Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଖୁବଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ବଚ୍ ୱିଲମୋର। Space Xର ମିଶନ କ୍ରୁ-10 ସୁନିତା ଓ ବଚ୍ଙ୍କୁ ଘରକୁ ଫେରିବା ଆଣିବା ପାଇଁ ସ୍ପେଶ ଷ୍ଟେସନରେ ପହଞ୍ଚି ସାରିଛନ୍ତି । ସୁନିତା ପୃଥିବୀ ପୃଷ୍ଠରେ ଓଲ୍ଲାଇବା ନେଇ ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆମେରିକୀୟ ସମୟ ଅନୁସାରେ ମାର୍ଚ୍ଚ ୧୮ ମଙ୍ଗଳବାର ସନ୍ଧ୍ୟା ୫ଟା ୫୭ରେ ସୁନିତା ୱିଲିୟମ୍ସ ପହଞ୍ଚିବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସମୟ ଅନୁସାରେ ବୁଧବାର ଭୋର ୩ଟା ୨୭ରେ ସୁନିତା ପହଞ୍ଚିବେ । ମହାକାଶରୁ ଫେରି ଫ୍ଲୋରିଡ଼ା ଉପକୂଳରେ ୨ ମହାକାଶଚାରୀ ଅବତରଣ କରିବେ। ସେମାନଙ୍କୁ ଫେରାଇ ଆଣିବା ପାଇଁ ଡ୍ରାଗନ ସ୍ପେସକ୍ରାଫ୍ଟ ଯାଇଛି। ଆପଣଙ୍କୁ କହିରଖୁଛୁ ଯେ, ୯ ମାସ ହେବ ମହାକାଶରେ ଫସି ରହିଛନ୍ତି ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋ ।
Headlines 02- ମାର୍ଚ୍ଚ ୨୪ ଏବଂ ୨୫ ତାରିଖରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ କରାଯିବ। ୯ ଦଫା ଦାବି ନେଇ ଏହି ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ- UFBU । ୬ ହଜାର ବ୍ୟାଙ୍କ୍ ଶାଖାର ୩୭ ହଜାର କର୍ମଚାରୀ ଏହି ଧର୍ମଘଟରେ ସାମିଲ୍ ହେବେ ବୋଲି କୁହାଯାଇଛି । ମାର୍ଚ୍ଚ ୨୨ ଓ ୨୩ ସାପ୍ତାହିକ ଛୁଟି ଥିବାରୁ ଲଗାତାର ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ୍ ବନ୍ଦ ରହିବ ।
Headlines 03- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି । ମର ଶରୀରକୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ବର ଅଣାଯାଇଥିଲା ପ୍ରାର୍ଥିବ ଶରୀର । ବିଜେପି କାର୍ଯ୍ୟାଳୟରେ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଶୁଭେଚ୍ଛୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେ ମନ୍ତ୍ରୀ ଏବଂ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
Headlines 04- ପଞ୍ଚଭୂତରେ ବିଲୀନ ହୋଇଛି ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପାର୍ଥିବ ଶରୀର। ଆଜି ପୁରୀ ସ୍ବର୍ଗଦ୍ବାରରେ ରମାକାନ୍ତଙ୍କ ପ୍ରାର୍ଥିବ ଶରୀରର ଅନ୍ତିମ ସତ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯାଇଛି। ମୁଖାଗ୍ନି ଦେଇଥିଲେ ପୁଅ ପିନାକୀ ରଥ । ଶେଷକୃତ୍ୟରେ ସାମିଲ ହୋଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି ।
Headlines 05- ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ପିସିସିଏଫ୍ ସୁରେଶ ପନ୍ତ୍ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜଙ୍ଗଲ ନିଆଁ ଲିଭାଇବାରେ ୯୯.୯୯% ସଫଳ ହେଉଛି ବନ ବିଭାଗ ଏବଂ ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍ ସହାୟତା ନିଆଯିବ । ପ୍ରଥମ ରାଜ୍ୟ ଭାବେ OFMS ଫରେଷ୍ଟ ଫାୟର ଆପ୍ଲିକେସନ ବ୍ୟବହାର କରାଯାଉଛି । ତତ୍କାଳ ତଥ୍ୟ ପାଇଁ ଶିମିଳିପାଳରେ ୫ଟି AI କ୍ୟାମେରା ଲାଗିଛି ।
Headlines 06- କାମାକ୍ଷାନଗରରେ ଜଙ୍ଗଲ ନିଆଁରେ ଜଳି ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ମହାବିରୋଡ୍ ଥାନା ଗୋବରୀ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଘର ଆଡ଼କୁ ନିଆଁ ମାଡ଼ି ଆସୁଥିବା କାରଣରୁ ଉକ୍ତ ନିଆଁକୁ ଲିଭାଉଥିଲେ ମହିଳାଜଣକ । କେନାଲ୍ ହୁଡ଼ାରେ ଠିଆ ହୋଇ ନିଆଁ ଲିଭାଉଥିବା ସମୟରେ ନିଆଁରେ ପଡ଼ିଯାଇଥିଲେ ।
Headlines 07- ରାଜ୍ୟରେ ବଢିବାରେ ଲାଗିଛି HIV ରୋଗୀଙ୍କ ସଂଖ୍ୟା । ୨୦୨୧ରେ ୨୩୪୧, ୨୦୨୨ରେ ୩୨୩୨, ୨୦୨୩-୨୪ରେ ୩୪୩୬ ଜଣ ଚିହ୍ନଟ ହୋଇଛନ୍ତି । ୨୦୨୪ ଡିସେମ୍ବର ସୁଦ୍ଧା ୬୩,୭୪୨ HIV ରୋଗୀ ଚିହ୍ନଟ ହୋଇଥିବା ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ ଉତ୍ତର ଦେଇଛନ୍ତି ।
Headlines 08- ଦୁର୍ଘଟଣାରେ ଅଭିନେତ୍ରୀ ପାୟଲ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ଫଳରେ ଯାଜପୁର ସ୍ଥିତ ଗାଁରେ ଶୋକର ଛାୟା ଖେଳିଯାଇଛି। ସୋର ଥାନା ୧୬ନଂ ଜାତୀୟ ରାଜପଥ ଦହିସଡା ସାଧନା ହୋଟେଲ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଏକ ସ୍କୁଟି ଭାରସାମ୍ୟ ହରାଇବା କାରଣରୁ ଦୁଇ ଯାତ୍ରା ଅଭିନେତ୍ରୀ ଏକ ବ୍ରିଜ ଉପରୁ ପ୍ରାୟ ୨୦ ଫୁଟ ତଳେ ଖସି ପଡିଥିଲେ । ଫଳରେ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଦୁଇ ଯାତ୍ରା ଅଭିନେତ୍ରୀଙ୍କ ନାମ ହେଉଛି ବାଲେଶ୍ୱର ବୁରୁଦା ଅଞ୍ଚଳର ଝିଲି ସାହାଣୀ ଏବଂ ପାଣିକୋଇଲି ଅଞ୍ଚଳର ପାୟଲ ପଣ୍ଡା। ଦୁର୍ଘଟଣାରେ ପାୟଲଙ୍କ ମୃତ୍ୟୁ ହୋଇଥିବା ସମୟରେ ଝିଲି ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
Headlines 09- ନିଜ ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଭିନେତା ତଥା ୟୁଟୁବର ତପି ମିଶ୍ର । ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଘମାଘୋଟ' ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ତପି କହିଛନ୍ତି ଯେ, 'ମତେ ଟ୍ରୋଲ କଲେ ଚଳିବ କିନ୍ତୁ ସିନେମାକୁ ଯିଏ ବିନା କୌଣସି ତଥ୍ୟ ନରଖି ଟ୍ରୋଲ୍ କରିବ ତେବେ ମୁଁ ତାକୁ ଘରେ ପଶି ସେକିବି' ତପିଙ୍କ ଏପରି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଅନେକ ଚର୍ଚ୍ଚା ଆଲୋଚନା । କିଛି ସିନେପ୍ରେମୀ ତପିଙ୍କ ଏପରି କଥାକୁ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି ।
Headlines 10- ଗତକାଲି ପରି ଆଜି ମଧ୍ୟ ବୋଦ୍ଧର ତାପମାତ୍ରା ୪୩ ଡିଗ୍ରୀ ପାର୍ କରିଛି । ତାତିରେ ସିଝୁଛି ରାଜ୍ୟର ଅନେକ ଜିଲ୍ଲା । ୧୭ ମାର୍ଚ୍ଚ ସୋମବାର ଦିନ ବୋଦ୍ଧରେ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ପଛକୁ ବରଗଡ଼ରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଜି ଝାରସୁଗୁଡ଼ାରେ ୩୯.୮, ସମ୍ବଲପୁରରେ ୩୯.୬ ଏବଂ ହୀରାକୁଦ ୩୯.୧ ଡିଗ୍ରୀ ତାପମାତ୍ରା ରହିଥିଲା । ଅନୁଗୁଳରେ ୪୦.୭ ଏବଂ ମାଲକାନଗିରିରେ ୪୦.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଟୁଇନ୍ ସିଟି ଭୁବନେଶ୍ବର ଏବଂ କଟକରେ ଯଥାକ୍ରମେ ୩୬.୭ ଏବଂ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୧୯ ତାରିଖ ପରେ କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରାରେ ପରିବର୍ତ୍ତନ ହୋଇପାରେ ।