)
ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା
ଆଜିଠୁ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। ଆଜିଠୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ଛଡାଯିବ ପରୀକ୍ଷାର୍ଥୀଙ୍କୁ। ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପ୍ରବେଶ ଅନୁମତି ମିଳିବନାହିଁ।
ବରଗଡକୁ ଦିନିକିଆ ଗସ୍ତରେ ନବୀନ
୨୧୪୯ କୋଟି ଟଙ୍କା ବ୍ଯୟରେ ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି ନବୀନ। ଓଡିଶାର ଜଳସେଚନର ବିକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହାଦ୍ବାରା ଜିଲ୍ଲାର ଚାଷୀମାନଙ୍କର ଜମିକୁ ପାଣି ଯୋଗାଇବା ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାର ୬୦ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। ଜିଲ୍ଲାର ସୋହେଲା, ବିଜେପୁର, ବରପାଲି ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀମାନେ ଏହା ଦ୍ୱାରା ବିଶେଷ ଉପକୃତ ହେବେ । ବଡ ବଡ ଜଳସେଚନ ପ୍ରକଳ୍ପ ଠିକ୍ ସମୟରେ ଶେଷ ହେଉଛି। ଆଜି ଓଡିଶା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାରା ଦେଶକୁ ଖାଦ୍ୟ ଯୋଗାଉଛି। ଏଥିରେ ବରଗଡ ଜିଲ୍ଲାର ଚାଷୀ ଭାଇମାନଙ୍କର ବହୁତ ବଡ ଅବଦାନ ରହିଛି ବୋଲି କହିଥିଲେ ନବୀନ।
ରାଜ୍ୟରୁ ଶୀତ ଉଭାନ
ମାଘ ନ ସରୁଣୁ ରାଜ୍ୟରେ ଗାୟବ ହେଲାଣି ଶୀତ। ଉଭୟ ଦିନ ଓ ରାତ୍ରିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇଛି। ଗତକାଲି ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ବଲାଙ୍ଗୀରରେ ୩୫.୯, ବୌଦ୍ଧରେ ୩୫.୫ ଝାରସୁଗୁଡାରେ ୩୫.୪ ଓ ଭୁବନେଶ୍ୱରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି। ଏହି ସମୟରେ ଜାତୀୟ ରାଜପଥ ଗୁଡିକରେ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ କହିଛି।
କଣ୍ଟାବାଞ୍ଜି ବନ୍ଦ
ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ନଗର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ବିଭିନ୍ନ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲିଥିବାରୁ ଶିକ୍ଷାନୁଷ୍ଠାନ ଏବଂ ଗାଡି ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ହେଲେ କଣ୍ଟାବାଞ୍ଜି ସହରରେ ଦୋକାନବଜାର ବନ୍ଦ ରହିଛି।
ଆଇଜର କ୍ୟାମ୍ପସ ଲୋକାର୍ପିତ
ବ୍ରହ୍ମପୁର ସହର ଉପକଣ୍ଠ ଲଉଡି଼ ଗାଁରେ ଇଣ୍ତିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ତ ରିସର୍ଚ୍ଚର ସ୍ଥାୟୀ କ୍ୟାମ୍ପସ୍ କୋଠାକୁ ଆଜି ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେସିଂ ମାଧ୍ୟମରେ ଲୋକାର୍ପଣ କରିବେ। ଏହି ଅବସରରେ କ୍ୟାମ୍ପସ୍ ପରିସରରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଭିସି ଯୋଗ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ।
ଆଖି ବୁଜିଲେ ଅଭିନେତା ଋତୁରାଜ ସିଂହ
ଟେଲିଭିଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତା ଋତୁରାଜ ସିଂହ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ଛୋଟ ପରଦାଠୁ ଆରମ୍ଭ କରି ଫିଲ୍ମ ଓ ୱେବ ସିରିଜରେ ନିଜ ଛାପ ଛାଡ଼ିଥିବା ଋତୁରାଜଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବି- ଟାଉନ୍ରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଫ୍ୟାନ୍ସଙ୍କୁ ଏହା ଗଭୀର ଧକ୍କା ଦେଇଛି। ଅଭିନେତା ଅମିତ ବହଲ କହିଛନ୍ତି, ଗତ ରାତି ପ୍ରାୟ ସାଢେ ୧୨ଟାରେ ହୃଦଘାତରେ ଋତୁରାଜଙ୍କ ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ହେଲା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ଘରକୁ ଫେରିବା ପରେ ସୋମବାର ମଧ୍ୟ ରାତ୍ରିରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।
ପାରିତ ହେଲା ମରାଠା ସଂରକ୍ଷଣ ବିଲ
ମରାଠା ସଂରକ୍ଷଣ ବିଲକୁ ମହାରାଷ୍ଟ୍ର ବିଧାନସଭା ଅନୁମୋଦନ କରିଛି। ଏହି ବିଲରେ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମରାଠା ସମ୍ପ୍ରଦାୟକୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଏହା ଓବିସି ସମ୍ପ୍ରଦାୟ ହେଉ କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟ, ଆମେ କାହାକୁ ସଂରକ୍ଷଣ ନକରି ମରାଠା ସମ୍ପ୍ରଦାୟ ପାଇଁ ଶିକ୍ଷାଗତ ତଥା ଚାକିରି ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ।
୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରଛାଡ଼ ନିଷ୍ପତ୍ତି
ଏକ କୋଟିରୁ ଅଧିକ ଟିକସଦାତାଙ୍କ ପାଇଁ ବହୁତ ଆଶ୍ୱସ୍ତିକର ଖବର ରହିଛି ଯେଉଁମାନଙ୍କ ଉପରେ ଆୟକର ବିଭାଗ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଦାବି କରି ନୋଟିସ୍ ପଠାଇଛି। କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ବା ସିବିଡିଟି ଫେବୃଆରୀ ୧୩, ୨୦୨୪ରେ ଜାରି କରାଯାଇଥିବା ଆଦେଶରେ କହିଛି ଯେ ଆୟକର ବିଭାଗ ଜାନୁଆରୀ ୩୧, ୨୦୨୪ ପର୍ଯ୍ୟନ୍ତ ପୁରୁଣା ବକେୟା ଟିକସ ଦାବି ଚାହିଦା ଛାଡ କରିବା ଆରମ୍ଭ କରି ଦେଇଛି। ସିବିଡିଟି ଏହାର ଆଦେଶରେ କହିଛି ଯେ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସଦାତାଙ୍କ ଟିକସ ଚାହିଦା ଛାଡ କରାଯିବ।
ମାନିହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ
ମାନିହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍। କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇଥିବାରୁ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଆଜି ଉତ୍ତରପ୍ରଦେଶ ସୁଲତାନପୁର ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧୀ। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତ ୨୦୧୮ ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ଦାୟର କରିଥିଲେ। ବେଙ୍ଗାଳୁରୁରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। କୋର୍ଟ ହାଜିରା କାରଣରୁ ଉତ୍ତରପ୍ରଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ସାମୟିକ ଭାବେ ବନ୍ଦ ରହିଥିଲା। କୋର୍ଟ ହାଜିରା ପରେ ଆମେଥିର ଫୁରସତଗଞ୍ଜରୁ ପୁଣି ଯାତ୍ରା ଆରମ୍ଭ ହେବ।
କଂଗ୍ରେସ ଛାଡ଼ିଲା ସପା
ଲୋକସଭା ନିର୍ବାଚନକୁ ନେଇ ଛିଣ୍ଡିଲାନି ଆସନ ଅଙ୍କ। ସିଟ୍ ସେୟାରିଂକୁ ନେଇ ଗତକାଲି ରାତିରୁ ଚାଲିଥିବା ଆଲୋଚନା ଶେଷରେ ବିଫଳ ହୋଇଛି। କଂଗ୍ରେସ ଠାରୁ ଖପ୍ପା ହୋଇଯାଇଛି ସମାଜବାଦୀ ପାର୍ଟି। କଂଗ୍ରେସକୁ ବାଏ ବାଏ କହିଛି ସପା। ଫଳରେ ଉତ୍ତରପ୍ରଦେଶରେ ମଧ୍ୟ ଇଣ୍ଡି ଆଲାଏନ୍ସକୁ ଲାଗିଛି ଶକ୍ତ ଝଟ୍କା। ଉତ୍ତରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସପି) ମଧ୍ୟ ଇଣ୍ଡିଆ ମେଣ୍ଟଠାରୁ ନିଜକୁ ଦୂରେଇ ଦେଇଛି। ସୂଚନାନୁସାରେ, ଲୋକସଭା ନିର୍ବାଚନ ପାଇଁ ଏସପି ଏବଂ କଂଗ୍ରେସ ମଧ୍ୟରେ ଆଉ କୌଣସି ମେଣ୍ଟ ହେବ ନାହିଁ। ଉଭୟ ଦଳ ଏକାକି ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି। ସୂତ୍ର ଅନୁଯାୟୀ କଂଗ୍ରେସ ସହ ଆସନ ଭାଗବଣ୍ଟାକୁ ନେଇ ସମାଜବାଦୀ ପାର୍ଟିର ଚାଲିଥିବା ଆଲୋଚନା ବିଫଳ ହୋଇଛି। ଆଲୋଚନା ବିଫଳ ହେବାର ମୁଖ୍ୟ କାରଣ ତିନୋଟି ଲୋକସଭା ଆସନ ରହିଛି।