋଇଥିବା ବେଳେ ନିଶା ସ୍ପ୍ରେ କରି କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ । ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ୨୦ଟି ପାରା । ଏଭଳି ଏକ ଘଟଣା ଘଟିଛି ରାଜଧାନୀର ସହିଦ ନଗର ଥାନା ଅନ୍ତର୍ଗତ ଭିଏସଏସ ନଗରରେ । ସେଠାରେ ରହୁଥିବା ବ୍ୟାଙ୍କ କର୍ମଚାରୀ ମନୋଜ ବେହେରାଙ୍କ ପରିବାର ଶୋଇଥିବା ବେଳେ ନିଶା ସ୍ପ୍ରେ କରି ଏଭଳି ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି ।
6- ଦେଶର ନୂଆ ଲୋକପାଳ ଏ.ଏମ୍ ଖାନୱିଲକର: ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍ ଖାନୱିଲକର । ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଜଷ୍ଟିସ ଏ.ଏମ୍ ଖାନୱିଲକର ୨୦୨୨ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ ମସିହାରୁ ଏହି ପଦବୀ ଖାଲି ପଡିଥିଲା । ଲୋକପାଳର ନ୍ୟାୟିକ ସଦସ୍ୟ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ବର୍ତ୍ତମାନ ଏ.ଏମ୍ ଖାନୱିଲକରଙ୍କୁ ନୂଆ ନିଯୁକ୍ତି ମିଳିଛି । ଲୋକପାଳ ଅଧ୍ୟକ୍ଷ ସହିତ ନ୍ୟାୟିକ ସଦସ୍ୟ ଭାବେ ଅବସରପ୍ରାପ୍ତ ବିଚାରପତି ଲିଙ୍ଗାପା ନାରାୟଣ ସ୍ୱାମୀ, ରୁତୁରାଜ ଅବସ୍ତି, ସଂଜୟ ଯାଦବ ଏବଂ ଅଣ ନ୍ୟାୟିକ ସଦସ୍ୟ ଭାବେ ମଧ୍ୟ କିଛି ଜଣଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।
7- ପତଞ୍ଜଳୀକୁ ସୁପ୍ରିମକୋର୍ଟର ତାଗିଦ: ବିଭ୍ରାନ୍ତକାରୀ ବିଜ୍ଞାପନ ପ୍ରସାରଣ ଲାଗି ପତଞ୍ଜଳୀ ଆୟୁର୍ବେଦ ଉପରେ ବର୍ଷିଛନ୍ତି ସୁପ୍ରିମ କୋର୍ଟ। ଏହାର ସମସ୍ତ ବିଭ୍ରାନ୍ତକାରୀ ବିଜ୍ଞାପନକୁ ନିଷିଦ୍ଧ କରିବା ସହ କୌଣସି ରୋଗ ବା ଅନ୍ୟ ମେଢିୀକାଲ୍ ଅବସ୍ଥା ସମ୍ପର୍କରେ ବିଜ୍ଞାପନ ପ୍ରସାରଣ ନକରିବାକୁ ଆଦେଶ ଦେିଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଦାଖଲ ଏକ ମାମଲାର ବିଚାର କରି କୋର୍ଟ ଏହି ଆଦେଶ ଦେଇଛନ୍ତି।
8- ଭୁବନେଶ୍ୱରରେ ବିଲ୍ ଗେଟ୍ସ: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍ସ ଭୁବନେଶ୍ୱର ଆସିଛନ୍ତି । କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ତାଙ୍କ ଦ୍ୱାରା ପରିଚାଳିତ ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏଥିନେଇ କୃଷି ଭବନଠାରେ ଏକ ବୈଠକ ଆୟେଜନ କରାଯାଇଥିଲା ।
9- ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ଆଜିଠାରୁ ଚାରି ଦିନିଆ ଓଡି଼ଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ମୟୂରଭଂଜ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଗଂଜାମ ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୨ ତାରିଖ ଝାରସୁଗୁଡାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ହେବା ପରେ ତୃତୀୟ ଥର ପାଇଁ ନିଜ ଜନ୍ମମାଟି ମୟୂରଭଂଜ ଜିଲ୍ଲାକୁ ଆସୁଛନ୍ତି। ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଝାଡଖଣ୍ତର ରାଞ୍ଚି ବିମାନ ବନ୍ଦରରେ ପହଂଚି ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ଖିଚିଂ ନିକଟ ପାଣ୍ତରଶିଳ ଗାଁରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍ ରେ ପହଚିଛନ୍ତି। ସେଠାରୁ ପ୍ରଥମେ ଖିଚିଂ ମନ୍ଦିର ଆସିବେ ।
10- ଭିଜିବ ଏହି ସବୁ ଜିଲ୍ଲା ! ରାଜ୍ୟରେ ଗତ ତିନି ଦିନ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କିଛି ସ୍ଥାନରେ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ନବରଙ୍ଗପୁର, କନ୍ଧମାଳ, ଓ ଦେବଗଡରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ପାରଳାଖେମୁଣ୍ତିରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଉତ୍ତର ଆଭ୍ୟନ୍ତରିଣ ଓଡି଼ଶା ତଥା ବାଲେଶ୍ବର, ଭଦ୍ରକ, ଯାଜପୁର,ବୌଦ୍ଧ, ସୋନପୁର, ବଲାଙ୍ଗୀର , ନୂଆପଡା, କଳାହାଣ୍ତି, କନ୍ଧମାଳ ଓ ନବରଙ୍ଗପୁର ପାଗ ଆଂଶିକ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହୋଇଛି । ବାକି ଜିଲ୍ଲାରେ ମୁଖ୍ୟତ ଶୁଖିଲା ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।