)
OAS ସ୍ତରରେ ବଡ଼ ଧରଣର ଅଦଳବଦଳ
୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଓଏଏସ ଅଫିସରଙ୍କ ମଧ୍ୟରେ ଏକ ବଡ଼ ଧରଣର ବଦଳି ପ୍ରକ୍ରିୟା ହୋଇଛି । ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ତହସିଲଦାର, ପ୍ରକଳ୍ପ ନିର୍ଦ୍ଦେଶକ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏହି ବଦଳି କରାଯାଇଛି । ସମୁଦାୟ ୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳ କରାଯାଇଛି ବୋଲି ସାଧାରଣ ପ୍ରଶାସନ ବିଭାଗ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଓ ପିଏ ଆଇଟିଡିଏ ଅଧିକାରୀ ଭାବେ ଜିଲ୍ଲାସ୍ତରରେ କାର୍ଯ୍ୟରତ ସମୁଦାୟ ୫୧ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରାଯାଇଛି ।
ମିଶନ ଶକ୍ତି ବଜାର ଉଦଘାଟିତ
ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ବଜାରର ଉଦଘାଟନ କରିଛନ୍ତି। ଏଠାରେ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ସମସ୍ତ ସାମଗ୍ରୀକୁ ବିକ୍ରି କରିପାରିବେ। ଭୁବନେଶ୍ୱରରେ ଆଜି ଏକ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ବ୍ୟବସ୍ଥା କରାଯାଇଛି। ଆଗାମି ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ Retail Outletର ବ୍ୟବସ୍ଥା ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ମିଶନ ଶକ୍ତି ମହିଳାମାନେ ୧୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ସୁବିଧା ପାଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ମହିଳାମାନଙ୍କୁ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ଏଣିକି ରାଜ୍ୟର ମାଆମାନେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ । ଯେଉଁଥିରେ ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ । ଏହା ଦ୍ୱାରା ମିଶନ ଶକ୍ତି ମହିଳାଙ୍କର ଟଙ୍କା ସଞ୍ଚୟ ହୋଇପାରିବ ।
ମିଶନ ଶକ୍ତ ମା'ଙ୍କୁ ୧୦ ଲକ୍ଷ ଋଣ
ଭୁବନେଶ୍ୱରର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଆଜି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଥିଲେ ଯେ, ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମା’ ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ମୋ ସରକାର ନିରନ୍ତର ଭାବେ କାମ କରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଏକ ସ୍ୱତନ୍ତ୍ର ଜୀବିକା ଅର୍ଜନ ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତିର ମହିଳାଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଛି। ମହିଳାମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗୀ ହୋଇପାରିଛନ୍ତି।
ବଦଳିବ ବାରବାଟୀ ଷ୍ଟାଡିୟମର ରୂପରେଖ
ବିଶ୍ବରେ ଏକ ପ୍ରମୁଖ କ୍ରିକେଟ ଡେଷ୍ଟିନେସନ ହେବ ବାରବାଟୀ ଷ୍ଟାଡିୟମ। ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତଙ୍କ ଶୁଭେଚ୍ଛା ଓ ଧନ୍ଯବାଦ ଜଣାଇବା ସହ ବିଶ୍ବର ସମସ୍ତ ସୁବିଧା ବାରବାଟୀରେ ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି। ତେବେ ଷ୍ଟାଡିୟମର ଐତିହ୍ୟ ବହନ କରୁଥିବା ସମସ୍ତ କୀର୍ତ୍ତିରାଜିକୁ ଅକ୍ଷୁଣ୍ଣ ରଖାଯାଇ ଏହାର ନବୀକରଣ କାର୍ଯ୍ୟ କରାଯିବ । ଏଠାରେ ଏକ ନୂଆ ଓ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଯେଉଠାରେ ଖେଳାଳିଙ୍କ ପାଇଁ ରହିବ ସମସ୍ତ ଅତ୍ଯାଧୁନିକ ସୁବିଧା। ଆଜି ବାରବାଟୀ ନବୀକରଣ ସହ ରାଜ୍ଯର ବିଭିନ୍ନ ସ୍ଥାନରେ କ୍ରିକେଟ ଷ୍ଟାଡିୟମ ଓ କ୍ରିକେଟ ଏକାଡେମୀର ଶୁଭ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହା ରାଜ୍ଯରେ କ୍ରୀଡା କ୍ଷେତ୍ରରେ ଖେଳାଳିଙ୍କ କ୍ଯାରିୟର ଗଠନ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।
ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି
୪ ଦିନିଆ ଗସ୍ତରେ ରାଷ୍ଟ୍ରପତି ମାଡାମ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା କାଲି ଠାରୁ ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରୁଟ ଲାଇନଠାରୁ ଆରମ୍ଭ କରି କାରକେଡ, ଟ୍ରାଫିକ ଓ ପାକିଂ ପାଇଁ ବ୍ୟବସ୍ଥା ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେହିପରି ୨୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସନ୍ଧ୍ୟା ୫ଟା ୨୫ରେ ଆରମ୍ଭ ହେବ କାର୍ଯ୍ୟକ୍ରମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କୁଳଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ହିଣ୍ଡାଲକୋର ପରିଚାଳନା ନିର୍ଦେଶକ ସତୀଶ ସମ୍ମାନସୂଚକ ଡ଼କ୍ଟରେଟ ଉପାଧିରେ ସମ୍ମାନିତ ହେବେ।
ଅଷ୍ଟମ ଥର ପାଇଁ ସମନ କଲା ଇଡ଼ି
ଦିଲ୍ଲୀ ମଦ ଆଇନ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାରେ ନାଁ ଧରୁନାହିଁ। ଏହି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛି। ଆସନ୍ତା ୪ ତାରିଖରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ତଦନ୍ତକାରୀ ସଂସ୍ଥାରେ ହାଜର ହେବାକୁ କୁହାଯାଇଛି। ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଅଷ୍ଟମ ଥର ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆପ ମୁଖ୍ୟଙ୍କୁ ଏହା ପୂର୍ବରୁ ୭ ଥର ସମନ ଜାରି ହୋଇଥିଲେ ମଧ୍ୟ ଇଡିରେ ହାଜର ହୋଇ ନାହାନ୍ତି।
ରାଜ୍ୟରେ ବଢିଛି କଳାବାଘ ସଂଖ୍ୟା
ଦୁଇ ବର୍ଷରେ ରାଜ୍ୟରେ ୫୦ ପ୍ରତିଶତ ବଢ଼ିଛି ମହାବଳ ବାଘଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ନିଜସ୍ୱ ପ୍ରଥମ ବାଘ ଗଣନା ରିପୋର୍ଟରୁ ମିଳିଛି ଏମିତି ତଥ୍ୟ। ଅନ୍ୟପକ୍ଷରେ ରାଜ୍ୟରେ ବାଘ ସଂଖ୍ୟା ବଢ଼ିଥିଲେ ବି ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ଶିମିଳିପାଳର ମେଲାନିଷ୍ଟିକ୍ ଟାଇଗର ବା କଳା ବାଘଙ୍କ ବଂଶବୃଦ୍ଧି। ୨୦୨୨ରେ ଶିମିଳିପାଳରେ ୧୦ଟି କଳା ବାଘ ଥିଲେ। ଏବେ ଏହି ସଂଖ୍ୟା ୧୩କୁ ବଢ଼ିଛି। ଇନ୍ ବ୍ରିଡିଂ ବା ସମବଂଶୀଙ୍କ ମଧ୍ୟରେ ମେଟିଂ ଫଳରେ ଜିନ୍ଗତ ସମସ୍ୟାରୁ କଳାବାଘଙ୍କ ସଂଖ୍ୟା ବଢ଼ୁଛି। ୧୦ ବର୍ଷ ତଳେ ଶିମିଳିପାଳରେ ମୋଟ ମହାବଳ ବାଘରୁ କଳା ବାଘଙ୍କ ସଂଖ୍ୟା ମାତ୍ର ୧୫ ପ୍ରତିଶତରେ ସୀମିତ ଥିଲା ବେଳେ ଏବେ ଏହା ୪୦ ପ୍ରତିଶତରେ ପହଞ୍ଚିଲାଣି।
ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକାରେ ଜିତିଲା କଂଗ୍ରେସ
ଉତ୍ତର ପ୍ରଦେଶ, କର୍ଣ୍ଣାଟକା ଓ ହିମାଚଳ ପ୍ରଦେଶର ୧୫ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଭୋଟର ରେଜଲ୍ଟ ଆସିବା ଆରମ୍ଭ ହୋଇଛି। ଆଜି ଭୋଟିଂ ପ୍ରକ୍ରିୟା ସକାଳ ୯ଟାରେ ଆରମ୍ଭ ହୋଇଥିବା ବେଳେ ଏବେ ଗଣତି ଶେଷ ହୋଇଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ କର୍ଣ୍ଣାଟକାର ୪ ରାଜ୍ୟସଭା ଆସନର ଫଳାଫଳ ସାମ୍ନାକୁ ଆସିଛି। ୪ଟି ଆସନରୁ କ୍ଷମତାସୀନ କଂଗ୍ରେସ ୩ଟିରେ ଜିତିଥିବା ବେଳେ ଗୋଟିଏ ଆସନ ବିଜେପି ପାକୁ ଯାଇଛି।
ପଞ୍ଚଭୂତରେ ବିଲୀନ ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସ
ଶୋକାକୁଳ ପରିବେଶ, ସମସ୍ତେ ସ୍ତବ୍ଧ। ନିରବୀ ଯାଇଛି ଯେମିତି ପୁରା ବଲିଉଡ। ପଞ୍ଚଭୂତରେ ବିଲୀନ ହୋଇଛି ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପାର୍ଥିବ ଶରୀର। ମୁମ୍ବାଇର ବର୍ଲ୍ଲି ସ୍ଥିତ ହିନ୍ଦୁ କ୍ରିମେଟୋରିୟମରେ ପଙ୍କଜ ଉଧାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଅନ୍ତିମ ସଂସ୍କାର ପୂର୍ବରୁ ପଙ୍କଜଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଛି। ପଙ୍କଜଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଘରେ ପହଞ୍ଚିଥିଲା ପୁରା ବଲିଉଡ଼। ଗତକାଲି ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ପଙ୍କଜ ଉଧାସ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ପଙ୍କଜଙ୍କ ମୃତ୍ଯୁ ନେଇ ଝିଅ ନାୟାବ ଉଧାସ ସୂଚନା ଦେଇଥିଲେ। କୋଟି କୋଟି ସଂଗୀତ ଓ ଗଜଲ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଖେଳାଳିଙ୍କ ଦରମା ବଢାଇଲା ବିସିସିଆଇ
ଇଶାନ କିଶନ ଏବଂ ଶ୍ରେୟାସ ଆୟରଙ୍କ ସମେତ ଟିମ୍ ଇଣ୍ଡିଆର ଅନେକ ଖେଳାଳି ଟେଷ୍ଟ ଏବଂ ଘରୋଇ କ୍ରିକେଟ୍ ଛାଡି ଆଇପିଏଲ୍ ଉପରେ ଧ୍ୟାନ ଦେଉଛନ୍ତି। ପୂର୍ବରୁ ଖେଳାଳିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖେଳାଳିଙ୍କ ଏହି ଆଚରଣକୁ ଦୃଷ୍ଟିରେ ରଖି ଏବଂ ଟେଷ୍ଟ କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ଖେଳାଳିଙ୍କ ଦରମା ବୃଦ୍ଧି କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଏହା ସହିତ ଟେଷ୍ଟ ସିରିଜ୍ ଖେଳୁଥିବା ଖେଳାଳୀଙ୍କୁ ବୋନସ୍ ଦେବା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲର ୧୭ତମ ସିଜନ୍ ପରେ ବିସିସିଆଇ ଟେଷ୍ଟ ଖେଳାଳିଙ୍କ ଦରମା ବୃଦ୍ଧି କରିପାରେ। ସମସ୍ତ ଟେଷ୍ଟ ସିରିଜରେ ଖେଳୁଥିବା ଲୋକଙ୍କୁ ବିସିସିଆଇ ମଧ୍ୟ ବୋନସ୍ ଦେଇପାରେ। କିଛି ଖେଳାଳି ଫିଟ୍ ହେବା ସତ୍ତ୍ୱେ ରଣଜୀ ଟ୍ରଫି ଏବଂ ଘରୋଇ ମ୍ୟାଚ୍ ଖେଳିବା ପରେ ବିସିସିଆଇ ଏହି ବଡ଼ ନିଷ୍ପତ୍ତି ନେଇଛି। ସମ୍ପ୍ରତି ଇଶାନ୍ କିଶାନ୍ ଏବଂ ଶ୍ରେୟସ୍ ଆୟର ଏହି ପ୍ରସଙ୍ଗରେ ଚର୍ଚ୍ଚାରେ ରହିଥିଲେ।