)
Top 10 News Today
Headlines 01- ନୂଆପଡା ବିଜୟ ପରେ ଜୟ ଢୋଲକିଆଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଜୟଙ୍କୁ ସ୍ୱାଗତ କରିଛନ୍ତି । ନୂଆପଡ଼ାରେ ଇତିହାସ ସୃଷ୍ଟି ହୋଇଛି ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି କହିଛନ୍ତି ମନମୋହନ ସାମଲ । ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆପଡାର ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ । ଏଥିସହ ବିଜେଡିକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ, ଦଳ ପରିବର୍ତ୍ତନ କ'ଣ ବେଇମାନ ? ବେଇମାନ କହିଥିବାରୁ ଭୋଟ୍ରେ ଉଚିତ୍ ଜବାବ ଦେଲେ ନୂଆପଡ଼ାବାସୀ ।
Headlines 02- ପ୍ରକାଶ ପାଇଛି ସ୍ପେଶାଲ୍ OTET-୨୦୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିଲା ପରୀକ୍ଷା । ପେପର-୧ରେ ୧୨ହଜାର ୯୮୮ କୃତକାର୍ଯ୍ୟ ହୋଇଥିବା ସମୟରେ ପାସ୍ ହାର ରହିଛି ୪୭.୧୭% । ସେହିପରି ପେପର-୨ରେ ୩୫ ହଜାର ୧୬୫ କୃତକାର୍ଯ୍ୟ ହୋଇଥିବା ସମୟରେ ପାସ୍ ହାର ୭୮.୩୫% ରହିଛି । ମୋଟ୍ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ହୋଇଥିବା ନେଇ BSE ପକ୍ଷରୁ ସୂଚନା ଦିଆଯାଇଛି । www.bseodisha.ac.in ଭିଜିଟ୍ କରି ନିଜ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ ।
Headlines 03- ନୌଗାମ ଥାନାରେ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁକାଶ୍ମୀର ଡିଜିପି । ବିସ୍ଫୋରଣ ‘ଦୁର୍ଘଟଣାଜନିତ’ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣାର କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ । ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ସମୟରେ ୩୨ଜଣ ଆହତ ହୋଇଛନ୍ତି । ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କରିବା ବେଳେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଜଣେ SIA କର୍ମୀ, ୩ FSL କର୍ମୀ, ୨ କ୍ରାଇମ୍ସିନ୍ ଫୋଟୋଗ୍ରାଫରଙ୍କର ମୃତ୍ୟୁ ହୋଇଛି ।
Headlines 04- କଟକ ବାଲିଯାତ୍ରାରେ ଶ୍ରେୟା ଘୋଷାଲଙ୍କ ପ୍ରୋଗ୍ରାମ୍ରେ ଠେଲାପେଲା ଘଟଣାରେ ଆରୋପ ପ୍ରତ୍ୟାରୋପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ । ଅଧିକ ଲୋକ ହେବା କାରଣରୁ ଠେଲାପେଲା ହୋଇଥିଲା ଫଳରେ ୨ରୁ ୩ଜଣ ଲୋକ ଅଚେତ ହୋଇଥିଲେ । ପାଖାପାଖି ଦୁଇ ଲକ୍ଷ ଲୋକ ଷ୍ଟେଜ୍ ନିକଟରେ ଉପସ୍ଥିତ ଥିଲେ । ବାଲିଯାତ୍ରା କେବଳ ଜିଲ୍ଲା ପ୍ରଶାସନ କରେ ନାହିଁ କି ନିଷ୍ପତ୍ତି ନିଏ ନାହିଁ । ଆୟୋଜନ ପୂର୍ବରୁ ବିଭିନ୍ନ ବିଭାଗର ସମନ୍ବୟରରେ ନିଷ୍ପତ୍ତି ହୋଇଥାଏ । ସେଥିରେ ପୋଲିସ ପ୍ରଶାସନ ଅଧିକାରୀ ମଧ୍ୟ ଥାଆନ୍ତି । ଆଗକୁ ବାଲିଯାତ୍ରାରେ ଏଭଳି ବଲିଉଡ ଷ୍ଟାର ଆସିଲେ ପ୍ରସ୍ତୁତି ଭଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Headlines 05- କୋଷ୍ଟ ଗାର୍ଡ ପକ୍ଷରୁ ପାରାଦୀପ ଗଭୀର ସମୁଦ୍ରରେ ମାରାଥନ୍ ଅପରେସନ ଚାଲିଛି । ଆଞ୍ଚଳିକ ସାମୁଦ୍ରିକ ତଟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅଭ୍ୟାସ କରୁଛନ୍ତି ଯବାନ । ଅନ୍ୟପଟେ କୋଷ୍ଟ ଗାର୍ଡ ଆଇଜି ଇକବାଲ୍ ସିଂ ଚୌହ୍ବାନ କହିଛନ୍ତି ଯେ, ରାଜ୍ୟର ସବୁ ବନ୍ଦରରେ ରହିବ କୋଷ୍ଟ ଗାର୍ଡ । ଗୋପାଳପୁର ବନ୍ଦରରେ ମୁତୟନ ହେବ କୋଷ୍ଟ ଗାର୍ଡ ସିପ୍ ଏବଂ ପାରାଦୀପ ବନ୍ଦରରେ ବଢ଼ିବ କୋଷ୍ଟଗାର୍ଡ ସିପ୍ ସଂଖ୍ୟା । ଏଥିସହ ଗୋପାଳପୁର ଓ ଧାମରା ବନ୍ଦରରେ ଖୋଲିବ ଜେଟି, କୋଷ୍ଟ ଗାର୍ଡ ଶାଖା । ଧାମରା ବନ୍ଦରରେ ରହିବ କୋଷ୍ଟ ଗାର୍ଡର ଡ୍ରୋନ୍ ୟୁନିଟ୍ । କୋଷ୍ଟ ଗାର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦିଆଯାଇଛି ।
Headlines 06- କୋରାପୁଟ କୋଟିଆରୁ ତଡ଼ା ଖାଇଛି ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍ । କୋଟିଆ ଉପରଗଞ୍ଜେଇ ପଦର ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ଔଷଧ ପ୍ରଦାନ କରିବା ସମୟରେ ବ୍ଲକ ପ୍ରଶାସନ ପହଞ୍ଚି ତଡ଼ିଛି । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆଣି ଗାଁରେ ଲୋକଙ୍କୁ ଔଷଧ ବାଣ୍ଟୁଥିଲେ । ଖବର ପାଇ ବ୍ଲକ ପ୍ରଶାସନ ଅଧିକାରୀ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିଥିଲେ ।
Headlines 07- ଭୁବନେଶ୍ୱରରୁ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ୨ ସଦସ୍ୟ ଗିରଫ ହୋଇଛନ୍ତି । ବଡ଼ ଲୁଟ୍ ପାଇଁ ଯୋଜନା କରିବା ସମୟରେ କାବୁ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଅଭିଯୁକ୍ତଙ୍କଠାରୁ ଗୋଟିଏ କାରବାଇନ୍ ସହ ୫ ବନ୍ଧୁକ ଜବତ କରାଯାଇଛି ।
Headlines 08- ସୋସିଆଲ୍ ମିଡିଆରେ ବିଜେଡିକୁ ପୁଣି ଥରେ ପରୋକ୍ଷରେ ନିଶାନା କରିଛନ୍ତି ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ଫେସବୁକ ପୋଷ୍ଟରେ ସେ ଲେଖିଛନ୍ତି ଯେ, ହୁତୁହୁତୁ ହୋଇ ଜଳିବା ଆରମ୍ଭ କଲାଣି ବିପ୍ଲବର ବହ୍ନି, ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ, ଖାଲି କଣ ସେହିମାନଙ୍କୁ ମିଳିବ ଆରିସା, ଯେଉଁମାନେ ଜପିବେ ତାମିଲ ଚାଳିଶା, ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର, ଆମେରିକା ଗସ୍ତରେ ମିଛ ପ୍ରଚାର କରୁଥିଲେ ତାଙ୍କ ଚାଟୁକାର, ଭଣ୍ଡଙ୍କ ପାଇଁ କଲେଣି ଫନ୍ଦିଫିକର, କେଜାଣି ଦଳକୁ ଲାଗିଲା କାହା ନଜର ।
Headlines 09- କଣ୍ଠଶିଳ୍ପୀ ହ୍ୟୁମାନ ସାହରଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା ପରେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି ହ୍ୟୁମାନ । ପୁଅର ଅବସ୍ଥା ଗୁରତର ହେବାରୁ ସରକାର ଏବଂ ଜନସାଧାରଣଙ୍କ ସାହାଯ୍ଯ ଲୋଡିଛନ୍ତି ହ୍ୟୁମାନଙ୍କ ମାଆ । ମୋ ପୁଅକୁ ଆପଣମାନେ ସମସ୍ତେ ଜାଣିଛନ୍ତି, ମୋ ପୁଅକୁ ହେଲ୍ପ କରନ୍ତୁ ବୋଲି ହାତ ଯୋଡି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ହ୍ୟୁମାନଙ୍କ ମାଆ । ମୋର ଗୋଟିଏ ବୋଲି ପୁଅ, ସରକାର ସାହାଯ୍ୟ କଲେ ମୋର ଉପକାର ହୁଅନ୍ତା । ଆଉ ମୋର କେହି ନାହିଁ ।
Headlines 10- ଜୟ ଢୋଲକିଆ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଜୟ କହିଛନ୍ତି ଯେ, ‘ଯେଉଁମାନେ ମତେ ଆଉ ମୋ ପରିବାରକୁ ‘ବେଇମାନ୍’ କହିଥିଲେ ତାଙ୍କୁ ମୁଁ କିଛି ବି ଜବାବ୍ ଦେବାକୁ ଚାହେଁନି। ସେମାନଙ୍କୁ ଜନସାଧାରଣ ଭୋଟ୍ ମାଧ୍ୟମରେ ଜବାବ୍ ଦେଇସାରିଛନ୍ତି’ ଏହି ଜିତ୍ ନୂଆପଡାବାସୀଙ୍କ ଜିତ୍, ଭାରତୀୟ ଜନତା ପାର୍ଟିର ଜିତ୍ ବୋଲି ଜୟ କହିଛନ୍ତି ।