Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୨୧ ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବା ପରେ MCL ଗେଷ୍ଟ ହାଉସରେ ରହିବେ ଶାହ । ତାପରଦିନ ୨୨ ତାରିଖ ସକାଳେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ବିଏଚଡି ପଡ଼ିଆରେ ସାଧାରଣ ସଭାରେ ଯୋଗଦେବେ । ଉକ୍ତ ଦିନ କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତାପରେ ଦିନ ୨ଟାରେ ଭୁବନେଶ୍ବର ଏବଂ ସେଠାରୁ ପୁରୀ ଯାଇ ରାତ୍ରିଯାପନ କରିବେ । ପରଦିନ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଜଟଣୀ ଜଟଣୀରେ ଫୋରେନସିକ୍ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବେ ।
Headlines 02- ଅମିତ ଶାହଙ୍କ ଗସ୍ତ ନେଇ ପ୍ରସ୍ତୁତି ବୈଠକରେ ଜୟନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୋଭ ଝାଡ଼ି ଜୟନାରାୟଣ କହିଥିଲେ ଯେ, ବଡ଼ ବଡ଼ିଆ ନେତାଙ୍କୁ ପଚାର, ଆମ ଭଳିଆ ଛୋଟକାଟିଆଙ୍କୁ କାହିଁ ପଚାରୁଛ । ଆଜି ବୁର୍ଲାରେ ଅନୁଷ୍ଠିତ ବିଜେପି ବୈଠକରେ ବୈଠକରେ ମଞ୍ଚରେ ନବସି ବିଧାୟକଙ୍କ ସହ ପଛ ଧାଡ଼ିରେ ବସିଥିଲେ ଜୟନାରାୟଣ ।
Headlines 03- ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ରାଜ୍ୟର ପ୍ରମୁଖ ରାଜନେତା ଏବଂ ସାହିତ୍ୟିକ । ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ରମାକାନ୍ତଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଆତ୍ମାର ସଦଗତି କାମନା କରିଛନ୍ତି । କିମ୍ବଦନ୍ତୀ କବି ରମାକାନ୍ତ ରଥଙ୍କ ଦେହାନ୍ତରେ ସ୍ତବ୍ଧ ହୋଇପଡିଛି ଓଡ଼ିଆ ସାହିତ୍ୟଜଗତ। ସୋମବାର ପୁରୀ ସ୍ବର୍ଗଦ୍ବାରରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।
Headlines 04- ଭୁବନେଶ୍ବରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ବ୍ରାଞ୍ଚ୍ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରସ୍ତାବକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସ୍ବୀକୃତି ପ୍ରଦାନ କରିଛନ୍ତି । ଖୁବ ଶୀଘ୍ର ଭୁବନେଶ୍ବରରେ କାମ ଆରମ୍ଭ ହେବା ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।
Headlines 05- ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଅନ୍ଵେଷା ହଷ୍ଟେଲକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ସ୍ଥିତି ପରଖିବା ସମୟରେ ଉଦବେଗ ପ୍ରକାଶ କରିଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସକାଳ ପ୍ରାୟ ୯ଟା ସମୟରେ ମନ୍ତ୍ରୀଙ୍କ ଅଚାନକ ଗସ୍ତକୁ ଦେଖି ହଷ୍ଟେଲର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ସେଠାରେ ଥିବା ଅବ୍ୟବସ୍ଥାକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି ।
Headlines 06- ହୋଲିରେ ବିଭିନ୍ନ ସ୍ଥାନରେ ହତ୍ୟା ଅଭିଯୋଗକୁ ଆଧାର କରି ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅରୁଣ କହିଥିଲେ ଯେ, ଦୁର୍ବଳ ସରକାରରେ ଏପରି ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାର ଉତ୍ତରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମଧ୍ୟ ଅରୁଣଙ୍କୁ ଟାର୍ଗେଟ୍ କରିଛନ୍ତି । ଆଇନ ଶୃଙ୍ଖଳାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ନେତା ।
Headlines 07- ରବିବାର ଦିନ ପାକିସ୍ତାନରେ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି । କ୍ୱେଟାରୁ ପାକିସ୍ତାନର ତଫତାନ ଯାଉଥିବା ଏକ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ସାତ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୧ ଜଣ ଆହତ ହୋଇଥିଲେ। କିନ୍ତୁ ବାଲୁଚ୍ ଲିବରେସନ୍ ଆର୍ମି (BLA) ଦାବି କରିଛି ଯେ, ୯୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପରେ, ଉକ୍ତ ଅଞ୍ଚଳରେ ହେଲିକପ୍ଟର ଏବଂ ଡ୍ରୋନ ମୁତୟନ କରିଛି।
Headlines 08- ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବାନା ଗୁନି ଗିରଫ ହେବା ସହ ଜଣେ ନାବାଳକକୁ ଅଟକ ରଖିଛି ପୋଲିସ। ହୋଲି ଖେଳକୁ ନେଇ ବଚସା ହେବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି । ଅନ୍ୟପଟେ ମଞ୍ଚେଶ୍ବର ଥାନା ଅଞ୍ଚଳ ହତ୍ୟା ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓ ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳରୁ ଗିରଫ ହୋଇଛି ବୋଲି ଡିସିପି କହିଛନ୍ତି ।
Headlines 09- ପଶ୍ଚିମ ଓଡ଼ିଶାରେ ତାତି ଅଧିକ ହେବା କାରଣରୁ ଲୋକେ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି ମଧ୍ୟ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ୪୩.୬ ଡିଗ୍ରୀ ତାପମାତ୍ରା ବୌଦ୍ଧରେ ରେକର୍ଡ କରାଯାଇଛି । ଗତକାଲି ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ଥିଲା । ସେହିପରି ଝାରସୁଗୁଡ଼ାରେ ୪୨, ବଲାଙ୍ଗିର ୪୧.୭, ଅନୁଗୁଳ ୪୧.୧, ଟିଟିଲାଗଡ଼ ୪୦.୫, ସୁନ୍ଦରଗଡ଼ ୪୦.୩, ଭବାନୀପାଟଣା ୪୦.୨, ଭୁବନେଶ୍ବର ୩୬.୮, କଟକରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ମାର୍ଚ୍ଚ ୧୯ରୁ ୨୨ କାଳବୈଶାଖୀ ହେବାର ସମ୍ଭାବନା ଅଛି। ପବନର ବେଗ ଘଣ୍ଟା ପ୍ରତି ୭୦କିମି ରହିବ, କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
Headlines 10- ଆଜି ଦଶପଲ୍ଲାରେ କାଳବୈଶାଖୀ କାରଣରୁ ଅନେକ ଶାଳ ଗଛ ଭାଙ୍ଗିଯାଇଛି । ଦଶପଲ୍ଲା-ଭଞ୍ଜନଗର ରାସ୍ତା ନେଡ଼ିପାଜୁ ଛକରେ ଭାଙ୍ଗି ପଡିଛି ଅନେକ ବିଶାଳ ଶାଳ ଗଛ । ଗଛ ପଡ଼ି ରାସ୍ତା ଅବରୋଧ ହେବା କାରଣରୁ ଅନେକ ଗାଡ଼ି ମୋଟର ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଛି ।