)
Top 10 News Headlines:
1- କୃଷକ ଆନ୍ଦୋଳନ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ: ପୁଣି ଥରେ ଚାଷୀ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି କୃଷକ। ଆସନ୍ତା ୧୩ ତାରିଖରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ପଞ୍ଜାବ ଓ ହରିୟାଣାର ପ୍ରାୟ ୨୩ କୃଷକ ସଂଙ୍ଗଠନ । ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ତଥା ଏମଏସ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବି ରଖିଛନ୍ତି କୃଷକ । କୃଷକମାନେ ରାଜରାସ୍ତାରେ ଟ୍ରାକ୍ଟର ରାଲି କରିବେ ବୋଲି ସୂଚନା ମିଳିଛି । ଦିଲ୍ଲୀ ସୀମାରେ ପ୍ରବେଶ କରାଇ ନଦେବା ପାଇଁ ଦିଲ୍ଲୀ ପୁଲିସ ଅଣ୍ଟା ଭିଡିଛି।
2- ଝାରସୁଗୁଡାରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ -ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ଘଟିଛି ଭୟଙ୍କର ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। ଝାରସୁଗୁଡା ଲଖନପୁର ଜୁନିୟନ୍ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।
3- ଗିରଫ ହେଲା ହଲଦ୍ୱାନୀ ହିଂସାର ମାଷ୍ଟରମାଇଣ୍ଡ୍: ଉତ୍ତରାଖଣ୍ଡ ବନଭୂଲପୁରା ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତ ମାଷ୍ଟରମାଇଣ୍ଡ୍ ତଥା ଅବ୍ଦୁଲ ମଲିକକୁ ଦିଲ୍ଲୀରୁ ଗିରଫ କରିଛି ପୋଲିସ । ଏଥିସହ ପୂର୍ବରୁ ଦୁଇ ପୂର୍ବତନ କର୍ପୋରେଟରଙ୍କ ସହ ପାଞ୍ଚଜଣଙ୍କୁ ଗିରଫ କରାଯାଇଛି ।
4- ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉମରକୋଟ ଥାନା ଚିକଲପଦର ନିକଟରେ ବିଲକୁ ଗାଡ଼ି ଖସି ଦୁର୍ଘଟଣା ଘଟିଛି। ସାଂସଦ ଓ ଡ୍ରାଇଭରଙ୍କ ସମେତ ୩ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
5- ସମ୍ବଲପୁରରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ: ଆଜି ସକାଳୁ ସକାଳୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ପ୍ରଥମେ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବୁର୍ଲାରେ ମୁଖ୍ୟମନ୍ତ୍ରୀ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିଛନ୍ତି। ଏଠାରେ ଭଲ ସୁବିଧା ରହିଛି। ମଣ୍ଡଳିଆ ପଡ଼ିଆରେ ସମ୍ବଲପୁର ଫୁଟବଲ ଏକାଡେମୀ କରାଯାଉଛି।
6- ପଞ୍ଚଭୂତରେ ଲୀନ ହେବେ ଖଲ୍ଲିକୋଟ ରାଣୀ: ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ଆଜି ସମ୍ପନ୍ନ ହେବ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଥିବା ରାଜ ପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୪୪ ମିନିଟରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଗତକାଲି ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱର ଅଣାଯାଇଥିଲା।
7- ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଦେହାନ୍ତ: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ବାସଭବନରେ ସେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୁଇ ଦିନ ତଳେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ଖାଦ୍ୟ ଖାଇବା ମଧ୍ୟ ସମସ୍ୟା ହୋଇଥିଲା । ଆଜି ଦିନ ୧୨ଟା ୨୫ ମିନିଟ୍ରେ ତାଙ୍କର ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।
8- ଓଡ଼ିଆ ଭାଷାରେ CAPF ପରୀକ୍ଷା: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ତଥା ସେଣ୍ଟ୍ରାଲ ଆର୍ମଡ୍ ପୁଲିସ ଫୋର୍ସ ଲିଖିତ ପରୀକ୍ଷା ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଅନୁଷ୍ଠିତ ହେବ । ହିନ୍ଦୀ ଏବଂ ଇଂରାଜୀ ଭାଷା ସହ ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ପରୀକ୍ଷା ଦେଇପାରିବେ ଆଶାୟୀ ପ୍ରାର୍ଥୀ। ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି । ଆସନ୍ତା ୨୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ସିଏପିଏଫ ପରୀକ୍ଷା ରହିଛି ।
9- ମିଥୁନଙ୍କୁ ବ୍ରେନ୍ ଷ୍ଟ୍ରୋକ୍: ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ ଅଛନ୍ତି। ବ୍ରେନ୍ ଷ୍ଟ୍ରୋକ କାରଣରୁ ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଛାତି ଯନ୍ତ୍ରଣା ଏବଂ ଅସ୍ଥିରତା ଲାଗିବା ତାଙ୍କୁ ତୁରନ୍ତ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଖୁସିର ବିଷୟ ଯେ ତାଙ୍କର ଚେତା ଫେରିଛି ଏବଂ ସେ ଏବେ ଆଇସିୟିରୁ ବାହାରିଥିବା ଜଣାପଡ଼ିଛି। ଏନେଇ ଅଭିନେତ୍ରୀ ଦେବଶ୍ରୀ ରୟ ଏବଂ ନିର୍ଦ୍ଦେଶକ ପାଥିକୃତ ବସୁ ସୂଚନା ଦେଇଛନ୍ତି । ଡାକ୍ତରମାନେ କହିଥିଲେ ଯେ, ସେ ଏକ ଇସକେମିକ୍ ସେରେବ୍ରୋଭାସ୍କୁଲାର ନାମକ (Ischemic Cerebrovascular Stroke) ବ୍ରେନ ଷ୍ଟ୍ରୋକରେ ପୀଡିତ ।
10- ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା: ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଶୁକ୍ରବାର ସକାଳେ ରାଜ୍ୟରେ ଘନ କୁହୁଡି଼ ଦେଖାଦେଇଥିବା ବେଳେ ଶନିବାର ରାଜ୍ୟରେ ପାଗ ସ୍ବାଭାବିକ ରହିବା ସହ ପଶ୍ଚିମାଞ୍ଜଳରେ ପାରଦ ୧୦ ଡିଗ୍ରୀ ତଳେ ରେକର୍ଡ଼ ହୋଇଛି। ଶୁକ୍ରବାର ରାତିରେ ସୁନ୍ଦରଗଡର କିରେଇରେ ସର୍ବନିମ୍ନ ତାପମାତ୍ରା ୮ ଡି଼ଗ୍ରୀ ରେକର୍ଡ କରାଯାଇଛି। ଏହାଛଡା ସୁନ୍ଦରଗଡରେ ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ଼ ହୋଇଛି। ରବିବାର ରାଜ୍ୟର ୨୦ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡି଼କ ହେଲା, ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ବୌଦ୍ଧ, ନୂଆପଡା, ବଲାଙ୍ଗୀର, ବରଗଡ଼ , ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର ଓ ଭଦ୍ରକରେ ବର୍ଷା ସମ୍ଭାବନା ରହିଛି।