)
Top 10 News Headlines 3 September 2025: Jagannath Temple Queue System: ପୁରୀ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଖୁବ୍ଶୀଘ୍ର ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରରେ ଧାଡି଼ ଦର୍ଶନ ବ୍ୟବସ୍ଥା ପ୍ରଚଳନ କରିବେ। ମନ୍ଦିରର ନବଗଠିତ ପରିଚାଳନା କମିଟି ଆଜି ଭକ୍ତମାନଙ୍କ ପାଇଁ ପ୍ରସ୍ତାବିତ ଧାଡି ଦର୍ଶନ ବ୍ୟବସ୍ଥାକୁ ଅନୁମୋଦନ କରିଛି। ମନ୍ଦିର ପରିସରରେ ଥିବା ନାଟମଣ୍ଡପରେ ଏହି ଧାଡି ବ୍ୟବସ୍ଥା ପ୍ରଚଳନ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପୂର୍ବରୁ ପାଇଲଟ୍ ଭିତ୍ତିରେ ଏହି ବ୍ୟବସ୍ଥା ଆରମ୍ଭ କରିବ।
Odisha Weather update: ରାଜ୍ୟରେ ଲଗାଣ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ନଦୀ ଜଳପତ୍ତନ ବୃଦ୍ଧି ଘଟିଛି। କିନ୍ତୁ ରାଜ୍ୟର କୌଣସି ବଡ଼ ନଦୀ ବିପଦ ସଙ୍କେତ ଉପରକୁ ପ୍ରବାହିତ ହୋଇ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ଏହି ଲଘୁଚାପ ଦ୍ୱାରା ଯେତିକି ବର୍ଷା ଆକଳନ କରାଯାଇଥିଲା ତାହା ହୋଇ ନାହିଁ। ଆଗକୁ ଯଦି ବର୍ଷା ପରିମାଣ ବଢ଼େ ତେବେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
Odisha State Film Awards: ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଅକ୍ଟୋବର ୪ତାରିଖ ସୁଦ୍ଧା ଆବେଦନ ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ ବା ସ୍ପିଡ଼ ପୋଷ୍ଟ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
NHRC Seeks Report from Odisha DGP: ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ସମ୍ବେଦନଶୀଳତାର ସହ ଗ୍ରହଣ କରିଛନ୍ତି ଜାତୀୟ ମାନବାଧିକାର କମିଶନ। ରାଜ୍ୟ ସରକାରଙ୍କ ପୁଲିସ ବିଭାଗକୁ ଏ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୯ ତାରିଖରେ, ଏହି ସାମ୍ବାଦିକଙ୍କୁ କିଛି ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିଥିବା ନେଇ ଖବରକାଗଜ ରିପୋର୍ଟରେ ପ୍ରକାଶ ପାଇଥିଲା। ଏହି ବ୍ୟକ୍ତିଙ୍କ ବିରୋଧରେ ସାମ୍ବାଦିକ ଜଣକ ଖବର ପ୍ରକାଶ କରିଥିବାରୁ ସେ ଉତ୍ୟକ୍ତ ହୋଇ ଏପରି ଆଚରଣ କରିଥିବା କୁହାଯାଇଥିଲା।
Non-students to be banned from UU campus:: ଶୃଙ୍ଖଳା ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ-ଚାନ୍ସଲରଙ୍କୁ ବାଣୀବିହାର କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶକୁ କଡ଼ାକଡ଼ି ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟ ସହ ସମ୍ପର୍କ ନଥିବା କୌଣସି ବ୍ୟକ୍ତି, ସେ ସ୍ଥାନୀୟ ବାସିନ୍ଦା ହୁଅନ୍ତୁ କିମ୍ବା ବାହାର ଲୋକ, ତାଙ୍କୁ କ୍ୟାମ୍ପସରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା ନାହିଁ।
Odisha Vigilance Arrests 8 SIG Members: ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା (SGSY) ଅଧୀନରେ ଜର୍ସି ଗାଈ କ୍ରୟ ପାଇଁ ବରାଦ ହୋଇଥିବା ସରକାରୀ ପାଣ୍ଠିର ଅପବ୍ୟବହାର କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର କୁରୁକି ଗ୍ରାମର ଆଠ ଜଣଙ୍କୁ ଭିଜିଲାନ୍ସ ସ୍କ୍ୱାଡ୍ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। ଅଭିଯୁକ୍ତ ମାନେ ହେଲେ ମଣି ଦାସ, ପ୍ରଭାତୀ ଦାସ, ପ୍ରମିଳା ଦାସ, ଲିଲି ଦାସ, ଛବିଲତା ଦାସ, ହେମା ଦାସ, ଶାନ୍ତିଲତା ପରିଡା, ମମତା ପରିଡା।
Missing YouTuber Sagar Kundu’s body recovered: ଓଡ଼ିଶାର କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତରେ ଭାସି ଯାଇଥିବା YouTuber ସାଗର କୁଣ୍ଡୁଙ୍କ ମୃତଦେହ ୧୦ ଦିନରୁ ଅଧିକ ସମୟ ପରେ ବୁଧବାର ଦିନ ଉଦ୍ଧାର କରାଯାଇଛି। ମାଚକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରୁ ପ୍ରାୟ ୩ କିଲୋମିଟର ଦୂରରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
Six Of Family Sentenced To Life Imprisonment: ନବରଙ୍ଗପୁର ଜିଲ୍ଲାର ଏକ କୋର୍ଟ ଜଣେ ନାବାଳକ ପୁଅକୁ ହତ୍ୟା କରିବା ପାଇଁ ଗୋଟିଏ ପରିବାରର ଛଅ ଜଣ ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡ ଏବଂ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଲେଖାଁଏ ଜରିମାନାରେ ଦଣ୍ଡିତ କରିଛନ୍ତି। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ବିଷ୍ଣୁ ପ୍ରସାଦ ମିଶ୍ର ଏହି ରାୟ ଶୁଣାଇଛନ୍ତି। ଏହି ଘଟଣା ୨୦୨୨ ମସିହା ଅଗଷ୍ଟ ୯ ତାରିଖରେ କୋଡିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗାଁରେ ଘଟିଥିଲା।
Cabinet Decisions: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି। ଯେଉଁଥିରେ ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ କ୍ୟାବିନେଟ ୧୫୦୦ କୋଟି ଟଙ୍କାର ଏକ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଛି।
Government's big decision regarding refugees: ଗୃହ ମନ୍ତ୍ରଣାଳୟ ସେପ୍ଟେମ୍ବର ୧ରେ ପ୍ରବାସ ଏବଂ ବିଦେଶୀ ଆଇନ ୨୦୨୫ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିବା ପରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମ୍ପର୍କରେ ଏକ ନୂତନ ବିବାଦ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସେପ୍ଟେମ୍ବର ୧ରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିଥିବା ନନ୍-ମୁସଲିମ ବିଦେଶୀ ନାଗରିକମାନଙ୍କୁ ତୁରନ୍ତ ଦେଶରୁ ବହିଷ୍କାର କରାଯିବ ନାହିଁ କିନ୍ତୁ ଏଥିରେ ନାଗରିକତା ପ୍ରଦାନ କରିବା ବିଷୟରେ କୌଣସି ଉଲ୍ଲେଖ ନାହିଁ।