Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ମଇ ୧୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ ଯିବେ ଏବଂ ସେଠାରେ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ । ୧୦ତାରିଖ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ୧୧ ମଇରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ ବୋଲି ସୂଚନା ମିଳିଛି ।
Headlines 02- ସୀମାନ୍ତରେ ଉତ୍ତେଜନା ଭିତରେ ବାୟୁସେନା ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି । ୟୁପିର ଗଙ୍ଗା ଏକ୍ସପ୍ରେସ୍ ୱେରେ ଜୋରଦାର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ମିରାଜ୍, ରାଫେଲ୍, ସୁଖୋଇ ଭଳି ଲଢୁଆ ବିମାନର ଶକ୍ତି ପ୍ରଦର୍ଶନ ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା। ସାଢ଼େ ୩ କିମି ଲମ୍ବା ରନ୍ୱେରେ ପ୍ରାକ୍ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି ।
Headlines 03- ଶୁକ୍ରବାର ସକାଳ ସମୟରେ ଦିଲ୍ଲୀ-ଏନସିଆରରେ ପ୍ରବଳ ଝଡ ବର୍ଷା ହୋଇଛି। ବର୍ଷା ସହିତ ପ୍ରବଳ ପବନ କାରଣରୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । ବର୍ଷା କାରଣରୁ ତାପମାତ୍ରାରେ ହ୍ରାସ ଘଟିଛି । ଅନେକ ରାସ୍ତାରେ ପାଣି ଜମି ରହିବା କାରଣରୁ ସମସ୍ୟା ବଢିଛି । ବର୍ଷା ଏବଂ ଝଡ କାରଣରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ସହ ପବନ କାରଣରୁ ନଜଫଗଡ଼ ଅଞ୍ଚଳର ଥିବା ଏକ ଘରେ ଉପରେ ଏକ ଗଛ ଭାଙ୍ଗି ପଡ଼ିଯାଇଥିଲା । ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣ ପିଲା ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳାଙ୍କ ବୟସ ୨୬ ବର୍ଷ ଏବଂ ତାଙ୍କ ନାମ ଜ୍ୟୋତି ବୋଲି ସୂଚନା ମିଳିଛି ।
Headlines 04- ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବରେ ନିଯୁକ୍ତ ହେଲେ ଜଷ୍ଟିସ୍ ଦୀକ୍ଷିତ କୃଷ୍ଣ ଶ୍ରୀପାଦ । ଭାରତୀୟ ସମ୍ବିଧାନର ଧାରା ୨୨୨ ର ଧାରା (୧) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି, ଭାରତର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ, କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଶ୍ରୀ ଜଷ୍ଟିସ୍ ଦୀକ୍ଷିତ କୃଷ୍ଣ ଶ୍ରୀପାଦଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି । ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ତାଙ୍କର ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭାରତ ସରକାରଙ୍କ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
Headlines 05- କିଟରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହା ଅତି ସାଂଘାତିକ ଆମେ ଏହା ଉପରେ ତୀକ୍ଷଣ ନଜର ରଖିଛୁ ବୋଲି କହିଛନ୍ତି ଏନଏଚଆରସି ସଦସ୍ୟ ପ୍ରିୟଙ୍କ କାନୁନଗୋ । କିଟ୍ରେ ଘଟିଥିବା ଘଟଣା ସମ୍ପର୍କରେ ମତ ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଏଭଳି ଘଟଣା ସମାଜ ପାଇଁ ଶୁଭଙ୍କର ନୁହେଁ । ଆତ୍ମହତ୍ୟା ଆଡ଼କୁ କାହିଁକି ଯୁବ ପିଢ଼ି ମୁହାଁଉଛନ୍ତି ତାହା ଚିନ୍ତାର ବିଷୟ । କିଟ ଘଟଣାକୁ ନେଇ ରାଜ୍ୟ ସରକାର ଅଧ୍ୟୟନ କରୁଛନ୍ତି ।' କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦୁଃଖ ବ୍ୟକ୍ତ କରିଛି ବୈଦେଶିକ ମନ୍ତ୍ରାଳୟ । ପରିବାର ପ୍ରତି ସମବେଦନା ଜଣାଇବା ସହ ଦୁଃଖପ୍ରକାଶ କରିଛି । 'ଘଟଣା ପରଠୁ ଓଡ଼ିଶା ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛୁ' 'ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମର୍ଥନ ଜଣାଇଛନ୍ତି ଓଡ଼ିଶା ସରକାର' । ଓଡ଼ିଶା ପୋଲିସ ଘଟଣାର ତଦନ୍ତ ଚଳାଇଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖପ୍ରକାଶ କଲା କିଟ୍ ।
Headlines 06- ଚାରିଧାମ ମଧ୍ୟରୁ ଆଜି କେଦାରନାଥ ଧାମ ଭକ୍ତଙ୍କ ପାଇଁ ଖୋଲାଯାଇଛି । ନିର୍ଦ୍ଧାରିତ ସମୟ ୭ଟାରେ କେଦାର ଧାମ ଖୋଲିଛି ପ୍ରଶାସନ । ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ ପରିବେଶ ଭକ୍ତିମୟ ହୋଇପଡିଥିଲା । ମନ୍ଦିରକୁ ୧୩ କ୍ୱିଣ୍ଟାଲ ଫୁଲରେ ସଜ୍ଜା କରାଯାଇଛି । ଆଜି କେଦାରନାଥ ଧାମରେ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି। ଆକାଶମାର୍ଗରୁ ହେଲିକପ୍ଟର ମାଧ୍ୟମରେ ଭକ୍ତଙ୍କ ଉପରେ ଫୁଲ ବର୍ଷା କରାଯାଇଛି ।
Headlines 07- ପାଣି ବୋତଲ ଫ୍ୟାକ୍ଟ୍ରିରେ ଚାଲିଥିଲା ମଦ ପ୍ରସ୍ତୁତି । ଭୁବନେଶ୍ୱର ଦାରୁଠେଙ୍ଗ ଜଙ୍ଗଲରେ ଦେଶୀ ମଦ ଫ୍ୟାକ୍ଟ୍ରି ଠାବ କରାଯାଇଛି । ପ୍ରାୟ ୧୯ ଲକ୍ଷ ଟଙ୍କାର ଦେଶୀ ମଦ ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ଚାଲିଛି ।
Headlines 08- ଦୀଘା ମନ୍ଦିର ବିବାଦ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏ ବାବଦରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ତେଣୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ । 'ଦେଶରେ ୪ ଧାମ ଅଛି, ଏହା ବାଦ୍ ଆଉ ଧାମ କରିବା ଠିକ୍ ନୁହେଁ', 'ଜଗନ୍ନାଥ ଧାମ କେବଳ ପୁରୀରେ, ଆଉ କେଉଁଠି ହୋଇପାରିବନି' ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 09- ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଅପରାହ୍ମ ୪ଟାରେ ମାଧ୍ୟମିକ ବୋର୍ଡ ଅଫିସ୍ ରେ ଫଳାଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି । ସନ୍ଧ୍ୟା ୬ଟା ପରେ ପରୀକ୍ଷାଫଳ ୱେବ୍ ସାଇଟ୍ ରେ ଉପଲବ୍ଧ ହେବ। http://bseodisha.ac.in ୱେବ୍ ସାଇଟ୍ ମାଧ୍ୟମରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲଟ ଦେଖିପାରିବେ।
Headlines 10- ପାରାଦୀପରେ ହୋଇପାରେ ନୂଆ ଏୟାରପୋର୍ଟ। ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଆଜି ଲୋକସେବା ଭବନରେ ଏ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ