)
Top 10 News Today
Headlines 01- ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ କ୍ରମାଗତ ଚତୁର୍ଥ ଦିନର ପ୍ରଥମାର୍ଦ୍ଧ ଗୃହ ଚାଲିପାରିନଥିଲା । ପରବର୍ତ୍ତୀ ସମୟରେ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଇଥିଲା । ରାଜ୍ୟରେ ୯୬୩୩ ମେଡିକାଲ୍ ଅଫିସର୍ ପଦବୀ ଖାଲି ପଡ଼ିଛି ଏବଂ ୪୮୮୦ ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀ ମଧ୍ୟ ଖାଲି ପଡ଼ିଛି ବୋଲି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ସେହିପରି ରାଜଧାନୀ ଭୁବନେଶ୍ବରରେ ୪୯୮ ଏକର ଜମି ଜବରଦଖଲ ହୋଇଛି ବୋଲି ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
Headlines 02- କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି । ଗୃହରେ ଅଚଳାବସ୍ଥା ଯୋଗୁ ଅବଧି ସରିଛି ବୋଲି ଜଣାଇଛନ୍ତି । ଅନାସ୍ଥା ନୋଟିସ୍ ଆସିବାର ପରଦିନ ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲି ମାତ୍ର ଗୃହ ସ୍ବାଭାବିକ ନ ଥିବାରୁ ଗୃହକୁ ଆସି ପାରି ନଥିଲା ବୋଲି ବାଚସ୍ପତି କହିଥିଲେ । ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କରିଥିଲା କଂଗ୍ରେସ୍ । କକ୍ଷତ୍ୟାଗ ପରେ ଗାନ୍ଧିମୂର୍ତ୍ତି ତଳେ ସଦସ୍ୟମାନେ ପ୍ରତିବାଦ କରିଥିଲେ । ଗଣତନ୍ତ୍ରକୁ ହତ୍ୟା କରାଯାଇଛି କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା । ଏଥିସହ ଅଭିଯୋଗ କରିଥିଲେ ଯେ, ବିଜେପି, ବିଜେଡି ମିଶିକି ଗୃହକୁ ଜାଣିଶୁଣି ଅଚଳ କରିଛନ୍ତି ।
Headlines 03- ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ତଦନ୍ତ ସଂସ୍ଥାଗୁଡ଼ିକୁ ନୋଟିସ ଜାରି କରିଛନ୍ତି। କୋର୍ଟଙ୍କ କହିବାନୁଯାୟୀ, ଏକ ସ୍ୱାଧୀନ, ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ ସୁନିଶ୍ଚିତ କରିବା ପାଇଁ ସୀମିତ ଉଦ୍ଦେଶ୍ୟରେ ନୋଟିସ ଜାରି କରାଯାଉଛି। ଆବେଦନକାରୀ ଏହା ଅଭିଯୋଗ କରିଛନ୍ତି ଯେ, ପ୍ରାଥମିକ ରିପୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଲୁଚାଇ ରଖାଯାଇଛି। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କୋର୍ଟ-ନିରୀକ୍ଷଣରେ ସ୍ୱାଧୀନ ତଦନ୍ତ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। କୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋର ମହାନିର୍ଦ୍ଦେଶକ ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)ଙ୍କୁ ଜବାବ ମାଗିବାକୁ ନୋଟିସ ଜାରି କରିଥିବା ସୂଚନା ମିଳିଛି ।
Headlines 04- ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏନ୍କାଉଣ୍ଟରରେ ନିପାତ ହୋଇଛନ୍ତି ୨ ମାଓବାଦୀ । ଉଭୟେ ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲେ ବୋଲି ଜଣାପଡିଛି । ଉଭୟଙ୍କୁ ଧରାଇବାକୁ ୪୦ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା । ସେଣ୍ଟ୍ରାଲ କମିଟି ସଦସ୍ୟ ରାଜୁ ଦାଦା ଓରଫ୍ କାଟା ରାମଚନ୍ଦ୍ର ରେଡ୍ଡୀ ଏବଂ ଅନ୍ୟଜଣେ କୋଷା ଦାଦା ଓରଫ୍ କାଦରି ସତ୍ୟନାରାୟଣ ରେଡ୍ଡୀ ମୃତ୍ୟୁବରଣ କରିଛନ୍ତି । ଉଭୟଙ୍କ ନିକଟରୁ AK- ୪୭, ଇନ୍ସାସ୍ ରାଇଫଲ୍, BGL ଲଞ୍ଚର, ବିସ୍ଫୋରକ ଜବତ କରାଯାଇଛି ।
Headlines 05- ପୁରୀ ବଳଙ୍ଗା ପୀଡ଼ିତା ନିଜେ ନିଜ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ ବୋଲି ଗୃହରେ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ଏମ୍ସରେ ଚିକିତ୍ସା ବେଳେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହା କହିଥିଲେ ଏବଂ ଦିଲ୍ଲୀ କୋର୍ଟ ଓ ଏମ୍ସ ଡାକ୍ତରଙ୍କ ଦ୍ବାରା ବୟାନ ରେକର୍ଡ ବେଳେ ପୀଡ଼ିତା କହିଥିଲେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
Headlines 06- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ବୈଠକ ହୋଇଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସ୍ଥାନାନ୍ତର କରାଯିବ । ସକାଳ ୧୦ ଟାରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିବ ଏବଂ ଭକ୍ତ ଉତ୍ତରଦୁଆର ଦେଇ ମହାପ୍ରସାଦ ପାଇଁ ଆନନ୍ଦବଜାର ଯାଇପାରିବେ । କେବଳ ପାଳିଆ ସେବକ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଏବଂ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ।
Headlines 07- ବୈଜ୍ଞାନିକ ସଫଳତା କ୍ଷେତ୍ରରେ ଆମ ଦେଶ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ପୁଣେର ଜଳ ବିଶେଷଜ୍ଞ ଡକ୍ଟର ହିମାଂଶୁ କୁଲକର୍ଣ୍ଣିଙ୍କୁ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଛି। ସେ ଏହି ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ ବୈଜ୍ଞାନିକ। ଏହି ପୁରସ୍କାର ଆମେରିକାର ଓକ୍ଲାହୋମା ବିଶ୍ୱବିଦ୍ୟାଳୟର WATERC କେନ୍ଦ୍ର ଦ୍ୱାରା ପ୍ରଦାନ କରାଯାଇଥାଏ । ଏହା ୨୦୦୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା।
Headlines 08- ପୁରୀ ଜିଲ୍ଲା କଣାସ ପଞ୍ଚାୟତ ସମିତିର PEO ଟୁନା ପ୍ରଧାନ ଏବଂ GRS ସାଗର କୁମାର ଦାସ ଉଭୟଙ୍କୁ ବାର୍ଦ୍ଧକ୍ୟ ପେନସନ (OAP) ଏବଂ ମଧୁବାବୁ ପେନସନ ଯୋଜନା (MBPY) ପାଇଁ ଉଦ୍ଦିଷ୍ଟ 21.98 ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗ ଆସିଛି । ଫଳରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଉଭୟଙ୍କୁ ଗିରଫ କରାଯାଇଛି । ଯାହା 2022-23 ରୁ 2024-25 ଆର୍ଥିକ ବର୍ଷ ମଧ୍ୟରେ OAP ଏବଂ MBPY ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଇ ନଥିଲା ବୋଲି ସୂଚନା ରହିଛି।
Headlines 09- ପୋଲିସର ଥାର୍ଡ ଡିଗ୍ରୀ କାରଣରୁ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଚୌଦ୍ୱାର ଥାନାରେ ଅଟକ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ କଟକ SCB ମେଡିକାଲ୍ ସ୍ଥାନାନ୍ତର ପରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଥାନା ଭିତରେ ମାଡ଼ ମରାଯାଇଥିବା ସ୍ତ୍ରୀ ଓ ଭାଇ ଅଭିଯୋଗ ଆଣିଛନ୍ତି । ପୋଲିସ୍ର ମାଡ଼ ସହି ନପାରି ଭାଇ ଆତ୍ମହତ୍ୟା କରିଛି ବୋଲି ସାନ ଭାଇ କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ଗାଡ଼ି ଚୋରି ମାମଲାରେ ଥାନାରେ ଅଟକ ରଖିଥିଲା ପୋଲିସ୍ ।
Headlines 10- ସେପ୍ଟେମ୍ୱର ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଫଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୨୬ ତାରିଖ ପର୍ଯ୍ୟନ୍ତ ସତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।