)
Top 10 News Today
Headlines 01- ମାଓ ଦମନ ଅଭିଯାନରେ ସୁରକ୍ଷାବଳଙ୍କୁ ସଫଳତା ମିଳିଛି । ଝାଡଖଣ୍ଡର ପଶ୍ଚିମ ସିଂହଭୂମର ଜେଟେୟାରୁ ୨ ନକ୍ସଲଙ୍କୁ ଗିରଫ କରାଯାଇଛି । ଉଭୟ ନକ୍ସଲ ୯ ତାରିଖରେ ରତାମାତିରେ IED ବିସ୍ଫୋରଣ କରି ବ୍ରିଜ୍ ଉଡାଇବାରେ ସହ ସମ୍ପୃକ୍ତ ଥିଲେ । ସେମାନଙ୍କ ନିକଟରୁ ଗୋଟିଏ ଇନସାସ ରାଇଫଲ ଓ ୪୬୦ ଗୁଳି ଜବତ କରାଯାଇଛି ।
Headlines 02- ନୂଆଦିଲ୍ଲୀ ବିଶମ୍ବର ଦାସ ରୋଡ ନିକଟରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଆଜି ଅଗ୍ନିକାଣ୍ଡ ଘଟିଛି । ଉକ୍ତ ଆପାର୍ଟମେଣ୍ଟରେ ଜଣେ ସାଂସଦଙ୍କ ବାସଭବନ ରହିଛି। ପାର୍କିଂ ସ୍ଥାନରେ ଗଚ୍ଛିତ ଥିବା ଅଳିଆ ଆବର୍ଜନାରୁ ନିଆଁ ଲାଗି ଏହା ଧିରେ ଧିରେ ସପ୍ତମ ଏବଂ ଅଷ୍ଟମ ମହଲାକୁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଦଳ ଏବଂ ଅନେକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
Headlines 03- ବାଂଲାଦେଶର ଢାକା ବିମାନବନ୍ଦରରେ ବଡ଼ ଅଗ୍ନିକାଣ୍ଡ ଘଟିଛି । ବିମାନବନ୍ଦରର କାର୍ଗୋ ଟର୍ମିନାଲ୍ରେ ନିଆଁ ଲାଗିବା କାରଣରୁ ଆକାଶ ଧୂଆଁମୟ ହୋଇଯାଇଛି । ଫଳରେ ସାମୟିକ ଭାବେ ବିମାନ ଚଳାଚଳ ବାତିଲ୍ ଘୋଷଣା କରାଯାଇଛି । ଅଗ୍ନିଶମ ଟିମ୍ର ପହଞ୍ଚି ନିଆଁ ଲିଭାଇବାରେ ସଫଳ ହୋଇଛି ।
Headlines 04- ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ । ନାମାଙ୍କନ ଦାଖଲ ପାଇଁ ତିନୋଟି ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରତ୍ୟକ ଦଳର ପ୍ରାର୍ଥୀଙ୍କ ସହ ଥିଲେ ଦଳର ବରିଷ୍ଠ ନେତୃବୃନ୍ଦ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସହ ବିଜେପି ସଭାପତି ମନମୋହନ ସାମଲ ଏବଂ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଦଳୀୟ ନେତା ଓ କର୍ମୀ ପହଞ୍ଚିଥିଲେ । ହଜାରେ ହଜାରେ ସଂଖ୍ୟାର ସମର୍ଥକଙ୍କ ଏବଂ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କ ସହ ଯାଇ ଘାସିରାମ ମାଝୀ ନାମାଙ୍କନ ଭରିଛନ୍ତି ।
Headlines 05- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର । ସୂଚନାଯୋଗ୍ୟ ଯେ, ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ କରାଯିବ ।
Headlines 06- ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଏହା ସହ ପୂର୍ବରୁ ଥିବା ୧୪ଟି ସାଇବର ପୋଲିସ୍ ଷ୍ଟେସନର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏ କ୍ଷେତ୍ର ପାଇଁ ୧୧୨୭ଟି ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । ଏଥି ସହିତ କ୍ରାଇମବ୍ରାଞ୍ଚ ଅଧୀନରେ ଏକ ରାଜ୍ୟସ୍ତରୀୟ କମାଣ୍ଡ ସେଣ୍ଟର ଗଠନ କରାଯିବ ଏବଂ ଏହି ସେଣ୍ଟରଟି ସାଇବର ଅପରାଧ ରୋକିବା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଭାବରେ କାର୍ଯ୍ୟ କରିବ ।
Headlines 07- ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ମିଠା ଦୋକାନରେ ରେଡ୍ କରାଯାଇଛି । ଦୀପାବଳି ଉପଲକ୍ଷେ ମିଠାର ମାନ ଯାଞ୍ଚ ପାଇଁ ଏହି ଅତର୍କିତ ଚଢ଼ାଉ ହୋଇଥିଲା । ବିଭିନ୍ନ ଦୋକାନରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜୋରିମନା ଆଦାୟ କରିଛି ପ୍ରଶାସନ । ମାନ ଯାଞ୍ଚ ପାଇଁ ୫୦ଟି ଦୋକାନରୁ ସାମ୍ପୁଲ୍ ନେଇଛି BeMC ଟିମ୍ ।
Headlines 08- ଦୀପାବଳି ପାଇଁ ରାଜ୍ୟରେ ୨ ଦିନ ସ୍କୁଲ୍ ଛୁଟି । ଉଭୟ ୨୦ ଓ ୨୧ ତାରିଖରେ ସ୍କୁଲ ଛୁଟି ରହିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ସୂଚନା । ସେହିପରି ସୋମବାର ଦୀପାବଳି ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ସୂଚନା ।
Headlines 09- ଏନଏଚ ୪୯ର ବାଙ୍ଗିରିପୋଷି ଘାଟିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଓଭରଟେକ୍ କରୁଥିବା ସମୟରେ ଏକ କାର୍ ଉପରେ ଓଲଟି ପଡିଥିଲା ବସ୍ । ଫଳରେ ୫ଜଣ ଗୁରୁତର ଥିବା ସୂଚନା ମିଳିଛି ଏବଂ ଅନେକ ଆହତ ହୋଇଛନ୍ତି । ଉଭୟ ଗୁରୁତର ଏବଂ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଦୁ୍ର୍ଘଟଣାସ୍ଥଳରେ ଦମକଳ ବାହିନୀର ଏକ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । କାରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସମୟରେ ବସ୍ରେ ଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି । କିନ୍ତୁ ଉଭୟ କାର୍ ଏବଂ ବସ୍ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି ।
Headlines 10- ରାଜଧାନୀରେ ନାବାଳିକା ଦୁଷ୍କର୍ମ ଘଟଣାରେ ସେକ୍ସ ରାକେଟ ଲିଙ୍କ୍ ସ୍ପଷ୍ଟ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳର ଘର ମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ୩ ଯୁବତୀଙ୍କୁ ଉଦ୍ଧାର କରି ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ, ନାବାଳିକା ଦୁଷ୍କର୍ମ ଘଟଣାରେ ସେକ୍ସ ରାକେଟ ଲିଙ୍କ୍ ଥିବା ସନ୍ଦେହ କରାଯାଇ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳରେ ଚଢାଉ କରିଥିଲା କ୍ୟାପିଟାଲ ଥାନା ପୋଲିସ । ବନ୍ଦ ଘର ଭିତରୁ ୧୦ରୁ ଅଧିକ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।