H1.ବାରିପଦା, ବୌଦ୍ଧ ଦେଶର ଉତ୍ତପ୍ତ ସହର
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ବୌଦ୍ଧ ଦେଶର ସବୁଠାରୁ ଉତ୍ତପ୍ତ ସହର ଥିବା ବେଳେ ଆଜି ମଧ୍ୟ ଶୀର୍ଷ ସ୍ଥାନରେ ରହିଛି। ତେବେ ଏଥିରେ ଓଡ଼ିଶାର ଆଉ ଏକ ସହର ବାରିପଦା ଯୋଡ଼ି ହୋଇଯାଇଛି। ଏହି ଦୁଇ ସହରରେ ଆଜି ‌ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ କରାଯାଇଛି। କେବଳ ଏତିକି ନୁହେଁ, ଏହି ଦୁଇ ସହର ସାରା ବିଶ୍ବରେ ସର୍ବୋଚ୍ଚ ତାପମାତ୍ରା ତାଲିକାରେ ନବମ ସ୍ଥାନରେ ରହିଛନ୍ତି। ଓମାନର ଜୋବା ସହର ଆଜି ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ଥିଲା। ଏଠାରେ ସର୍ବୋଚ୍ଚ ତାପମାତ୍ରା ୫୦.୪ ରେକର୍ଡ କରାଯାଇଛି।


COMMERCIAL BREAK
SCROLL TO CONTINUE READING

H2.ବଦଳିଲା ଦୁରଦର୍ଶନର ଲୋଗୋର ରଙ୍ଗ, ତେଜୁଛି ବିବାଦ
ସରାକାରୀ ବ୍ରଡକାଷ୍ଟର ଦୂରଦର୍ଶନ ଲୋଗୋକୁ କମଳା ରଙ୍ଗ ଦେବା ଯୋଗୁଁ ବିବାଦ ଉପୁଜିଛି। ବିରୋଧୀ ପ୍ରଶ୍ନ ଉଠାଇ ଦୂରଦର୍ଶନକୁ 'ଗେରୁଆକରଣ' କରାଯାଇଥିବା ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଓ ଏହାକୁ ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛନ୍ତି। ନିକଟରେ ଦୂରଦର୍ଶନ ଏହାର ଲୋଗୋକୁ ଲାଲରୁ କମଳା ରଙ୍ଗରେ ପରିବର୍ତ୍ତନ କରିଛି।


H3.ଅମର ଘରେ ସମର୍ଥକଙ୍କ ମେଳି
ଟିକଟ କଟିବା ପରେ ବଡ଼ଚଣା ବିଧାୟକ ଅମର ଶତପଥିଙ୍କ ଘରେ ସମର୍ଥକଙ୍କ ବୈଠକ ବସିଥିବା ଜଣାପଡ଼ିଛି। ଶନିବାର ଅପରାହ୍ଣରେ ଶତାଧିକ ସମର୍ଥକ ଅମରଙ୍କ ଭୁବନେଶ୍ୱରସ୍ଥିତ ବାସ ଭବନରେ ଏକାଠି ହୋଇଛନ୍ତି। ଆଉ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ନେଇ ପୁନର୍ବିଚାର କରିବାକୁ ଦାବି କରିଛନ୍ତି ସମର୍ଥକ।


H4.ସମୀରଙ୍କ ଶକ୍ତି ପ୍ରଦର୍ଶନ
ଟିକେଟ୍ କଟିବାର ୩ ଦିନ ପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ନିଜ ନିର୍ବାଚନ ମଣ୍ଡଳୀରେ ହଜାର ହଜାର କର୍ମୀଙ୍କୁ ନେଇ କରିଛନ୍ତି ବିଶାଳ ଶୋଭାଯାତ୍ରା ଓ ସମାବେଶ। ନିମାପଡ଼ାର ବାରବାଟୀ ପଡ଼ିଆରେ ଆୟୋଜିତ ଏହି ସମାବେଶରେ ନିଜ ସମର୍ଥକଙ୍କ ଗହଣରେ ସମୀର ଦାଶ ଦଳୀୟ ନେତୃତ୍ୱଙ୍କୁ ଟିକେଟ ନେଇ ପୁନର୍ବିଚାର କରିବାକୁ ଦାବି କରିଛନ୍ତି। ଏହି ସମୟରେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ ନାରା କମ୍ପିଥିଲା ବାରବାଟୀ ପଡ଼ିଆ ଓ ପୂରା ନିମାପଡ଼ା।


H5.ସୁରଙ୍କ ବଡ଼ ପୁଅକୁ ପ୍ରାର୍ଥୀ କଲା କଂଗ୍ରେସ
ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ସମ୍ବଲପୁର ଲୋକସଭାରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଆସିକାରୁ ଦେବକାନ୍ତ ଶର୍ମା ନିର୍ବାଚନ ଲଢ଼ିବେ। କେନ୍ଦୁଝର ଲୋକସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ମୋହନ ହେମ୍ବ୍ରମଙ୍କ ଜାଗାରେ ବିନୋଦ ନାଏକ ହେଲେ ପ୍ରାର୍ଥୀ। ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଟିକେଟ ପାଇଛନ୍ତି। ଦଳ ତାଙ୍କୁ ସେହି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ସେହିପରି ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ମଧ୍ୟ କଂଗ୍ରେସ ନିମାପଡ଼ାରୁ ପ୍ରାର୍ଥୀ କରିଛି। 


H6.ବଡ଼ଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା
ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ବଡ଼ଚଣାରୁ ବିଧାୟକ ଅମର ଶତପଥୀଙ୍କୁ କାଟି ତାଙ୍କ ସ୍ଥାନରେ ଦି ଦିନ ପୂର୍ବରୁ ଶଙ୍ଖ ଧରିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଟିକେଟ୍ ଦେଇଛି, ଆଉ ଦଳରେ ବିଧିବଦ୍ଧ ଯୋଗ ନଦେଇ ବି ଚମ୍ପୁଆ ପାଇଁ ଟିକେଟ୍ ହାତେଇଛନ୍ତି କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ସନା ମହାକୁଡ଼। ତେବେ ସନାଙ୍କୁ ହାତେଇ ବିଜେଡି ଚମ୍ପୁଆରେ ଭଲ ଗେମ୍ ଖେଳିଥିବା କୁହାଯାଉଥିଲା ବେଳେ, ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷାଙ୍କୁ ବିଜେପିର ଦକ୍ଷ ଯୋଦ୍ଧା ଅମର ନାୟକଙ୍କ ବିପକ୍ଷରେ ପାରା ଡ୍ରପିଂ କରିବା ଅନେକଙ୍କୁ ଚକିତ କରିଛି।


H7.କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳରୁ ଇସ୍ତଫା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ଟିକେଟ କାଟିବା ଦେବା ପରେ ଅସନ୍ତୁଷ୍ଟ ଥିଲେ ପ୍ରବୋଧ। କଂଗ୍ରେସ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ତଳସରାରୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ତାଙ୍କ ଟିକେଟ କାଟି ଦେବେନ୍ଦ୍ର ଭିଟାରିଆଙ୍କୁ ଦଳ ସେଠାରୁ ପ୍ରାର୍ଥୀ କରିଥିଲା। ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ। ରାଜନୀତି କରିବାକୁ ପ୍ରବଳ ଇଚ୍ଛା ନେଇ ଆସିଥିବା ପ୍ରବୋଧ ପ୍ରଥମରୁ ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ରାଜନୀତିରେ ରହି ତଳସରା ଅଞ୍ଚଳର ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ସେ ଚାକିରି ଛାଡ଼ି ଦେଇଛନ୍ତି। 


H8.ବିଜେଡି ଘୋଷଣା କଲା ୪୦ ଜଣିଆ ପ୍ରମୁଖ ପ୍ରଚାରକ ତାଲିକା
ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରକାଶ ପାଇଛି । ଦଳର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ତାଲିକାରେ ସର୍ବାଗ୍ରେ ଅଛନ୍ତି। ତାଙ୍କ ପଛକୁ ଅଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ୍ ଏବଂ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।କାର୍ତ୍ତିକ ପାଣ୍ଡିଆନ ଏହି ନିର୍ବାଚନରେ ପ୍ରାର୍ଥୀ ନୁହଁନ୍ତି।


H9.ଅସନ୍ତୋଷ ଝାଡ଼ିଲେ ପ୍ରସନ୍ନ
ଟିକେଟ ନମିଳିବାରୁ ପ୍ରେସ୍‌ରିଲିଜ୍‌ ଜାରି କରି ଗୁଡ଼ାଏ କଥା କହିଲେ ବାବା ଓରଫ ପ୍ରସନ୍ନ ପାଟ୍ଟଶାଣି। କିନ୍ତୁ କିଛି ସ୍ପଷ୍ଟ କଲେନି। ଗତ କିଛି ଦିନ ଧରି ଗଣମାଧ୍ୟମରେ ଲାଗି ରହିଥିବା ଚର୍ଚ୍ଚା ଉପରେ ସିଧା ସିଧା କିଛି କହିଲେ ନାହିଁ। କେବଳ ପ୍ରବଚକଙ୍କ ଭଳି ଭାଷଣ ଦେଇ ଅନେକ ପ୍ରଶ୍ନ ପଚାରିଲେ। ପ୍ରସନ୍ନ ପାଟ୍ଟଶାଣି ଲେଖିଛନ୍ତି, ମୁଁ ବର୍ତ୍ତମାନ ବିଜେଡିରେ ଅଛି। ନେତୃତ୍ୱଙ୍କ ଆଦେଶକୁ ମାନି ଶୃଙ୍ଖଳାର ସହ କାର୍ଯ୍ୟ କରୁଛି। ମୋ ପାଇଁ ପଦ ପଦବୀ ବଡ଼ କଥା ନୁହେଁ। କିନ୍ତୁ ମୋର ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼। ରାଜନୀତିରେ ସମୟ ବେଶ୍‌ ବଳବାନ। ତେଣୁ କିଏ ରହିବ, କିଏ ଯିବ, କିଏ ଆସିବ, ଭବିଷ୍ୟତରେ କ’ଣ ହେବ, ତାହା ସମୟ ଉପରେ ନିର୍ଭର କରୁଛି। ପରିବର୍ତ୍ତନ ଅଭିମୁଖ୍ୟ କ’ଣ ତାହା ସମୟ କହିବ ବୋଲି ବାବା କହିଛନ୍ତି।


H10.ମହାନଦୀ ଡଙ୍ଗା ବୁଡି ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ଗିରଫ
ମହାନଦୀରେ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣଙ୍କୁ ଗିରଫ କରିଛି। ଡଙ୍ଗା ଚାଳକ ଓ ଡଙ୍ଗା ଘାଟର ମାଲିକକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ମାନେ ହେଲେ ଜିତ ପାଣ୍ଡେ ଓ ନାରାୟଣ ଭୋଇ । ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି। କିଛି ଲୋକ ଡଙ୍ଗା ଚାଳକ, ସ୍ଥାନୀୟ ପ୍ରଶାସନ ଏବଂ ଡଙ୍ଗାରେ ଯାଉଥିବା ଯାତ୍ରୀଙ୍କୁ ମଧ୍ୟ ଦାୟୀ କରୁଥିବା ବେଳେ ଏହି ଦୁର୍ଘଟଣାର ଉତ୍ତର ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।