)
Top 10 News Headlines:
1- ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ର ରେଳମନ୍ତ୍ରୀ: ବିଜେପି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ପୁଣିଥରେ ମନୋନୀତ କରାଯାଇଛି । ଆଜି ଓଡ଼ିଶା ଗସ୍ତରେ ଆସି ଗଣମାଧ୍ୟମ ସାମ୍ନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରେଳମନ୍ତ୍ରୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ଅଶ୍ୱିନୀଙ୍କୁ ବିଜେପିର ଅନେକ ବରିଷ୍ଠ ନେତା ଏବଂ କର୍ମୀ ଯୋଗ ଦେଇଥିଲେ ।
2- ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟ ସଭା ପ୍ରାର୍ଥୀ କରିବା ପରେ ଏହାକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ । ଏନେଇ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଫଳରେ ଅଶ୍ୱିନୀଙ୍କ ପାଇଁ ରାସ୍ତା ପରିଷ୍କାର ହୋଇଛି । ଅଶ୍ୱିନ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳର ମୁଁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ସବୁ ନିଷ୍ପତ୍ତି ଦଳର ବରିଷ୍ଠ ନେତାମାନେ ନେଇଥାନ୍ତି । ମତେ ଆଉଥରେ ସୁଯୋଗ ଦେଇଥିବା କାରଣରୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ଅଶ୍ୱିନୀ ବୈଷ୍ଣବ ।
3- ଭାରତୀୟ ନୌସେନାର ନୂଆ ଡ୍ରେସ୍ କୋଡ୍: ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ନୈସେନାର ଡ୍ରେସକୋଡ୍ ବଦଳାଯାଇଛି । ଏଥର କୁର୍ତ୍ତା ପାଇଜାମା ତଥା କୁର୍ତ୍ତା ଚୁଡିଦାରରେ ନଜର ଆସିବେ ନୌସେନା ଯବାନ । ଏଥିନିମନ୍ତେ ମଞ୍ଜୁରୀ ମିଳି ସାରିଛି । ଆକାସିଆ ନୀଳ ରଙ୍ଗ କୁର୍ତ୍ତା, ଧଳା ପାଇଜାମା ଏବଂ ଜ୍ୟାକ୍ର ରଙ୍ଗ ନେଭି ବ୍ଲୁ ରହିଛି। ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟର୍ ହରଦୀପ ସିଂହ ସୋହି ସୋସିଆଲ୍ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।
4- କଂଗ୍ରେସର ହାତ ଛାଡିଲେ ପୂର୍ବତନ ବିଧାୟକ: କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ୨୦୧୪ ମସିହାରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ରାଜନଗରରୁ କଂଗ୍ରେସର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅଂଶୁମାନ । ତେବେ ସେ କାହିଁକି ଦଳ ଛାଡିଲେ ସେନେଇ କିଛି ପ୍ରତିକ୍ରିୟା ମିଳିପାରିନି ।
5- ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ: ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶରୀର ଗାଁକୁ ଆଣିବାକୁ ସରକାରଙ୍କୁ ଗୁହାରୀ କରୁଛନ୍ତି ପରିବାର ସହ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମଝିକିରିମ୍ବା ଗାଁରେ। ମୃତ ଦାଦନ ହେଲେ ଗଙ୍ଗା ମଳିକ।
ସୂଚନା ଅନୁସାରେ, ଗାଁରେ କାମ ନ ମିଳିବା ଯୋଗୁଁ ଚଳିତ ମାସ ୮ ତାରିଖରେ ଦାଦନ ଖଟିବାକୁ ଗୋଆ ଯାଇଥିଲେ ଗଙ୍ଗା ମଳିକ। ପରିବାରରେ ସ୍ତ୍ରୀ ସହ ଚାରୋଟି ଛୁଆ ଘରେ ରହୁଥିବା ବେଳେ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇ ପଡ଼ିଥିଲା। ଯାହା ଫଳରେ ସେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡ଼ିଲା ଗଙ୍ଗା ମଳିକଙ୍କୁ। ଗଙ୍ଗାଙ୍କ କିଭଳି ମୃତ୍ୟୁ ହେଲା ପୋଲିସର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ପରିବାର ଲୋକେ ସରକାରଙ୍କ ସାହାର୍ଯ୍ୟରେ ମୃତଦେହକୁ ଘରକୁ ଆଣିବାକୁ ନିବେଦନ କରିଛନ୍ତି।
6- ବେଦବ୍ୟାସରେ ରାଜ୍ୟପାଳ: ରାଜ୍ୟପାଳ ରଘୁବର ଦାସ ରାଉରକେଲା ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ବେଦବ୍ୟାସ ଶୈବ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କ୍ରୀଡା ଛାତ୍ରାବାସ ପରିଦର୍ଶନ ପରେ ରାଜ୍ୟପାଳ ଉଦିତନଗର ମିଶନ ଶକ୍ତି କାଫେରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ମିଶନ ଶକ୍ତିର ମହିଳାଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ।
7- ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଗଜପତି ଗ୍ରସ୍ତ: ଦିନିକିଆ ଗସ୍ତ ଅବସରରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକ ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁର ରଞ୍ଜନ କୁମାର ଦାସ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ଯୋଜନା ଗୁଡ଼ିକକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ବେଳେ ସ୍ୱଚ୍ଛତା ଅବଲମ୍ବନ ନେଇ ଗୁରୁତ୍ୱାରୋପ କରାଯାଇଛି । ଏହା ବ୍ୟତୀତ ଆଗାମୀ ସାଧାରଣ ନିର୍ବାଚନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଜିଲ୍ଲାରେ ରାଜସ୍ୱ ଆଦାୟ, ରେକର୍ଡ ରୁମ୍ ପରିଚାଳନା, ଜାଗା ମିଶନ ସମେତ ବିଭିନ୍ନ ଉନ୍ନତ ମୂଳକ ଯୋଜନା ବିଷୟରେ ସମୀକ୍ଷା କରିଛନ୍ତି ।
8- ଦ୍ୱିତୀୟ ଦିନରେ ଚାଷୀ ଆନ୍ଦୋଳନ: ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ କୃଷକମାନେ ଡେରା ପକାଇ ବସିଛନ୍ତି । ସେମାନଙ୍କର ଦାବି ପୂରଣ ନହେଲେ ସେମାନେ ହଟିବେ ନାହିଁ ବୋଲି କହିଛନ୍ତି । କେନ୍ଦ୍ର ମୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରତିକ୍ରିୟାରେ କହିଛନ୍ତି ଯେ, ଯେପରି ସାଧାରଣ ଲୋକେ ସମସ୍ୟାରେ ନପଡିବେ ସେଥିପାଇଁ କୃଷକଙ୍କୁ ଅବଗତ କରାଯାଇଛି । ତରବରିଆ ଭାବେ ନୁହେଁ ବରଂ କୃଷକ ସଂଗଠନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
9- ଗୁଜରାଟରୁ ଜେପି ନଡ୍ଡା ମହାରାଷ୍ଟ୍ରରୁ ଅଶୋକ ଚୌହାନ ଯିବେ ରାଜ୍ୟସଭା: ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡା ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବେ । ଏଥିସହ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅଶୋକ ଚୌହାନ ମହାରାଷ୍ଟ୍ରରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି । କେବଳ ସେତିକି ନୁହେଁ ମେଧାକୁଲକର୍ଣ୍ଣୀଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ।
10- ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ରାଜ୍ୟରୁ ଶୀତ ଗାଏବ ହୋଇଥିବା ବେଳେ ଘନ କୁହୁଡିର ପ୍ରକୋପ ଜାରି ରହିଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଜି ରାଜ୍ୟରେ ୮ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ପାରଦ ସ୍ବାଭାବିକ ଠାରୁ ଉପରେ ରହିଛି। ଗତ ୨୪ ଘଣ୍ଟାରେ ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସର୍ବାଧିକ ଦିନ ତାପମାତ୍ରା ଟିଟିଲାଗଡ଼, ମାଲକାନଗିରି ଓ ପାରଳାଖେମୁଣ୍ତିରେ ୩୪ ଡିଗ୍ରୀ ରେକର୍ଡ଼ ହୋଇଛି।