)
Top 10 News Today
Headlines 01- ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ ପୂର୍ବ ଅଧିବେଶନ ଭଳି ବିରୋଧୀଙ୍କ ବାଧା ଜାରି ରହିଛି। ପ୍ରଶ୍ନକାଳ ଚାଲିଥିବା ବେଳେ ବିରୋଧୀ ଦଳ ପକ୍ଷରୁ ଗୃହର ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ ହେତୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାତ୍ର ୪ ମିନିଟ ସମୟ ପରେ ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି। ଆଜି ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ପ୍ରବେଶ କରିଥିଲେ। ଗୃହର ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖି ଚାଷୀଙ୍କ ସାର ସମସ୍ୟା ବିଷୟକୁ ଆଲୋଚନା କରିବାକୁ ବିଜେଡି ନେତାମାନେ ଦାବି କରିଥିଲେ। ଅପରପକ୍ଷେ ଏ ବିଷୟରେ କଂଗ୍ରେସ ପକ୍ଷରୁ ପୂର୍ବରୁ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ଏଣୁ ଏହି ବିଷୟକୁ ମୁଲତବୀ ନୋଟିସରେ ଅଣାଯାଇ ଥିବାରୁ ସେ ସମୟରେ ଆଲୋଚନା କରିବାକୁ ଶାସକ ଦଳର ବିଧାୟକମାନେ କହିଥିଲେ।
Headlines 02- ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ ରେଡ୍ ଫ୍ଲାଗ୍ ହୋଇଛି । ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଓ ଶୁଭମିତ୍ରା ମର୍ଡର କେସ୍ ରେଡ୍ ଫ୍ଲାଗ୍ । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯିବ । କମିଶନରେଟ୍ ପୋଲିସକୁ କ୍ରାଇମବ୍ରାଞ୍ଚ ତଦନ୍ତରେ ସହାୟତା କରିବ ବୋଲି ସୂଚନା ମିଳିଛି । CAW ଆଣ୍ଡ CW ଦୁଇଟି ଯାକ କେସକୁ ମନିଟର୍ କରିବ । କ୍ୟାପିଟାଲ୍ ଓ ଖୁଣ୍ଟୁଣୀ ପୋଲିସ୍ ତଥ୍ୟ ଆଧାରରେ ଖୋଳତାଡ଼ କରାଯିବ । ଏବେ ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ପାଇଁ ବର୍ତ୍ତମାନ ଅଡୁଆ ବଢିଛି ।
Headlines 03- ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ୍ ମର୍ଡର ମାମଲା । ଜବାବ ଦାଖଲ ପାଇଁ ପୁଣି ସମୟ ନେଇଛନ୍ତି ପ୍ରତାପ ଜେନା । ୪ ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଆଉ ୨ ସପ୍ତାହରେ ପ୍ରତିଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ମହଲତ । ୨ ମାସ ପରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି । ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ଆବେଦନ ହୋଇଛି । ମୃତ କୁଳମଣି ବରାଳଙ୍କ ପୁଅ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
Headlines 04- ରାଜ୍ୟରେ ଖାଲିପଡ଼ିଛି ୧୦୫ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ । ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମୟୂରଭଞ୍ଜରେ ସର୍ବାଧିକ ୯ଟି ପଦବୀ ଖାଲି ପଡ଼ିଥିବା ସମୟରେ ରାଜ୍ୟର ବିଭିନ୍ନ ସ୍କୁଲ୍ରେ ଗୃହ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
Headlines 05- ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ୧୯ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି । ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଲିଖିତ ଉତ୍ତର ରଖିଛନ୍ତି । ମାମଲା ଗୁଡିକରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ୬ ଜଣଙ୍କୁ ଯୌନ ନିର୍ଯାତନା ଓ ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ଉଲ୍ଲେଖ ରହିଛି । ୨ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରାଯାଇଥିବା ମନ୍ତ୍ରୀ ଉତ୍ତର ଦେଇଛନ୍ତି ।
Headlines 06- ବିଜୁ ଜନତା ଦଳର ପୂର୍ବ ରେକର୍ଡ ସାମ୍ନାକୁ ଆଣିଛି ଭାରତୀୟ ଜନତା ପାର୍ଟି । ବିଜୁ ଯୁବ ବାହିନୀ ପାଇଁ ୨ ବର୍ଷରେ ୧୮୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଧାୟକ ବାବୁ ସିଂଙ୍କ ପ୍ରଶ୍ନରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି । '୨୦୧୮ରୁ ୨୦୨୦ ମଧ୍ୟରେ ୧୮୩ କୋଟି ୬୭ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ' ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ବ୍ୟୟବରାଦ ନକରି ଯୋଜନା ବନ୍ଦ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ନୂଆ ଓ କାର୍ଯ୍ୟକ୍ରମରେ ପୂର୍ବ ସରକାର ୨୬୧ କୋଟି ୬୩ ଲକ୍ଷ ୨୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
Headlines 07- ଗାଦି ମାଡ଼ି ବସିଥିବା ରାଜସ୍ୱ ଅଧିକାରୀଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ବିଭାଗ ଅତିରିକ୍ତ ସଚିବ । ଏଥିସହ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବଦଳି ନିୟମ ପାଳନ ହେଉନଥିବାରୁ ରାଜସ୍ୱ ବିଭାଗ ଉଦ୍ବେଗ ପ୍ରକାଶ କରିଛି । ୩ ବର୍ଷ ପରେ ବଦଳି ପାଇଁ ନିୟମ ଥିଲେ ବି ତାହା ସଠିକ୍ ଭାବେ ପାଳନ ହେଉନାହିଁ । ଅନେକ କର୍ମଚାରୀ ସମାନ କାର୍ଯ୍ୟାଳୟ ଓ ସମାନ ପୋଷ୍ଟରେ କାମ କରୁଛନ୍ତି ଯେଉଁଥିପାଇଁ ଦୁର୍ନୀତି ଓ ସରକାରୀ କାର୍ଯ୍ୟରେ ଅବହେଳା ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି ।
Headlines 08- ବିଜେଡି ବିରୋଧରେ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ମନ୍ମଥ ରାଉତରାୟ । ସେ କହିଛନ୍ତି ଯେ, ବିଜେଡି ବିରୋଧରେ ଷଡ଼ଯନ୍ତ୍ର ହେଉଛି ଏବଂ ଶ୍ରୀମୟୀଙ୍କୁ ମୋହରା କରାଯାଇଛି । ଶ୍ରୀମୟୀଙ୍କ ପଛରେ କିଛି ଦୋମୁହାଁ ସାପ ଅଛନ୍ତି ବୋଲି ରୋକଠୋକ କହିଛନ୍ତି ମନ୍ମଥ । ସେ ଏକଥା ମଧ୍ୟ କହିଛନ୍ତି ଯେ, କିଛି ଗଣମାଧ୍ୟମକୁ ଧରି ବିଜେଡି ଭାଙ୍ଗିବାକୁ ଚକ୍ରବ୍ୟୁହ ରଚାଯାଇଛି ଏବଂ ନବୀନ ମେଡିକାଲରେ ଥିବାବେଳେ ସ୍ପାଏ କ୍ୟାମେରା ନେଇ କିଛି ଲୋକ ପଶିଥିବା ସେ କହିଛନ୍ତି । ଦୋମୁହାଁଙ୍କୁ ଚିହ୍ନଟ ପାଇଁ ୩ ଥର ବୈଠକ ବସିଛି ଏବଂ ଠିକ୍ ସମୟରେ ଆକ୍ସନ ହେବ ବୋଲି ମନ୍ମଥ କହିଛନ୍ତି ।
Headlines 09- ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ରାୟଗଡ଼ା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତରଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ଭିଜିଲାନ୍ସ ଅଧିକାରୀ ଅନ୍ତର୍ଯ୍ୟାମୀଙ୍କ ୯ଟି ସ୍ଥାନରେ ଚଢାଉ କରିଥିବା ନେଇ ସୂଚନା ରହିଛି। ବିଭିନ୍ନ ତଥ୍ୟ ସଂଗ୍ରହ ପରେ ଶୁକ୍ରବାର ସକାଳୁ ସକାଳୁ ଚଢ଼ାଉ ଆରମ୍ଭ କରିଛି। ୭ DSP, ୭ ଇନ୍ସପେକ୍ଟର୍ ଓ ୯ ଜଣ ASI ଚଢାଉରେ ସାମିଲ ରହିଛନ୍ତି।
Headlines 10- ୨୫ରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ନୂଆ ଲଘୁଚାପ କ୍ଷେତ୍ର ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଇଛି । ୨୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ସମ୍ୱଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡା ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୩ରୁ ୨୪ ତାରିଖ ମଧ୍ୟରେ ବର୍ଷା ଏବଂ ବିଜୁଳି ଘଡଘଡି ନେଇ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ