)
Top 10 News Today
Headlines 01- ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସିପି ରାଧାକ୍ରିଷ୍ଣନ୍। ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶପଥ ପାଠ ପରେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍।
Headlines 02- ଦିଲ୍ଲୀ ପରେ ବମ୍ବେ ହାଇକୋର୍ଟରେ ବୋମା ଧମକ ମିଳିଛି। ଖବର ପ୍ରଚାରିତ ହେବା ପରେ ବୋମା ସ୍କ୍ୱାଡ୍ ଘଟଣାସ୍ଥଳକୁ ପହଞ୍ଚିଛି। ବର୍ତ୍ତମାନ ସମଗ୍ର ଅଞ୍ଚଳ ଖାଲି କରାଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପ୍ରତି ସ୍ଥିତି ଯାଞ୍ଚ କରୁଛି। ପୋଲିସ କହିଛି ଯେ, ବମ୍ବେ ହାଇକୋର୍ଟ ପ୍ରଶାସନକୁ ଶୁକ୍ରବାର ଅପରାହ୍ନରେ ବୋମା ଧମକ ସମ୍ପର୍କିତ ଏକ ଇମେଲ୍ ଆସିଥିଲା । ଫଳରେ ପାଖାପାଖି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଶୁଣାଣିକୁ ସ୍ଥଗିତ ମଧ୍ୟ ରଖିବାକୁ ପଡିଥିଲା।
Headlines 03- ରାଜ୍ୟ ସରକାର IAS କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । IAS ବିଜୟ ଅମୃତ କୁଲାଙ୍ଗେଙ୍କୁ କଟକର ପଶୁପାଳନ ଏବଂ ପଶୁଚିକିତ୍ସା ସେବା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହା ସହିତ ତାଙ୍କୁ OMFED, ଭୁବନେଶ୍ୱରର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। IAS ଆୟୁଷ ନିର୍ଦ୍ଦେଶକ ପ୍ରେମଜିତ ନାୟକଙ୍କୁ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗରେ ସରକାରଙ୍କ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି। IAS ସଚିବ ଅଞ୍ଜନା ପଣ୍ଡା ଭୁବନେଶ୍ୱରର ଆୟୁଷ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। IAS ପି. ଅନ୍ୱେଷା ରେଡ୍ଡୀଙ୍କୁ କଟକର ପଞ୍ଜିକରଣ ମହାନିରୀକ୍ଷକ ଭାବରେ ଅତିରିକ୍ତ ଦାୟିତ୍ୱ ମିଳିଛି।
Headlines 04- ଛତିଶଗଡ଼ ଵିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ଗୁଳିବିନିମୟ । ପୁଣି ଏନ୍କାଉଣ୍ଟର କାରଣରୁ ୨ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି । ଜଙ୍ଗଲରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ଯବାନ । ଗତକାଲି ମଧ୍ୟ ଅପରେସନରେ ଯବାନଙ୍କୁ ମିଳିଥିଲା ବଡ଼ ସଫଳତା ।
Headlines 05- ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ । ଲେବର କାର୍ଡ କରାଇବାକୁ କହି ଜଣେ ବ୍ୟକ୍ତିଙ୍କ ନିକଟରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ ଟିମ୍ । ଚିତ୍ତରଞ୍ଜନକ ଘର ଅଫିସ ସମେତ ଲିଙ୍କ୍ ଥିବା ଅନ୍ୟାନ୍ୟ ସ୍ଥାନରେ ପହଞ୍ଚି ଭିଜିଲାନ୍ସ ଖୋଳତାଡ କରୁଛି ।
Headlines 06- କନ୍ଧମାଳ ଜିଲ୍ଲା ପୋଲିସର ଅପରେସନ ପ୍ରହାରରେ ବଡ଼ ସଫଳତା ମିଳିଛି । ୨ଟି ପୃଥକ ସ୍ଥାନରୁ ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯିବା ସହ ୭ଜଣଙ୍କୁ ଗିରଫ କରାଯାଇଛି । କାଟ୍ରାମାଲା ନିକଟରୁ ୧୨୦ କିଲୋ ଗଞ୍ଜେଇ ସହ ୨ ଜଣ ଗିରଫ ହୋଇଥିବା ସମୟରେ ବାଲନ୍ଦାପଡ଼ାରୁ ୨୦୮ କିଲୋ ଗଞ୍ଜେଇ ଜବତ କରାଯିବା ସହ ୫ ଗିରଫ ହୋଇଛନ୍ତି ।
Headlines 07- ବିଜୁ ଜନତା ଦଳର ଅସନ୍ତୁଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏ ନେଇ ଦଳର ଉପ ସଭାପତି ପ୍ରତାପ ଜେନା ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାଳର୍ଯ୍ୟକଳାପ ଲାଗି ଶ୍ରୀ ମଲ୍ଲିକଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି। ରାଜ୍ୟ ସଭାପତିଙ୍କ ଆଦେଶ କ୍ରମେ ସେ ଏହି ବିଜ୍ଞପ୍ତି ଜାରି କରୁଥିବା ଶ୍ରୀ ଜେନା କହିଛନ୍ତି।
Headlines 08- ଏଥର କଟକ ବାଲିଯାତ୍ରା ନାଁ ହେବ 'ଐତିହାସିକ ବାଲିଯାତ୍ରା କଟକ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ୍ ପଡିବ । ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା ।
Headlines 09- ଖୋର୍ଦ୍ଧା ଜଙ୍କିଆ ଛଣଗିରି ଗହଣା ଦୋକାନ ଲୁଟ୍ ଘଟଣାରେ ଆଉ ୨ଜଣ ଗିରଫ ହୋଇଛନ୍ତି । ଏଥିସହ ୧ କିଲୋ ୧୩ ଗ୍ରାମ୍ ସୁନା ଓ ୨୨୩୧ ଗ୍ରାମ୍ ରୁପା ଜବତ କରାଯାଇଛି । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ କଟକର ଓ ଅନ୍ୟ ଜଣେ ପୁରୀ କଣାସର ବୋଲି ସୂଚନା ମିଳିଛି । ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ, ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ପୂର୍ବରୁ ପ୍ରାୟ କିଲେ ସୁନା ଓ ୨୪୦୦ ଗ୍ରାମ ରୁପା ସହ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ମୋଟ୍ ୨ କିଲୋ ସୁନା ଓ ୪୫୦୦ ଗ୍ରାମ୍ ରୁପା ଜବତ କରିଛି ପୋଲିସ ।
Headlines 10- ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ ବୋଲି ଆକଳନ କରାଯାଇଛି । ଏଥିସହ ସଂଲଗ୍ନ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଛତିଶଗଡ଼ ଆଡ଼କୁ ୪୮ ଘଣ୍ଟା ମଧ୍ୟରେ ଗତି କରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।