Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ଦୀଘା ମନ୍ଦିରକୁ ଧାମ ଲେଖିବା ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ ଏବଂ ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ । ପୁରୀରେ ଥିବା ‘ଜଗନ୍ନାଥ ଧାମ’ ପବିତ୍ର ସ୍ଥାନ ଏବଂ ସ୍ବତନ୍ତ୍ର ଅନ୍ୟ କୌଣସି ଠାରେ ‘ଜଗନ୍ନାଥ ଧାମ’ ବ୍ୟବହାର ଲୋକଙ୍କୁ ଆଘାତ ଦେଇଛି । କୋଟିକୋଟି ଭକ୍ତ, ତୀର୍ଥଯାତ୍ରୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଦୀଘା ମନ୍ଦିରକୁ ଧାମ କୁହାଯିବା ଏବଂ ପ୍ରଚାରରେ ବ୍ୟବହାର ଦ୍ବନ୍ଦ୍ବ ସୃଷ୍ଟି କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Headlines 02- ଆସନ୍ତାକାଲି ବାଜିବ ସାଇରନ୍। ସମ୍ଭାବ୍ୟ ଶତ୍ରୁ ଆକ୍ରମଣ ବେଳେ ସାଧାରଣ ଲୋକେ କେମିତି ନିଜର ଆତ୍ମରକ୍ଷା କରିବେ ଏନେଇ ପ୍ରଶିକ୍ଷଣ ଦେବାକୁ ଅପରାହ୍ନ ଠିକ୍ ୪ଟାରେ ଦେଶବ୍ୟାପୀ ସାଇରନ୍ ବାଜିବ । ଏଥିସହ କାଲି ଭୁବନେଶ୍ବରରେ ମକ୍ ଡ୍ରିଲ୍ ହେବ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଆଇଜି ଉମାଶଙ୍କର ଦାଶ । ସାଇରନ୍ ବାଜିବା ମାତ୍ରେ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯିବେ । ସମ୍ଭାବ୍ୟ ବୋମା ବର୍ଷଣକୁ ଲକ୍ଷ୍ୟ ରଖି ଏହି ମକ୍ ଡ୍ରିଲ୍ କରାଯିବ । ଅପରାହ୍ନ ୪ଟାରୁ ୪ଟା ୫ ପର୍ଯ୍ୟନ୍ତ ଲମ୍ବା ସାଇରନ୍ ବାଜିବ ବୋଲି ସୂଚନା ଦେଇଛନ୍ତି ଡିଆଇଜି ।
Headlines 03- ବୁଧବାର ସମରାଭ୍ୟାସ କରିବ ରାଫେଲ୍, ମିରେଜ-୨୦୦୦, ସୁଖୋଇ-୩୦ । ଭାରତ-ପାକିସ୍ତାନ ସୀମାର ମରୁଭୂମି ଅଞ୍ଚଳରେ ସମରାଭ୍ୟାସ କରାଯିବ । ଅନ୍ୟ ସମସ୍ତ ଲଢ଼ୁଆ ବିମାନ ମଧ୍ୟ ସମରାଭ୍ୟାସରେ ସାମିଲ ହେବ ବୋଲି ସୂଚନା ମିଳିଛି ।
Headlines 04- SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ୬ ମାର୍କ ଗ୍ରେସ୍ ଦିଆଯିବ । ଏନେଇ OPSC ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପର୍ରେ ୬ ମାର୍କ କମ୍ ଥିଲା । ପୂର୍ଣ୍ଣ ମାର୍କ ୧୦୦ ବଦଳରେ ୯୪ ମାର୍କର ପ୍ରଶ୍ନ ଆସିଥିଲା ।
Headlines 05- ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଚାରିତ ଖବରକୁ ଗୁଜବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଜୁଏଲ କହିଛନ୍ତି ଯେ, ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ସତ୍ୟ ଖବର ଉପରେ ବିଶ୍ବାସ କରନ୍ତୁ, ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛି, ମୁଁ ପୂରା ଫିଟ୍ ଅଛି, କର୍ତ୍ତବ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ’ । ସୂଚନାଯୋଗ୍ୟ ଯେ, ମେ ୩ ତାରିଖ ଦିଲ୍ଲୀରୁ ଗୋଣ୍ଡୱାନ ଏକ୍ସପ୍ରେସରେ ଜବଲପୁର ଯାଉଥିବା ଜଣେ କେନ୍ଦ୍ରମନ୍ତ୍ରୀ ତିନିଘଣ୍ଟା ପାଇଁ ଗାଏବ ହୋଇଯାଇଥିଲେ ବୋଲି ଖବର ପ୍ରଚାରିତ ହୋଇଥିଲା । ଏହି ଖବର ଦିଲ୍ଲୀରେ କମ୍ପନ ସୃଷ୍ଟି କରିଥିଲା। ରେଳବାଇ ମୁଖ୍ୟାଳୟଠାରୁ ସ୍ଥାନୀୟ ଷ୍ଟେସନ ସବୁଠାରେ ହଇଚଇ ସୃଷ୍ଟି ହୋଇଥିଲା।
Headlines 06- ଦୀଘା ଜଗନ୍ନାଥ ଧାମ ନାମ ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହା ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
Headlines 07- ପୁଣି ବାଣ ଭିଡ଼ିବାବେଳେ ବିସ୍ଫୋରଣ ଘଟିଛି ଏବଂ ଦୁଇଜଣ ପ୍ରାଣ ହରାଇଛନ୍ତି । ୫ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ଭଦ୍ରକ ଜିଲ୍ଲା ହଳଦୀଡିହ ଛକ ବାଣ ଗୋଦାମରେ ଏହି ଭୟଙ୍କର ବାଣ ବିସ୍ଫୋରଣ ଘଟିଛି । ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଭଦ୍ରକ ମେଡିକାଲରେ ଚିକିତ୍ସା ଚାଲିଛି ।
Headlines 08- କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାଇକ୍ ଡିକି ଭାଙ୍ଗି ଲୁଟ୍ କରିଛନ୍ତି ଲୁଟେରା । ସିମେଣ୍ଟ ଗୋଦାମ ମ୍ୟାନେଜରଙ୍କ ଡିକି ଭାଙ୍ଗି ଡିକିରେ ଥିବା ୪ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ଲୁଟ୍ର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଟାଉନ ଥାନା ପୋଲିସ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।
Headlines 09- 'ଇଣ୍ଡିଆନ୍ ଆଇଡଲ୍ ୧୨' ବିଜେତା ତଥା ଗାୟକ ପୱନଦୀପ ରାଜନ ସୋମବାର କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୱନଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଶଂସକମାନେ ମଧ୍ୟ ପୱନଦୀପଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇଯାଇଛନ୍ତି । ପବନଦୀପ ରାଜନଙ୍କ ଟିମ୍ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରିଛନ୍ତି । ଯେଉଁଥିରେ ଗାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜନ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସାମାନ୍ୟ ଭଲ ଅଛି କିନ୍ତୁ ସେ ICUରେ ଚିକିତ୍ସାଧିନ ଅଛନ୍ତି ବୋଲି କୁହାଯାଇଛି । ପୱନଙ୍କ ଶରୀରରେ ଅନେକ ଫ୍ରାକ୍ଚର ହୋଇଥିବା କୁହାଯାଉଛି ।
Headlines 10- ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଆସନ୍ତା କାଲି ବୁଧବାର ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୨୦ ଜିଲ୍ଲା ହେଉଛି ମୟୂରଭଞ୍ଜ, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୁଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, କଟକ, ନୟାଗଡ଼ ଓ କେନ୍ଦୁଝର।