H1. ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ
ରାଜ୍ୟରେ ଆସନ୍ତାକାଲି ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ୍, ଏଥିପାଇଁ ଗତକାଲି ସରିଛି ପ୍ରଚାର। ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଥିଲେ। ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ।


COMMERCIAL BREAK
SCROLL TO CONTINUE READING

H2. ଆଜି ବାରିପଦା ଯିବେ ମୁଖ୍ୟମନ୍ତ୍ରୀ
ମୟୂରଭଞ୍ଜରେ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସୁପ୍ରିମୋ। ପ୍ରଚାର ସଭାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବାରିପଦା ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷ କରି ବିଜେଡି ସୁପ୍ରିମୋଙ୍କ ପ୍ରଚାର ଦଳୀୟ ପ୍ରାର୍ଥୀଙ୍କ ବିଜୟଚ ସୁନିଶ୍ଚିତ କରିବ ବୋଲି ବିଜେଡି ଆଶା ରଖିଛି। ପ୍ରଥମେ ରାଇରଙ୍ଗପୁର ସ୍ଥିତ କନ୍ୟାଶ୍ରମ ପଡ଼ିଆରେ ଦିନ ୧୧:୩୦ରେ ହେଲିକପ୍ଟର ଯୋଗେ ପହଞ୍ଚି ସ୍ଥାନୀୟ କଚେରୀ ପଡ଼ିଆରେ ଆୟୋଜିତ ନିର୍ବାଚନୀ ପ୍ରଚାର ସମାବେଶରେ ଯୋଗ ଦେବେ।


H3. ପିପିଲିରେ ରାଜନୈତିକ ହିଂସା
ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଥିଲା ବେଳେ ଅନ୍ୟ ୨ ଜଣଙ୍କର ମୁଣ୍ଡ, ହାତରେ ଆଘାତ ଲାଗିଛି।


H4. ଏନ୍‌କାଉଣ୍ଟରରେ ଟଳିଲେ ୭ ନକ୍ସଲ
ଛତିଶଗଡ଼ର ନାରାୟଣପୁର ଓ ବିଜାପୁର ଜିଲ୍ଲା ସୀମାରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୭ ଜଣ ନକ୍ସଲ ନିହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ସୁରକ୍ଷାକର୍ମୀମାନେ ନାରାୟଣପୁର, ଦାନ୍ତେୱାଡା ଓ ବିଜାପୁର ସୀମାରେ କମ୍ବିଂ ଅପରେସନ କରୁଥିବା ବେଳେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ।


H5. କେରଳରେ ପ୍ରାକ ମୌସୂମୀ ବର୍ଷା, ୪ ମୃତ
ଦକ୍ଷିଣ ଭାରତରେ ମୌସୂମୀ ପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଭାରତରେ କେରଳ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଏହି ବର୍ଷା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଏପରିକି ରାସ୍ତାଘାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୯ଟି ଜିଲ୍ଲାରେ ବର୍ଷା ସମ୍ପର୍କରେ ଆଇଏମଡି ଅରେଞ୍ଜ ଆଲର୍ଟ ଜାରି କରିଛି। ଏଥିସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ନିକଟରେ ନ ଯିବାକୁ ଚେତାବନୀ ଦିଆଯାଇଛି। ଏହି ସମୟରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ବର୍ଷା ସମ୍ପର୍କରେ ଅରେଞ୍ଜ ଆଲର୍ଟ ଜାରି କରିଛି। 


H6. ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’
ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ବାତ୍ୟା 'ରେମାଲ୍'। ବୁଧବାର ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗୁରୁବାର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ୨୪ ତାରିଖ ସୁଦ୍ଧା ଏହା ଅବପାତ ରୂପ ନେବ। ୨୫ ତାରିଖ ସକାଳେ ବାତ୍ୟା ରୂପ ନେବ। ୨୬ ତାରିଖ ସନ୍ଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ। ବାଂଲାଦେଶ ଓ ପଶ୍ଚିମବଙ୍ଗ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିପାରେ ବୋଲି ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ ଦେଇଛି। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । 


H7. ଶ୍ରୀମନ୍ଦିର ପରିସରରେ ଥିବା କୂଅ ଭିତରେ ଖସି ପଡ଼ିଲେ ବୃଦ୍ଧ
ଜଗନ୍ନାଥ ମନ୍ଦିର ଭିତରେ ଥିବା ଏକ ଖୋଲା କୂଅରେ ପଡ଼ିଯିବା ପରେ ଜଣେ ବୃଦ୍ଧ ଭକ୍ତଙ୍କୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ୬୫ ବର୍ଷିୟ ଧୃବ ଚକ୍ରବର୍ତ୍ତୀ ଏବଂ ପଶ୍ଚିମବଙ୍ଗରୁ ତାଙ୍କ ପତ୍ନୀ ପୁରୀ ଆସିଥିଲେ। ସେମାନେ ମନ୍ଦିରକୁ ଯାଇ ସନ୍ଧ୍ୟାରେ ପୂଜା କରିଥିଲେ। ପରେ ପତି ପତ୍ନୀ ମନ୍ଦିର ପରିସରରେ ଥିବା ଆନନ୍ଦ ବଜାର ଯାଇ ମହାପ୍ରସାଦ ପାଇବା ପାଇଁ ଯାଇଥିଲେ। ସେମାନେ ମନ୍ଦିରର ଉତ୍ତର ଦ୍ୱାର (ଉତ୍ତର ଫାଟକ) ନିକଟରେ ଥିବା କୂଅ ଦେଇ ଯାଇଥିଲେ। ଏହି ସମୟରେ ଧୃବଙ୍କ ଗୋଡ ଖସିଯିବାରୁ ସେ ତଳେ ଖସି ପଡ଼ିଥିଲେ।


H8. ବାରମେର ସବୁଠାରୁ ଉତ୍ତପ୍ତ ସହର
ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗୁରୁବାର ରାଜସ୍ଥାନର ବାଡମେର ସହରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବାଡମେରରେ ଦିନର ସର୍ବାଧିକ ତାପମାତ୍ରା ୪୮ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଲୁ ପ୍ରଭାବରେ ରାଜସ୍ଥାନରେ ୬ ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି । ଦିନର ଅସହ୍ୟ ତାପମାତ୍ରାକୁ ଆଖିରେ ରଖି ବାଡମେର ସହରରେ ପ୍ରଶାସନ ପ କ୍ଷରୁ ପାଣି ସିଂଚନ କରାଯାଉଛି । ସ୍ଥିତିକୁ ଆଖିରେ ରଖି ରାଜସ୍ଥାନର ୨୨ ଜିଲ୍ଲାକୁ ରେଡ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୨ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି କୌଣସି ଘରୋଇ ସ୍କୁଲ ଖୋଲିଲେ ତାଙ୍କ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।


H9. ଓଡ଼ିଶାରେ ଯୋଗୀଙ୍କ ହୁଙ୍କାର
୨୪ ମହାସଂଗ୍ରାମରେ ଯୋଗୀ ହୁଙ୍କାର । ମାହାଙ୍ଗାର କୁଳିଆ, ଚିଲିକାର ବାଣପୁର । ସବୁଠି- ସଭାମଞ୍ଚ ଭିତରେ, ବାହାରେ ଲୋକଙ୍କ ଭିଡ଼ ଯେମିତି ଉତ୍ସାହ ସେମିତି । ବୁଲଡୋଜର ବାବାଙ୍କ ସ୍ୱାଗତ ପାଇଁ ବୁଲଡୋଜର ଠିଆ ହୋଇଥିଲା। ରାମନଗରୀରୁ ଆସିଥିବା ନେତାଙ୍କ ପାଇଁ ଜୟ ଶ୍ରୀରାମ ଧ୍ୱନିରେ ସଭାସ୍ଥଳ କମ୍ପୁଥିଲା । ଆଉ ତାରି ଭିତରେ ବିଜେପି ପାଇଁ ଭୋଟ୍ ମାଗି ରାଜ୍ୟ ସରକାର ବିରୋଧରେ ଏକୁ ଆରେକ ବଳି ହମଲା କରି ଚାଲିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଧିନସ୍ଥ କୁଳିଆ ସଭାମଞ୍ଚରୁ ସିଧା ନବୀନଙ୍କ ଉପରେ ପ୍ରହାର କରି ଯୋଗୀ କହିଥିଲେ, ନବୀନ ବାବୁରାଜ୍ ଚକ୍କରରେ ପଡ଼ିଯାଇଛନ୍ତି । ୨୫ ବର୍ଷ ହେଲାଣି ଓଡ଼ିଶା ଶାସନକୁ ବାବୁରାଜ୍ କବଜା କରି ବିକାଶକୁ ୫୦ ବର୍ଷ ପଛକୁ ନେଇଯାଇଛି । ନବୀନବାବୁ ଏ ବୟସରେ କ’ଣ କରୁଛନ୍ତି କିଛି ବୁଝାପଡୁନି । ପାଣ୍ଡିଆନଙ୍କୁ ପରୋକ୍ଷ ହମଲା କରି କହିଛନ୍ତି, ତାମିଲ ବାବୁ ଓଡ଼ିଆ ଅସ୍ମିତା ସହ ଖେଳୁଛନ୍ତି।


H10. ରାଜି ହେଲେନି ରିକି ପଣ୍ଟିଂ 
ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପରେ ଟିମ୍ ଇଣ୍ଡିଆର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକଙ୍କ ଦାୟିତ୍ୱ କିଏ ଗ୍ରହଣ କରିବ? ଏହି ବିଷୟରେ ଗୌତମ ଗମ୍ଭୀର ଓ ମହେଲା ଜୟବର୍ଦ୍ଧନଙ୍କ ସମେତ ଅନେକ ନାମ ରିପୋର୍ଟ ମାଧ୍ୟମରେ ଆଗକୁ ଆସିଛି। ଆଇପିଏଲ ୨୦୨୪ ସିଜିନରେ ଦିଲ୍ଲୀ କ୍ୟାପିଟାଲର କୋଚିଂ ଦାୟିତ୍ୱ ଗ୍ରହଣ କରିଥିବା ରିକି ପଣ୍ଟିଂ ବର୍ତ୍ତମାନ ଭାରତର କୋଚ୍ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।