ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Trending Photos
)
H1. ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ
ଓଡ଼ିଶାରେ ୬ ଲୋକସଭା ମଣ୍ଡଳୀ ଓ ୪୨ ବିଧାନସଭା ମଣ୍ଡଳୀ ଲାଗି ଭୋଟଗ୍ରହଣ ଆଜି ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏ ମତଦାନ ଜାରି ରହିବ। ଯେଉଁ ବୁଥରେ ସନ୍ଧ୍ୟା ୬ଟା ପରେ ଭୋଟର ରହିବେ ସେଠାରେ ତାଙ୍କୁ ମତଦାନ କରିବାକୁ ସୁଯୋଗ ଦିଆଯିବ। ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସମୁଦାୟ ୧୦୮୮୨ଟି ବୁଥ ପ୍ରସ୍ତୁତ କରାଯାଇଛି। ସମସ୍ତ ବୁଥରେ ମକ୍ ପୁଲିଂ ବି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୪୦୦ରୁ ଅଧିକ ମହିଳା କର୍ମଚାରୀଙ୍କୁ ବୁଥ ପରିଚାଳନା ଦାୟିତ୍ୱ ଦିଆଯାଇଛି। ୧୨ ଜଣ ସାଧାରଣ ପର୍ଯ୍ୟବେକ୍ଷକଙ୍କ ସମେତ ୩ ପୁଲିସ ପର୍ଯ୍ୟବେକ୍ଷକ ଏବଂ ୧୮ଜଣ ଖର୍ଚ୍ଚ ଆକଳନ କରିବା ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।
H2. ଅନ୍ତିମ ପର୍ଯ୍ୟାୟ ମତଦାନ: ୫୭ ଆସନରେ ମତଦାନ
ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ଭୋଟିଂ ଚାଲିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ସଢ଼େ ୬ଟାରୁ ଚାଲିଛି ମତଦାନ। ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ସେହିପରି ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ମଧ୍ୟ ଚାଲିଛି ଭୋଟିଂ।
H3. ୧୦ ପୋଲିଂ କର୍ମଚାରୀଙ୍କ ସମେତ ୧୪ ମୃତ
ନିର୍ବାଚନ ଋତରୁରେ ପ୍ରବଳ ଖରା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ମୁଣ୍ଡ ଫଟା ଖରା ଯୋଗୁ ବିହାରରେ ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୧୦ ଜଣ ପୋଲିଂ କର୍ମଚାରୀ ରହିଛନ୍ତି। ସମସ୍ତଙ୍କର ମୃତ୍ୟୁ ହିଟଷ୍ଟ୍ରୋକ ବା ଅଂଶୁଘାତ ଯୋଗୁ ହୋଇଛି। ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭୋଜପୁରରେ ସର୍ବାଧିକ ୫ ଜଣ ହିଟଷ୍ଟ୍ରୋକ ଯୋଗୁ ପ୍ରାଣ ହରାଇଛନ୍ତି। ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଏଠାରେ ୫ ଜଣ କର୍ମଚାରୀଙ୍କ ଜୀବନ ଯାଇଛି।
H4. କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ
ପ୍ରଖ୍ୟାତ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ନିଜ ପୈତୃକ ଘର ବୈଦରାଜ ସାହିରେ ସେ ଶେଷ ନିଶ୍ବ।ସ ତ୍ୟାଗ କରିଛନ୍ତି। କେନ୍ଦୁଝର ସହରର ବୈଦ୍ୟରାଜ ସାହିରେ ୧୯୩୭ ମସିହା ଫେବ୍ରୁଆରି ୧୨ ତାରିଖରେ ଶ୍ରୀ କୁଅଁର ଜନ୍ମଗ୍ରହଣ କରିଥିଲେ। ସେ ୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ରାବଣବଦ୍ଧ, ତ୍ରିପୁରାସୁରବଦ୍ଧ, ଚନ୍ଦ୍ରହାସ୍ୟ ଖଡ୍ଗ, ମନ୍ଦୋଦରୀ ବିବାହ, ଚାର୍ଲସ ଶୋଭରାଜ, ବୀରସୁରେନ୍ଦ୍ର ସାଏ, ସହିଦ ଲକ୍ଷ୍ମଣ ନାୟକ, ଶ୍ରୀ ଗଣେଶ, ସତୀ ତୁଳସୀ ପରିବ ୪୫ଟି ବିଷୟବସ୍ତୁକୁ ନେଇ ସେ କଣ୍ଢେଇ ନୃତ୍ୟ ପରିବେଷଣ କରୁଛନ୍ତି।
H5. ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ
ପଶ୍ଚିମ ଓଡ଼ିଶାରେ ତାତି ଥମିବାର ନାଁ ନେଉନାହିଁ। ବୃଦ୍ଧିପାଉଥିବା ତାପମାତ୍ରା ପଶ୍ଚିମଓଡ଼ିଶାରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି କରୁଛି। ପଶ୍ଚିମଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାରଦ ୪୫ ଡିଗ୍ରି ଉପରେ ରହିଥିବା ବେଳେ ଶୁକ୍ରବାର ୪ ସହରର ତାପମାତ୍ରା ୪୬ ଡିଗ୍ରି ଅତିକ୍ରମ କରିଛି। ୪୬.୫ ଡିଗ୍ରି ସହ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବଲାଙ୍ଗୀର, ସୋନପୁର ଓ ବରଗଡ଼ର ତାପମାତ୍ରା ୪୬ ଡିଗ୍ରି ପାର୍ କରିଛି।
H6. କମିଲା ବ୍ୟବସାୟିକ ଗ୍ୟାସ ଦର
LPG ସିଲିଣ୍ଡରର ନୂତନ ମୂଲ୍ୟ ୧ ଜୁନ୍ ୨୦୨୪ରୁ କାର୍ଯ୍ୟକାରୀ କରାଯାଇଛି। ତେବେ ଏଥର ମଧ୍ୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ସକାଳ ୬ଟାରେ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଦେବା ପୂର୍ବରୁ କମ୍ପାନୀଗୁଡିକ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା କରାଯାଇଥିବା ସର୍ବଶେଷ ପରିବର୍ତ୍ତନ ପରେ, ୧୯ କିଲୋଗ୍ରାମର ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ ୬୯.୫୦ ଟଙ୍କା, କୋଲକାତାରେ ୭୨ ଟଙ୍କା, ମୁମ୍ବାଇରେ ୬୯.୫୦ ଟଙ୍କା ଏବଂ ଚେନ୍ନାଇରେ ୭୦.୫୦ ଟଙ୍କା ଶସ୍ତା ହୋଇଛି।
H7. ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ
ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା।
H8. ବ୍ରିଟେନରୁ ଫେରିଲା ଭାରତ ସୁନା
ବ୍ରିଟେନ୍ ବ୍ୟାଙ୍କରେ ଥିବା ୧୦୦ ଟନ୍ରୁ ଅଧିକ ସୁନା ଭାରତ ଫେରାଇ ଆଣିଛି ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଭାରତର ସୁନା ଭଣ୍ଡାରରେ ଏହି ସୁନାକୁ ସାଇତିକି ରଖା ଯାଇଛି । ଆଗାମୀ ମାସରେ ଏତିକି ପରିମାଣର ଆହୁରି ସୁନା ଫେରାଇ ଆଣିବାକୁ ଯୋଜନା କରିଛି ଆରବିଆଇ । ଦେଶରେ ଆର୍ଥିକ ସ୍ଥିତି ସ୍ଥିର ରଖିବା ପାଇଁ ବିଦେଶରେ ଥିବା ସୁନା ଆରବିଆଇ ଫେରାଇ ଆଣୁଥିବା ଜଣାପଡିଛି।
H9. ଜେଲ ଫେରିବା ପୂର୍ବରୁ ଭାବବିହ୍ୱଳ କେଜ୍ରିୱାଲ
ଜେଲ ଫେରିବା ପୂର୍ବରୁ ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାର୍ତା । ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ଯେ ଜୁନ ୨ରେ ତାଙ୍କୁ ପୁଣି ଜେଲ ଯିବାକୁ ପଡିବ । ତାଙ୍କ ବୃଦ୍ଧ ବାପା ମା ଓ ପରିବାରର ଯତ୍ନ ନେବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି । ଭାବବିହ୍ୱଳପୂର୍ଣ୍ଣ ଭିଡିଓ ବାର୍ତାରେ କେଜ୍ରିୱାଲ ଏକଥା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ । ଡାକ୍ତରୀଯାଂଚ ପାଇଁ କୋର୍ଟଙ୍କଠୁ ୭ଦିନର ଅଧିକ ସମୟ ମାଗିଥିଲେ କିନ୍ତୁ ଆବେଦନକୁ ଖାରଜ କରାଯାଇଛି । ।ସେ ଏକଥାର ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି କି ପୂର୍ବଥର ଅପେକ୍ଷା ତାଙ୍କୁ ଏଥରକ ଅଧିକ ପ୍ରତାଡିତ କରାଯାଇପାରେ ।
H10. କାଲିଠୁ ଟିଟ୍ୱେଣ୍ଟି ମହାସମର
ଆସନ୍ତାକାଲିଠୁ ଟି ୨୦ ବିଶ୍ୱକପ ଅଭିଯାନ କରିବ ଟିମ୍ ଇଣ୍ଡିଆ। ଜୁନ୍ ପହିଲାରେ ଭାରତର ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷ ଖେଳିବାକୁ ଯାଉଛି। ଆଭିଯାନ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟର୍ ମାନେ ନ୍ୟୁୟର୍କରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜୁନ ୫ରେ ଭାରତ ଏହାର ପ୍ରଥମ ମ୍ୟାଚ୍ ଆର୍ୟଲ୍ୟାଣ୍ଡ ବିପକ୍ଷରେ ଖେଳିବ। ୯ ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍।