Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି । ପୁଟିନ ଭାରତକୁ ସମର୍ଥନ ଜଣାଇଛନ୍ତି ବୋଲି ସୂଚନା ମିଳିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, "ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ସେ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ସେ କହିଥିଲେ ଯେ, ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ । ରଣଧୀର ଜୟସୱାଲଙ୍କ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, "ପୁଟିନ କହିଥିଲେ ଯେ, ଏହି ଘୃଣ୍ୟ ଆକ୍ରମଣରେ ଅପରାଧୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ।
Headlines 02- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ମେ ୭ (ବୁଧବାର) ଦିନ ମକ୍ ଡ୍ରିଲ୍ କରିବାକୁ ଅନେକ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୂତ୍ର ଅନୁଯାୟୀ, ଏହି ଅଭ୍ୟାସ ସମୟରେ, ବିମାନ ଆକ୍ରମଣ ଚେତାବନୀ ସାଇରନ ବାଜିବ । ସାଧାରଣ ନାଗରିକ ଏବଂ ଛାତ୍ରମାନଙ୍କୁ ଶତ୍ରୁ ଆକ୍ରମଣ ସମୟରେ ନିଜକୁ କିପରି ସୁରକ୍ଷା ଦେବେ ସେ ବିଷୟରେ ଉପଯୁକ୍ତ ତାଲିମ ଦିଆଯିବ । ସୂଚନା ଅନୁଯାୟୀ, ଡ୍ରିଲ୍ ସମୟରେ, ଗୁରୁତ୍ୱପୂର୍ଣ୍ଣ ପ୍ଲାଣ୍ଟ ଏବଂ ପ୍ରତିଷ୍ଠାନଗୁଡ଼ିକର କ୍ରାସ୍ ବ୍ଲାକ୍ ଆଉଟ୍ ବ୍ୟବସ୍ଥା ପରଖିବାକୁ ପରାମର୍ଶ। ଜରୁରୀକାଳୀନ ପରିସ୍ଥିତିରେ କିପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେନେଇ ରାଜ୍ୟଗୁଡ଼ିକୁ ସେମାନଙ୍କର ସ୍ଥାନାନ୍ତର ଯୋଜନାକୁ ଅପଡେଟ୍ ଏବଂ ଅଭ୍ୟାସ କରିବାକୁ କୁହାଯାଇଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଲକ୍ଷ୍ୟରେ ଏହି ଅଭ୍ୟାସ କରାଯାଉଛି।
Headlines 03- ଦୀଘା ଜଗନ୍ନାଥ ମନ୍ଦିର ସହ ଜଗନ୍ନାଥ ଧାମ, ଶ୍ରୀପୁରୁଷତ୍ତୋମ କ୍ଷେତ୍ର, ଶ୍ରୀକ୍ଷେତ୍ର ନାମ ଲଗାଇ କୁହାଯାଇ ପାରିବନି । ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଆଜି ଏକ ପ୍ରେସବାର୍ତ୍ତା ଜାରି କରି ଗଜପତି ମହାରାଜାଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
Headlines 04- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳର ଅନେକ ସଦସ୍ୟଙ୍କୁ ଦାୟିତ୍ୱ ତଥା ପଦପଦବୀ ବଣ୍ଟନ କରିଛନ୍ତି । ବିଜୁ କୃଷକ ଜନତା ଦଳ ଆବାହକ ହୋଇଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଆଞ୍ଚଳିକ ବିକାଶ ସେଲ ଆବାହକ ହୋଇଛନ୍ତି ଅନଙ୍ଗ ଉଦୟ ସିଂହଦେଓ । ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସମବାୟ ସେଲ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଶିକ୍ଷା ଓ ଶିକ୍ଷକ ସେଲ ଆବାହକ ଭାବେ ବଦ୍ରି ନାରାୟଣ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ଆଦିବାସୀ ସେଲ ଆବାହକ ଭାବେ ମଙ୍ଗଳା କିଷାନ, ବରିଷ୍ଠ ନାଗରିକ ସେଲ ଆବାହକ ଭାବେ ଦେବାଶିଷ ସାମନ୍ତରାୟ, ଓବିସି ସେଲ ଆବାହକ ଭାବେ ଅରୁଣ ସାହୁ, ଏସସି ସେଲ ଆବାହକ ଭାବେ ମହେଶ ସାହୁ ଏବଂ ଆଇଟି ଓ ସାମାଜିକ ଗଣମାଧ୍ୟମ ସେଲ ଆବାହକ ଭାବେ ଅମର ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛି ବିଜେଡି ।
Headlines 05- ବିଜେଡି ସଂଖ୍ୟାଲଘୁ ସେଲ୍ ଆବାହକ ହୋଇଛନ୍ତି ଦିଲୀପ ତିର୍କୀ । ସଂଖ୍ୟାଲଘୁ ସେଲ୍ରେ ରିଜୱାନ ବେଗମ, ମୁଜବୁଲ୍ଲା (ମୁନା) ଖାନ୍, ଆୟୁବ ଖାନ୍ ଓ ଶେଖ୍ ନିଜାମୁଦ୍ଦିନଙ୍କୁ କୋର୍ଡିନେଟର ଦାୟିତ୍ବ ମିଳିଛି । ଅନ୍ୟପଟେ, ରାଜନୈତିକ ବ୍ୟାପାର କମିଟି (PAC) ଗଠନ କରିଛି ବିଜେଡି ଯେଉଁଥିରେ ସଭାପତି ନବୀନ ପଟ୍ଟନାୟକ PAC ଅଧ୍ୟକ୍ଷ ଦାୟିତ୍ବ ନେଇଛନ୍ତି । ୯ ଜଣିଆ ସଦସ୍ୟ ତାଲିକାରେ ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନୀ ସାହୁ, ସସ୍ମିତ ପାତ୍ର, ସନ୍ତୃପ୍ତ ମିଶ୍ର ଅଛନ୍ତି ।
Headlines 06- ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦ କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତା ଠାରେ ସ୍ମୃତି ସଂଗ୍ରହାଳୟ ଓ ଵ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦର ସମୁଦାୟ ୩୪୦ ଗୋଟି ନୂତନ ପ୍ରକଳ୍ପର ଘୋଷଣା, ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
Headlines 07- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମାନଙ୍କର ଉତ୍ତମ ଚିକିତ୍ସା ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଖୁବଶୀଘ୍ର ଆଉ ୪ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ। ସେଗୁଡିକ ହେଲା ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁର। ନୂଆ ସରକାର ଆସିବା ପରେ ୪ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀ ପଦବୀ ପୂରଣ କରାଯାଇଛି। ଆଗାମୀ ଦିନରେ ୫ହଜାର ଡାକ୍ତର ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 08- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଟାଉନରେ ନବ ନିର୍ମିତ ଥାନାଗୃହ ଏବଂ ରିଜର୍ଭ ପୋଲିସ ଅଫିସ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ନବନିର୍ମିତ ଟାଉନ ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୁଦାୟ ୩ କୋଟି ୩୪ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଥାନା ଓ ୨ କୋଟି ୭୬ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ନିର୍ମିତ ରିଜର୍ଭ ପୋଲିସ ଅଫିସର ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ । ଏହି ଥାନାଗୁଡ଼ିକ ଦ୍ଵାରା ଲୋକମାନେ ଉନ୍ନତ ମାନର ସେବା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ପୋଲିସ କର୍ମଚାରୀଙ୍କ ପାଇଁ ୧୭ ଟି SUV ଗାଡି ଏବଂ ୮୦ ଟି ମୋଟର ସାଇକେଲକୁ ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ।
Headlines 09- ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ବଳକା କାଠରେ ବିଗ୍ରହ ନିର୍ମାଣ ସମ୍ପୂର୍ଣ୍ଣ ମିଛ ବୋଲି ସ୍ପଷ୍ଟତା ଆସିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଦିଘାରୁ "ଜଗନ୍ନାଥ ଧାମ" ଲେଖା ହଟାଇବା ପାଇଁ ହେବ ପ୍ରୟାସ ଏବଂ ମହାପ୍ରଭୁଙ୍କ ଦୈନିଦିନ କାର୍ଯ୍ୟ ସହ ନିଯୋଗଙ୍କ ଆଚରଣ ଓ ଉଚ୍ଚାରଣ ନେଇ ମାର୍ଗଦର୍ଶିକା ଜାରି ହେବ ବୋଲି ମନ୍ତ୍ରୀ କହିଛନ୍ତି ।
Headlines 10- ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ମଙ୍ଗଳବାର ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେଗୁଡିକ ହେଉଛି ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ କେନ୍ଦୁଝର।