)
Top 10 News Today
Headlines 01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବନଗର ଗସ୍ତ ଅବସରରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ମୋଦୀ କହିଥିଲେ ଯେ, ହ୍ରାସ ପାଇଥିବା GST ହାର ଏହି ଉତ୍ସବର ମହତ୍ୱକୁ ଆହୁରି ବୃଦ୍ଧି କରିଛି। ଏହି ଉତ୍ସବର ପରିବେଶ ମଧ୍ୟରେ ଆମେ ସମୁଦ୍ରରୁ ସମୃଦ୍ଧିର ମହାନ ଉତ୍ସବ ପାଳନ କରୁଛୁ। ମୋଦୀ କହିଥିଲେ ଯେ, ଭାରତର ବନ୍ଦରଗୁଡ଼ିକ ଏକ ବିଶ୍ୱ ସାମୁଦ୍ରିକ ଶକ୍ତି ଭାବରେ ଦେଶର ଉତ୍ଥାନର ମେରୁଦଣ୍ଡ। ଏହା ଚିପ୍ସ ହେଉ କିମ୍ବା ଜାହାଜ, ଆମକୁ ସେଗୁଡ଼ିକୁ ଅନ୍ୟ ଦେଶ ନୁହେଁ ବରଂ ଆମ ଦେଶରେ ନିର୍ମାଣ କରିବାକୁ ପଡିବ। ଭାରତ ବିଶ୍ୱବ୍ୟାପୀ ସାମଗ୍ରୀ ପଠାଇବା ପାଇଁ ବିଦେଶୀ କମ୍ପାନୀଗୁଡ଼ିକୁ ବାର୍ଷିକ ୬ ଲକ୍ଷ କୋଟି ଟଙ୍କା ଦେଉଛି । ଏହି ବଜେଟ୍ ଆମର ପ୍ରତିରକ୍ଷା ବଜେଟ୍ ସହିତ ପ୍ରାୟ ସମାନ।
Headlines 02- ବିଜୁ ଜନତା ଦଳ ଲାଗି ଆଜି ପୁଣିଥରେ ରାଜ୍ୟ ବିଧାନସଭା ଅଚଳ ହୋଇଛି। ଲଗାତାର ତୃତୀୟ ଦିନରେ ଆଜି ଗୃହରେ ବାଧା ଦେଖିବାକୁ ମିଳିଛି। କେବଳ ଶୋକ ପ୍ରସ୍ତାବ ବ୍ୟତୀତ ଆଜି କୌଣସି ଆଲୋଚନା ପ୍ରଥମାର୍ଦ୍ଧରେ ହୋଇପାରି ନାହିଁ। ବାଚସ୍ପତି ଗୃହ କାର୍ଯ୍ୟକୁ ୪ଟା ଯାଏ ମୁଲତବୀ କରିଛନ୍ତି। ଆଜି ତୃତୀୟ ଦିନରେ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ଦିବଂଗତ ବିଧାୟକ ଜର୍ଜ ତିର୍କୀଙ୍କ ସ୍ମୃତିଚାରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଣିବା ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ବାଚସ୍ପତି ଏହି ପ୍ରସ୍ତାବକୁ ଗ୍ରହଣ କରି ଜର୍ଜଙ୍କ ପରିବାର ବର୍ଗଙ୍କୁ ବିଧାନସଭା ପକ୍ଷରୁ ସାନ୍ୱନା ପ୍ରଦାନ କରିଥିଲେ।
Headlines 03- କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ବିଜେପି ଓ ବିଜେଡି ଷଡଯନ୍ତ୍ର କରି ଉଦ୍ଦେଶ୍ୟ ମୂଳକ ଭାବେ ବିଧାନସଭା କାର୍ଯ୍ୟରେ ବାଧା ଦେବା ସହ ବନ୍ଦ କରୁଛନ୍ତି । ସେପଟେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ସେ ଯେହେତୁ ବିଧାନସଭା ଆସୁନାହାନ୍ତି ସେଥିପାଇଁ ବିଜେଡ଼ି ଗୃହକୁ ଅଚଳ କରୁଛି । କିନ୍ତୁ ଆମେ ସବୁ ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛୁ ବୋଲି ଜୟନାରାୟଣ କହିଛନ୍ତି ।
Headlines 04- ସେପ୍ଟେମ୍ୱର ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉଥିବା ଅଭିଯୋଗରେ ଏହି ଘେରାଉ କରାଯିବ । ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଦେବୀ ମିଶ୍ର, ଅରୁଣ ସାହୁ ଏବଂ ପ୍ରମିଳା ମଲ୍ଲିକ । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ୱାର୍ଡମେମ୍ବର ଏହି ଘେରାଉରେ ସାମିଲ ହେବେ ବୋଲି ସୂଚନା ମିଳିଛି ।
Headlines 05- ସରୋଜ ବେହେରା ହେଲେ BSEର ନୂଆ ସମ୍ପାଦକ । ପୂର୍ବରୁ ST ଏବଂ SC ବିଭାଗ ଯୁଗ୍ମ ସଚିବ ରହି ନିଜ ଦାୟିତ୍ୱକୁ ସଠିକ୍ ଭାବେ ପାଳନ କରିଛନ୍ତି । ସମ୍ପାଦକ ଦାୟିତ୍ବରେ ଥିବା ସୋନିଆ ମିଶ୍ରଙ୍କୁ ଅବକାରୀ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।
Headlines 06- ରାଜ୍ୟରେ ଦିନକୁ ଦିନ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ପ୍ରାୟ ୨୦ ଲକ୍ଷ ମାମଲା ବିଭିନ୍ନ ଜିଲ୍ଲା କୋର୍ଟରେ ପଡ଼ି ରହିଛି। ପୁଣି ପ୍ରତି ଦିନ ମାମଲା ଦାୟର ସଂଖ୍ୟା ବଢ଼ୁଥିବାରୁ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ। କୋର୍ଟରେ ଦୀର୍ଘଦିନ ବିଚାର ପରେ ମଧ୍ୟ ମାମଲା ତାରିଖ ପରେ ତାରିଖ ହିଁ ଦେଖୁଥିବା ବେଳେ ବିଭାଗୀୟ ମନ୍ତ୍ରୀ କିନ୍ତୁ ବିଚାର ବ୍ୟବସ୍ଥାକୁ ଏଥିପାଇଁ ଦାୟୀ ବୋଲି କହିବାକୁ ସ୍ୱୀକାର କରି ନାହାନ୍ତି ବରଂ ଆହୁରି ୮ କାରଣକୁ ସାମ୍ନାକୁ ଆଣିଛନ୍ତି।
Headlines 07- ଭୁବନେଶ୍ୱରରେ ସମେତ ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ କରାଯିବ ‘ସୁଭଦ୍ରା ଶକ୍ତି ବଜାର’ । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ‘ସୁଭଦ୍ରା ଶକ୍ତି ବଜାର’ରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରୀକରଣ କରାଯିବ ।
Headlines 08- ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପରଲୋକ ହୋଇଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ୬୭ ବର୍ଷ ବୟସରେ ଜର୍ଜ ତିର୍କିଙ୍କ ପରଲୋକ ହୋଇଛି । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା କାରଣରୁ ପ୍ରଥମେ ତାଙ୍କୁ ରାଉରକେଲା ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା। ପରେ ସଂକଟାପନ୍ନ ଥିବା କାରଣରୁ ଭୁବନେଶ୍ଵର ଆପୋଲୋ ହସ୍ପିଟାଲ୍କୁ ପଠାଯାଇଥିଲା। ସେଠାରେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ପୈତୃକ ଗ୍ରାମ ଝୁନମୁରରେ ଶେଷ କୃତ୍ୟ ହେବା ନେଇ ସୂଚନା ରହିଛି।
Headlines 09- ଭିଜିଲାନ୍ସ ଜାଲରେ ପଡିଛନ୍ତି ବଣାଇ ରୁକୁଡ଼ା ଜଳସେଚନ ପ୍ରକଳ୍ପ କିରାଣି ପୃଥ୍ବୀରାଜ କାମିଲା । ଜମି ଅଧିଗ୍ରହଣ ଟଙ୍କା ରିଲିଜ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୭ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେହିପରି ସୋର ଅନନ୍ତପୁର ଫାଣ୍ଡି ASI ମଧ୍ୟ ଭିଜିଲାନ୍ସ ଜାଲରେ ପଡିଛନ୍ତି । ୫ ହଜାର ଲାଞ୍ଚ ନେବା ସମୟରେ ASI ହୃଷିକେଶ ବିଶ୍ବାଳଙ୍କୁ ଧରିଛି ଭିଜିଲାନ୍ସ । ଦୁର୍ଘଟଣା ଘଟାଇଥିବା ଏକ ବାଇକ୍କୁ ରିଲିଜ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ଲାଞ୍ଚ ନେଉଥିବା ସୂଚନା ରହିଛି ।
Headlines 10- ରାଜ୍ୟରେ ବନ୍ଦ ହୋଇ ପଡ଼ି ରହିଥିବା ୭୦ଟି ମଦ ଦୋକାନ ଖୋଲାଯିବ । ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ଉତ୍ତର ରଖିଛନ୍ତି । ବନ୍ଦ ମଦ ଦୋକାନକୁ ପୁନର୍ବାର ଖୋଲିବାକୁ ବିଭାଗ ତରଫରୁ ଅନୁମତି ଦିଆଯିବ । ୪ଟି ନୂଆ ଠିପିଖୋଲା ମଦ ଦୋକାନ ସହ ୩ଟି ମଦ କାରଖାନା ଖୋଲିବାକୁ ପ୍ରସ୍ତାବ ରହିଛି । ବାଲେଶ୍ୱରରେ ସର୍ବାଧିକ ୧୭ଟି ମଦ ଦୋକାନ ଖୋଲାଯିବ ବୋଲି ସୂଚନା ରହିଛି ।