)
Top 10 News Today
Headlines 01- ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । କାକିନାଡ଼ା ଦେଇ ସ୍ଥଳଭାଗ ଆଡକୁ ଆସୁଛି ବାତ୍ୟା ‘ମୋନ୍ଥା’ । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏବଂ ବର୍ତ୍ତମାନ ପବନର ବେଗ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ରହିଛି । ମୋନ୍ଥା ପ୍ରଭାବରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଛି । ଉପକୂଳବର୍ତ୍ତୀ ସ୍ଥାନରେ ସମୁଦ୍ର ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି ।
Headlines 02- ଆଜି କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନର ନିୟମ ଏବଂ ସର୍ତ୍ତାବଳୀ (ToR)କୁ ଅନୁମୋଦନ କରିଛନ୍ତି। ଏହି କମିଶନ ପ୍ରାୟ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬.୯ ଲକ୍ଷ ପେନସନଭୋଗୀଙ୍କ ଦରମାକୁ ଲାଭବାନ କରିବ। କ୍ୟାବିନେଟ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ କର୍ମଚାରୀ ସଂଗଠନ ସହିତ ବ୍ୟାପକ ଆଲୋଚନା ପରେ ନିୟମ ଏବଂ ସର୍ତ୍ତାବଳୀ ଚୂଡ଼ାନ୍ତ ହୋଇଛି। କମିଶନ 18 ମାସ ମଧ୍ୟରେ ତାଙ୍କର ସୁପାରିଶ ଦାଖଲ କରିବାକୁ ପଡିବ। ଆଇଆଇଏମ୍ ବାଙ୍ଗାଲୋର ପ୍ରଫେସର ପୁଲକ ଘୋଷ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସଚିବ ପଙ୍କଜ ଜୈନ ସଦସ୍ୟ ରହିବେ।
Headlines 03- ମାଓବାଦୀଙ୍କ IED ବିସ୍ଫୋରଣରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଝାଡ଼ଖଣ୍ଡ ପଶ୍ଚିମସିଂହଭୂମି ଜିଲ୍ଲା ସରଣ୍ଡା ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ସମୟରେ IED ବିସ୍ଫୋରଣ ହୋଇଥିଲା । ଫଳରେ ସରଣ୍ଡା ଜଙ୍ଗଲ ଅଞ୍ଚଳର ଦିଘାଗାଁର ୯ ବର୍ଷିୟ ନାବାଳିକା ମୃତ୍ୟୁବରଣ କରିଛି ।
Headlines 04- ବାତ୍ୟା ମୋନ୍ଥାର ଭୟାବହତା ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୬୧ଟି ଟ୍ରେନ ବାତିଲ କରାଯାଇଛି। ୪ ଦିନ ପାଇଁ ଏହି ଟ୍ରେନଗୁଡ଼ିକୁ ବାତିଲ କରାଯାଇଥିବା ସୂଚନା ଦେଇଛି ରେଳ ବିଭାଗ। ଏହି ସୂଚନା ଅନୁସାରେ ୨୭ ତାରିଖରୁ ଆରମ୍ଭ ହୋଇଛି ଟ୍ରେନ ବାତିଲ କାର୍ଯ୍ୟକ୍ରମ। ୨୭ ତାରିଖରେ ୪ଟି ଟ୍ରେନ ବାତିଲ ହୋଇଥିବା ବେଳେ ଆଜି ୨୮ଟି ଟ୍ରେନ ବାତିଲ କରାଯାଇଛି। ସେହିପରି ଆସନ୍ତା କାଲି ୮ଟି ଓ ୩୦ ତାରିଖ ଗରୁରୁବାଦ ସଦିନ ୧ଟି ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ।
Headlines 05- ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ । ରାଜଧାନୀର ଇଂରାଜୀ ନାମ Delhi କୁ ବଦଳାଇ Dilli କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି ବିଜୟ। ସେ ନଭେମ୍ବର ୧ରେ ଦିଲ୍ଲୀ ସରକାର ଏକ ନୂତନ ସରକାରୀ ଲୋଗୋ ପ୍ରକାଶ କରିବାକୁ ଦାବି କରିଛନ୍ତି। ବିଜୟ ଗୋଏଲ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ନାମ ପରିବର୍ତ୍ତନ କରିବାକୁ ମଧ୍ୟ ଦାବି କରିଛନ୍ତି।
Headlines 06- ଆଜି ଲୋକସେବା ଭବନରେ ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପ୍ରତ୍ୟେକ ବିପର୍ଯ୍ୟୟରେ ଆମର ଏକମାତ୍ର ଲକ୍ଷ୍ୟ ହେଉଛି ଜିରୋ କାଜୁଆଲ୍ଟି । ବାତ୍ୟା ଆନ୍ଧ୍ରପ୍ରଦେଶରେ ଅତିକ୍ରମ କରୁଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ, ବିଶେଷ କରି ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ବ୍ୟାପକ ବର୍ଷା ସହିତ ପବନ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ, କୌଣସି ବିପଦ ସଂକୁଳ ଅଞ୍ଚଳରେ ଯେପରି ଜଣେ ବି ଲୋକ ରହିଯିବ ନାହିଁ, ସମସ୍ତେ ବାତ୍ୟା-ବନ୍ୟା ଆଶ୍ରୟ ସ୍ଥଳ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନାନ୍ତରିତ ହେବେ, ତାକୁ ଅଧିକାରୀ ମାନେ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
Headlines 07- ବାତ୍ୟା ମୋନ୍ଥା ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତର ଲିଙ୍ଗା-ବାରଭା ରାସ୍ତାରେ ପାହାଡ ଧସିଛି। ସେହିଭଳି ଆଡାସିଂଠାରେ ରାସ୍ତା ଧସି ଯାଇଛି। ଫଳରେ ଯାନବାହାନ ଯାତାୟତରେ ବାଧା ଉପୁଜିଛି । କୋରାପୁଟ ପଟାଙ୍ଗି ବ୍ଲକ୍ ଗାଙ୍ଗରାଜପୁର ପଞ୍ଚାୟତ କାଉଗୁଣ୍ଠାର ଏକ ସ୍କୁଲ୍ ଉପରେ ଗଛ ଉପୁଡି ପଡ଼ିଛି । ସେମିଳିଗୁଡ଼ା ପଣସପୁଟ ଗାଁରେ ଜଣଙ୍କ ଘରେ ଗଛ ପଡିବା କାରଣରୁ ଘର କ୍ଷତିଗ୍ରସ୍ତ ହୋଇଛି ।
Headlines 08- ବାତ୍ୟା ପାଇଁ ଗଜପତି ଜିଲ୍ଲାରେ ୧୦ ହଜାର ଲୋକଙ୍କୁ ୨୮୭ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ମାଆ ଗୃହକୁ ୧୬୦ରୁ ଅଧିକ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆର. ଉଦୟଗିରି, କାଶୀନଗର ଓ ଗୁମ୍ମାରେ ଭୂସ୍ଖଳନ ଦେଖିବାକୁ ମିଳିଛି ।
Headlines 09- ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ ବାବୁ । ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୋଲିସ ବାବୁ ଜଣଙ୍କ ହେଉଛନ୍ତି କୋରାପୁଟ ବି. ସିଂହପୁର ଥାନା ଏଏସଆଇ ନରସିଂହ ଦୋରା । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ନରସିଂହଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଏକ ଘରୋଇ ହିଂସା ମାମଲାରେ ତଦନ୍ତ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସଆଇ ନରସିଂହ ଦୋରା । ଯଦି ସେ ମାଗିଥିବା ଟଙ୍କା ନ ଦିଅନ୍ତି, ତେବେ ସେ ମାମଲାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଥିଲେ।
Headlines 10- ଆଜି ପାଇଁ ୫ ଜିଲ୍ଲାକୁ ରେଡ୍ ଏବଂ ୬ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ସମୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ମଧ୍ୟ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅବଶିଷ୍ଟ ୧୯ ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।