)
Pradeep Panigrahy Joined BJP: ବିଜେପିରେ ଯୋଗ ଦେଲେ ପ୍ରଦୀପ:
ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଦଳରେ ସାମିଲ୍ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ପାର୍ଟିରେ ସାମିଲ୍ ହୋଇଥିବା କହିଛନ୍ତି। ଏକଦା ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ହିଞ୍ଜିଳିରେ କାର୍ଯ୍ୟ କରୁଥିଲେ। ଜଣେ କ୍ଷମତାପନ୍ନ ନେତା ଭାବେ ସେ ପରିଚିତ ହୋଇଥିଲେ। ୨୦୧୯ ମସିହାରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। କିନ୍ତୁ ହଠାତ୍ ତାଙ୍କ ବିରୁଦ୍ଧରେ ଦଳୀୟ ଶୃଙ୍ଖଳା ଉଲ୍ଲଂଘନ ଅଭିଯୋଗ ଆସିଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସି ସେ ମଧ୍ୟ ଜେଲ ଦଣ୍ଡ ଭୋଗିଥିଲେ। ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏବେ ସେ ଜାମିନରେ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ଫାଇଭ୍ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଉଗାରିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି।
Lamba Criticises Naveen: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଲାମ୍ବା
ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଜାତୀୟ କଂଗ୍ରେସ ମହିଳା ନେତ୍ରୀ ଅଳକା ଲାମ୍ବା। ଗଲା ୨୫ ବର୍ଷ ଭିତରେ ରାଜ୍ୟରେ ମହିଳାଙ୍କ ସ୍ଥିତି ଦୁର୍ବଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରଠାରେ କଂଗ୍ରେସ ମହିଳା ନେତ୍ରୀଙ୍କୁ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି। ଓଡ଼ିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ମହିଳାମାନଙ୍କୁ ଲୁଟୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
Servitor Arrested in Bhubaneswar: ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ସେବାୟତ ଗିରଫ
ଜଣେ ବିଦେଶିନୀ ପର୍ଯ୍ୟଟକଙ୍କୁ ଅସଦାଚାରଣ କରିବା ଅଭିଯୋଗରେ ଲିଙ୍ଗରାଜ ମନ୍ଦିର ସେବକ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ ଏହି ଯୁବତୀ ଜଣଙ୍କୁ କୁଣ୍ଡୁ ମହାପାତ୍ର ମନ୍ଦିର ବୁଲାଇବା କଥା କହି ସାଙ୍ଗରେ ନେଇ ଆସିଥିଲେ। ସ୍ଥାନୀୟ ଏକ ମନ୍ଦିର ଭିତରେ କେହି ନଥିବା ବେଳେ ତାଙ୍କୁ ଅସଦାଚାରଣ କରିଥିଲା। ଏନେଇ ସମ୍ପୃକ୍ତ ମହିଳା ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି।
Sunstroke alert: ଅଂଶୁଘାତ ସମ୍ଭାବନା
ଗ୍ରୀଷ୍ମ ବଢ଼ିବା କାରଣରୁ ପ୍ରତି ହସ୍ପିଟାଲ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱଥନ୍ତ୍ର ଅଂଶୁଘାତ ଚିକିତ୍ସା ଲାଗି ବ୍ୟବସ୍ଥା କରିବା ତଥା ଔଷଧ ସହ ପରିସ୍ଥିତିପ୍ରତି ସଜାଗ ରହିବାକୁ ପ୍ରତି ହସ୍ପିଟାଲ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ୱସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ବରିଷ୍ଠ ନାଗରିକ ଏବଂ ମଦ୍ୟପଙ୍କୁ ଏଥିପ୍ରତି ସତର୍କ କରାଯାଇଛି।
Naveen Lifts 48018 Cases on Tribals: ଜନଜାତିଙ୍କ ଉପରୁ ହଟିବ ଛୋଟମୋଟ ମାମଲା
ଜନଜାତିଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମାକୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ ହେବ। ଏହି ମାମଲା ଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧିନରେ ୩୬୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲା ରହିଛି। ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଚାପ ହ୍ରାସ ପାଇବେବାଲି ସରକାର ଆଶା କରିଛନ୍ତି।
Laccmi Bus service: ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା
ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ବାଲେଶ୍ୱରର ୩୧୫ଟି ପଞ୍ଚାୟତରେ ୪୮ଟି ବସ୍ ଚଳାଚଳ କରିବ। ସେଥିରେ ୨୦ଲକ୍ଷ ୪୨ ହଜାର ଲୋକ ଉପକୃତ ହେବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। ସେହିପରି ନୂଆପଡାର ୧୨୩ଟି ପଞ୍ଚାୟତରେ ୨୫ଟି ବସ୍ ଚଳାଚଳ ଦ୍ୱାରା ୫ ଲକ୍ଷ ୭୪ ହଜାର, ବୌଦ୍ଧର ୫୫ଟି ପଞ୍ଚାୟତରେ ୧୦ଟି ବସ୍ ଦ୍ୱାରା ୩ ଲକ୍ଷ ୫୩ ହଜାର, ଗଞ୍ଜାମର ୪୩୩ଟି ପଞ୍ଚାୟତରେ ୧୩୦ଟି ବସ୍ ଦ୍ୱାରା ୩୪ ଲକ୍ଷ ୪୭ ହଜାର ଲୋକ ଏବଂ ଜଗତସିଂହପୁରର ୧୩୧ଟି ପଞ୍ଚାୟତରେ ୪୨ଟି ବସ୍ ଚଳାଚଳ ଦ୍ୱାରା ୭ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ। ଏହି ସେବା ଗ୍ରାମାଞ୍ଚଳରେ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ସହିତ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Mother language day: ଆଜି ବିଶ୍ୱ ମାତୃଭାଷା ଦିବସ
ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ। ଜାତିସଂଘ ଦ୍ୱାରା ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶେଷକରି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମାତୃଭାଷାର ସୁରକ୍ଷା ଏହି ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଏହି ଉତ୍ସବ ପାଳନର ଶୀର୍ଷକ ରହିଛି ‘ସମନ୍ୱିତ ଅଧ୍ୟନରେ ବହୁଭାଷୀ ଶିକ୍ଷା ହେଉଛି ମୂଳଖୁଣ୍ଟି’।
No Darshan in Jagannath Temple for 3 hours today: ବନକଲାଗି ନୀତି ପାଇଁ ମନ୍ଦିର ବନ୍ଦ
ବନକଲାଗି ନୀତି ଯୋଗୁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ଲାଗି ଦର୍ଶନ ବନ୍ଦ ରହିବ। ମାଘ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ନୀତି ସମ୍ପନ୍ନ ହେବ। ସନ୍ଧ୍ୟା ୬ଟାରୁ ୯ଟା ଯାଏ ଏହି ନୀତି ଅନୁସାରେ ବନକ ଲାଗି କରାଯିବାକୁ ଥିବାରୁ ଏହି ସମୟରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯିବ ନାହିଁ ବୋଲି ଶ୍ରୀମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।
Nijukti Parva: ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେଲେ ନବୀନ
ମୁଖ୍ୟମନ୍ତ୍ରୀ ଆଜି ନିଯୁକ୍ତି ପର୍ବରେ ୨୬୧ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିଲାଗି ସଚିବାଳୟ ସମ୍ମିଳନୀ କକ୍ଷରେ ଏକ ଉତ୍ସବ ଆୟୋଜନ କରାଯାଇଛି। ଏଥିରେ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟର ୧୮୩ଜଣ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୧ଜଣ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ୫୮ଜଣ ଏବଂ କାରଖାନା ଓ ବାଷ୍ପ ନିର୍ଦ୍ଦେଶାଳୟରେ ୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ସ୍ଥିର ହୋଇଛି।
President to attend Convocation Day: ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି
ଆସନ୍ତା ୨୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ଏଥିଲାଗି ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହେବା ସହ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସ୍ୱିକୃତୀ ମିଳିଥିବା ବିଶ୍ୱବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ସନ୍ଧ୍ୟା ସଢ଼େ ପାଞ୍ଚଟାରେ ଏହି ଉତ୍ସବ ଅନୁଷ୍ଠିତ ହେବ।