ଚୁଟକୀରେ ପଢନ୍ତୁ ପୂରା ରିପୋର୍ଟ
Trending Photos
)
ଆଜିଠାରୁ ବଜେଟ ଅଧିବେଶନ ଆରମ୍ଭ
ଆଜିଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ଅଧିବେଶନ। ଏହାପରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇ ନୂଆ ବିଧାନସଭା ଗଠନ ଲାଗି ନିର୍ବାଚନ ହେବ। ଏହି ଅବସରରେ ପରମ୍ପରା ଓ ପ୍ରଥା ଅନୁସାରେ ରାଜ୍ୟପାଳ ଆଜି ଅଭିଭାଷଣ ରଖିଛନ୍ତି। ରାଜ୍ୟ ସରକାରଙ୍କ ସଫଳତା ମଧ୍ୟ କହିଛନ୍ତି ରାଜ୍ୟପାଳ। ଆସନ୍ତା ୮ ତାରିଖ ଦିନ ଉପସ୍ଥାପନ ହେବ କାମଚଳା ବଜେଟ। ଏଥର ବି ଦୁଇଟି ଭାଗରେ ବଜେଟ୍ ଉପସ୍ଥାପନ ହେବ। ଗୋଟିଏ ସାଧାରଣ ବଜେଟ୍ ଏବଂ ଅନ୍ୟଟି କୃଷି ବଜେଟ୍।
ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କଲେ ରାଜ୍ୟପାଳ
ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ। ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରି ରାଜ୍ୟପାଳ କହିଛନ୍ତି, ୮ ଶହ କୋଟିରେ ପରିକ୍ରମା ପ୍ରକଳ୍ପ ହୋଇଛି, ଏହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ। ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି।
ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କଂଗ୍ରେସର କକ୍ଷତ୍ୟାଗ
ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟପାଳଙ୍କ ଅଭିଭାଷଣର ପ୍ରତିବାଦ ଜଣାଇଛନ୍ତି। ନରସିଂହ କହିଛନ୍ତି, ପୂର୍ବରୁ ରାଜା ମହାରାଜାମାନେ ପ୍ରଶଂସା ଶୁଣିବା ପାଇଁ ପାଟ ନିଯୁକ୍ତି କରୁଥିଲେ। ସେପରି ଆଜିର ଦିନରେ ଓଡ଼ିଶା ସରକାର ରାଜ୍ୟପାଳଙ୍କୁ ସେପରି ବ୍ୟବହାର କରୁଛି। ଏହା ଦୁଃଖ ଦାୟକ। ଆମେ ଏହାକୁ ପ୍ରତିବାଦ କରି କକ୍ଷ ତ୍ୟାଗ କରିଥିଲୁ। ତେବେ ଏନେଇ ଶାସକ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।
ଆସ୍ଥା ଭୋଟ୍ ଜିତିଲେ ଚମ୍ପାଇ ସୋରେନ
ଫେବୃଆରୀ ୫ ତାରିଖ ସୋମବାର ଝାଡ଼ଖଣ୍ଡ ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛି ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ନେତୃତ୍ୱାଧିନ ସରକାର। ଜେଏମଏମ ନେତୃତ୍ୱାଧିନ ମହାମେଣ୍ଟ ସରକାରକୁ ୪୭ ବିଧାୟକଙ୍କ ସମର୍ଥନ ମିଳିଥିଲା। ମୋଟ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ ଲାଗି ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜେଏମଏମ ନେତୃତ୍ୱାଧିନ ମହାମେଣ୍ଟ ସରକାରକୁ ଆବଶ୍ୟକୀୟ ବହୁମତ ଠାରୁ ଅଧିକ ୬ ଭୋଟ ମିଳିଥିଲା। ଅନ୍ୟପଟେ ମହାମେଣ୍ଟ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ୨୯ ଭୋଟ ମିଳିଥିଲା।
ପଦ୍ମପାଖୁଡ଼ାରେ ଫାଟ, ଖସୁଛି ପଥର
ମନ୍ଦିର ଉତ୍ତରଦ୍ୱାର ଗୁମୁଟର ତଳଭାଗରେ ଫାଟ। ପଦ୍ମପାଖୁଡାରେ ଏକ ବିରାଟ ଫାଟ ସୃଷ୍ଟି ହୋଇ ଏହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି। ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଖୋଦିତ ହୋଇଛି ସେହି ଭାସ୍କର୍ଯ୍ୟରୁ ଫଥର ଖସି ତଳେ ପଡିଛି। ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି। ଫାଟକୁ ତୁରନ୍ତ ମରାମତି ପାଇଁ ଦାବି ହୋଇଛି।
JNUରେ ଖୋଲିବ ବିଜୁ ପଟ୍ଟନାୟକ ସେଣ୍ଟର
ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ କରାଯିବ। ଏହାକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯିବ। ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ ଅଧ୍ୟୟନ ସହ ଓଡ଼ିଆ ଭାଷାରେ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ଏଠାରେ ପଢ଼ାଯିବ। ବିଜୁ ପଟ୍ଟନାୟକଙ୍କ ନାମରେ ମଧ୍ୟ ଅଧ୍ୟନ ଲାଗି ବାଟ ଖୋଲିବ। ପୂର୍ବରୁ ଏଠାରେ ଶାରଳା ଚେୟାର ସ୍ଥାପନ କରାଯାଇଛି।
ବିଶାକ୍ତ ଖାଦ୍ୟ ଖାଇ ଜଣେ ମୃତ
ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ହରିଶ୍ଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲରେ ବିଷାକ୍ତ ଖାଦ୍ୟ କିମ୍ବା ନକଲି ଔଷଧ ଖଇବାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ୬ ଜଣ ଛାତ୍ରୀଙ୍କ ଛାତିରେ ଯନ୍ତ୍ରଣା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଛାତ୍ରୀଙ୍କ ବାପା-ମା ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।
'ଗ୍ରାମୀ'ରେ ଚମକିଲା ଭାରତ
ବିଶ୍ୱର ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନୀ 'ଗ୍ରାମୀ'ରେ ଚମକିଲା ଭାରତ। ୬୬ତମ ଗ୍ରାମୀ ଆୱାର୍ଡରେ ଶଙ୍କର ମହାଦେବନ୍ ଏବଂ ଜାକିର ହୁସେନଙ୍କ ଫ୍ୟୁଜନ ବ୍ୟାଣ୍ଡ୍ 'ଶକ୍ତି'କୁ ମିଳିଛି ପୁରସ୍କାର। ବେଷ୍ଟ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ଆୱାର୍ଡାରେ ପୁରସ୍କୃତ ହୋଇଛି 'ଶକ୍ତି' ବ୍ୟାଣ୍ଡ। ଏହି ବ୍ୟାଣ୍ଡର ଲାଟେଷ୍ଟ ଆଲବମ୍ 'ଦିସ୍ ମୋମେଣ୍ଟ' ପାଇଁ ଗ୍ରେମୀ ଆୱାର୍ଡ ମିଳିଛି। ଶକ୍ତି ବ୍ୟାଣ୍ଡ ଜନ୍ ମ୍ୟାକ୍ ଲୋଗଲିନ୍, ଜାକିର ହୁସେନ୍, ଶଙ୍କର ମହାଦେବନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜାଗୋପାଲାନଙ୍କ ସହଯୋଗରେ ପ୍ରସ୍ତୁତ ହୋଇଥିଲା। ଦୀର୍ଘ ୪୫ ବର୍ଷ ପରେ ଶକ୍ତି ବ୍ୟାଣ୍ଡ ନିଜର ପ୍ରଥମ ଆଲବମ୍ ରିଲିଜ୍ କରିଥିଲା। ଆଉ ଶେଷରେ ବିଶ୍ୱର ଏହି ସର୍ବଶ୍ରେଷ୍ଠ ମ୍ୟୁଜିକ୍ ଆୱାର୍ଡରେ ସମ୍ମାନିତ ହୋଇଛି।
ସଞ୍ଜୟ ସିଂହଙ୍କୁ ଝଟ୍କା
ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହଙ୍କୁ ପୁଣି ଝଟ୍କା। ସେ ଆଜି ରାଜ୍ୟସଭା ସାଂସଦ ଭାବେ ନେଇପାରିଲେନି ଶପଥ। ତାଙ୍କ ଶପଥ ଗ୍ରହଣ ଉପରେ ରୋକ ଲଗାଇଲେ ରାଜ୍ୟସଭା ବାଚସ୍ପତି ଜଗଦୀପ ଧନଖଡ। ପ୍ରକୃତରେ ଆଜି ତଥା ଫେବ୍ରୁଆରୀ ୫ ତାରିଖରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ପାଇଁ ସଞ୍ଜୟ ସିଂହ କୋର୍ଟରୁ ଅନୁମତି ଆଣିଥିଲେ। ସେ ଆଜି ଶପଥ ନେବା ପାଇଁ ରାଜ୍ୟସଭା ଯାଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ବାଚସ୍ପତି ଜଗଦୀପ ଧନଖଡ଼ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ତାଙ୍କୁ ସାଂସଦ ଭାବେ ଶପଥ ନେବା ପାଇଁ ଅନୁମତି ଦେଇ ନାହାନ୍ତି।
ଦ୍ୱିତୀୟ ଟେଷ୍ଟ ଜିତିଲା ଭାରତ
ବିଶାଖାପାଟଣାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଶାଳ ବିଜୟ ହାସଲ କରିନେଇଛି। ଭାରତର ବୃହତ ବିଜୟ। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଟିମ୍ ଇଣ୍ଡିଆ। ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍ ଆଉଟ୍ ହୋଇଗଲା ଇଂଲଣ୍ଡ। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଚଳିତ ଟେଷ୍ଟ ସିରିଜ୍ରେ ସ୍ଥିତି ବରାବର କରିଛି ଭାରତ। କାରଣ ପ୍ରଥମ ଟେଷ୍ଟ ଇଂଲଣ୍ଡ ଜିତିଥିଲା। ପ୍ରଥମ ଇନିଂସରେ ୧୪୩ ରନ୍ର ଲିଡ୍ ପାଇଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ତା’ ଭିତରେ ଥିଲା ଶୁବମନ ଗିଲ୍ଙ୍କ ଶତକ। ସେ ୧୦୪ ରନ୍ କରିଥିଲେ। ଇଂଲଣ୍ଡ ୩୯୯ ରନ୍ର ବିଜୟ ଲକ୍ଷ୍ୟ ପାଇଥିବା ବେଳେ ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଓପନର ଜ୍ୟାକ୍ କ୍ରାଉଲୀ ସର୍ବାଧିକ ୭୩ ରନ୍ କରିଥିଲେ।