Top 10 Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2281923

Top 10 Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 Headlines: ୨୦୨୪ ନିର୍ବାଚନ ଫଳା ଫଳ ରାଜ୍ୟରେ ସବୁ ଓଲଟ ପାଲଟ କରିଦେଇଛି। ଫଳା ଫଳ ସରକାର ବଦଳେଇ ଦେଇଛି। ଏହାରି ମଧ୍ୟରେ ବିଏସ୍‌କେଓ୍ବାଇ କାର୍ଡକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅନେକ ହସ୍ପିଟାଲରେ କାର୍ଡ କାମ କରୁ ନଥିବା ଅଭିଯୋଗ ଆସିବା ପରେ ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ଆଜି ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

Top 10 Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

N.1- ୨୦୨୪ ନିର୍ବାଚନ ଫଳା ଫଳ ରାଜ୍ୟରେ ସବୁ ଓଲଟ ପାଲଟ କରିଦେଇଛି। ଫଳା ଫଳ ସରକାର ବଦଳେଇ ଦେଇଛି। ଏହାରି ମଧ୍ୟରେ ବିଏସ୍‌କେଓ୍ବାଇ କାର୍ଡକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅନେକ ହସ୍ପିଟାଲରେ କାର୍ଡ କାମ କରୁ ନଥିବା ଅଭିଯୋଗ ଆସିବା ପରେ ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ଆଜି ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଆଜି ସେ ଏକ ଭିଡିଓ ଜାରି କରି ବିଏସ୍‌କେଓ୍ବାଇ ବିଷୟରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସା ଅବ୍ୟାହତ ରହିଛି। ବିଏସ୍‌କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲ ଗୁଡ଼ିକ ଅବହେଳା କରିପାରିବେ ନାହିଁ, କି ଡିସ୍‌ଚାର୍ଜ କରିପାରିବେ ନାହିଁ।  ବିଏସ୍‌କେଓ୍ବାଇ କାର୍ଡ ପାଇଁ ରୋଗୀଙ୍କୁ ମଧ୍ୟ ଫେରାଇବେ ନାହିଁ। ନୂଆ ନିଷ୍ପତ୍ତି ନ ଆସିବା ଯାଏ ଏହି ସେବା ବଳବତ୍ତର ରହିବ।

N.2-ଓଡ଼ିଶାର ନବ ନିର୍ବାଚିତ ବିଜେପି ସାଂସଦ ମାନଙ୍କୁ ଦିଲ୍ଲୀ ଡାକରା ଆସିଛି। ଆଜି ୨୦ଜଣ ବିଜେପି ସାଂସଦ ଦିଲ୍ଲୀ ଯିବେ। ଯାହାକି ଆସନ୍ତାକାଲି ଦିଲ୍ଲୀରେ ବିଜେପିର ସଂସଦୀୟ ଦଳର ବୈଠକ ବସିବା ନେଇ ସ୍ଥିର ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳିର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ସମସ୍ତ ସାଂସଦ ପ୍ରାର୍ଥୀ। ଅନ୍ୟପଟେ ସାଂସଦଙ୍କ ସମେତ ଦଳର ଅନେକ ଶୀର୍ଷକ ନେତା ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି।

N.3-ଆସ୍କାରେ ନିର୍ବାଚନ ପରବର୍ତୀ ହିଂସା ଦେଖିବାକୁ ମିଳିଛି । ଧରାକୋଟ ଥାନାର ସୁନ୍ଦିପଲ୍ଲୀ ଗାଁରେ ନିର୍ବାଚନ ପରବର୍ତୀ ହିଂସା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଗାଁର ମିଟୁ ବିଶୋୟୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରିକି ମିଟୁଙ୍କ ମୁଣ୍ଡ ଓ ଗୋଡ଼କୁ ହଣା ଯାଇଥିବା ଦାଗ ରହିଛି । ଘଟଣାସ୍ଥଳରେ ବଡ଼ଗଡ଼ ପୋଲିସ ଓ ଧରାକୋଟ ପୋଲିସ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।

N.4-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଆଉ ଏକ ବଡ଼ ଝଟକା ମିଳିଛି। କେଜ୍ରିୱାଲଙ୍କ ନ୍ୟାୟିକ ହାଜତ ବଢ଼ାଇଛି ଇଡି। ଏଥିସହ ଅନ୍ତରୀଣ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ। ଡାକ୍ତରୀଯାଞ୍ଚ ପାଇଁ ୭ଦିନର ଜାମିନ ଆବେଦନ କରିଥିଲେ । ତେବେ ଜୁନ ୧୯ ପର୍ଯ୍ୟନ୍ତ ତାଙ୍କର ନ୍ୟାୟିକ ହାଜତ ବୃଦ୍ଧି ହୋଇଛି । ଦେଶର ପ୍ରଥମ ରାଜନୈତିକ ଦଳ ଭାବେ ଆମ ଆଦମୀ ପାର୍ଟି ବିରୋଧରେ ମାମଲା ରୁଜୁ କରାଯାଇଛି । ଇଡିର ଆରୋପପତ୍ର ଭିତିରେ ମାମଲା ଦର୍ଜ କରାଯାଇଛି ।

N.5-ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏନଡିଏ ସରକାରର ଶପଥ ଗ୍ରହଣ ସମାରୋହକୁ ନେଇ ପ୍ରସ୍ତୁତି ଏବେ ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ଶପଥ ଗ୍ରହଣ ତାରିଖକୁ ନେଇ ସାମ୍ନାକୁ ଆସିଛି ନୂଆ ଅପଡେଟ୍ । ମିଳିଥିବା ସୂତ୍ରରୁ ଜଣାପଡିଛି ଜୁନ୍ ୮ ପରିବର୍ତ୍ତେ ଏବେ ଜୁନ୍ ୯ରେ ଶପଥ ଗ୍ରହଣ ସମାରୋହ ହେବ । ପ୍ରଧାନମନ୍ତ୍ରୀ ଜୁନ୍ ୯ ଅର୍ଥାତ୍ ଶନିବାର ତୃତୀୟ ବାର ପ୍ରଧାନମନ୍ତ୍ରୀ(PM) ଭାବରେ ଶପଥ ନେବେ। ଏବେ ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ବୈଠକ ଚାଲିଛି।

N.6-ଓଡ଼ିଶା ରାଜନୀତିରେ ଏବେ ଗୋଟିଏ ଚର୍ଚ୍ଚା କିଏ ହେବେ ମୁଖ୍ୟମନ୍ତ୍ରୀ। ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ ଅଥବା ସାହି, ଗାଁ ମୁଣ୍ଡର ଖଟି ଅଥବା ଅଫିସ ଟେବଲରରେ ସେଇ ଗୋଟିଏ ଚର୍ଚ୍ଚା ମୁଖ୍ୟମନ୍ତ୍ରୀ କିଏ ହେବେ? ଏ ଭିତରେ କିଛି ନାଁ ଚର୍ଚ୍ଚାରେ ରହିଛି କିନ୍ତୁ ବିଜେପି କେନ୍ଦ୍ରୀୟ କମିଟି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ସ୍ଥିର କରିବ ତାହା ଆଜି ନିଷ୍ପତ୍ତି ହୋଇପାରେ ।

N.7- ରାଜ୍ୟରେ ଦିନକୁ ଦିନ ହାତୀମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।  ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୪୦୩ ହାତୀଙ୍କ ମୃତ୍ୟୁ ହୋଇଛି। ଯାହାକି ଚିନ୍ତା ଜନକ ବିଷୟ। ଗତବର୍ଷ ୬୮ ହାତୀଙ୍କ ଜୀବନ ଯାଇଛି। ହାତୀ ସଂଖ୍ୟା ତୁଳନାରେ ମୃତ୍ୟୁହାର ପାଖାପାଖି ୩ରୁ ୪.୫ ପ୍ରତିଶତ । ଅଧିକାଂଶ ମୃତ୍ୟୁ ସ୍ବାଭାବିକ। ତେବେ, ୭ ବର୍ଷ ମଧ୍ୟରେ ହାତୀ ସଂଖ୍ୟା ମାତ୍ର ୧୨୨ ବଢିଛି। ରାଜ୍ୟ ହାତୀ ଗଣନା ତଥ୍ୟ ଅନୁସାରେ,ବର୍ତ୍ତମାନ ୨୦୯୮ ହାତୀ ରାଜ୍ୟରେ ଚଳପ୍ରଚଳ କରୁଛନ୍ତି। ପିସିସିଏଫ୍ ସୁଶାନ୍ତ ନନ୍ଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ମୋଟ୍ ୩୧୩ ଜଣ ପ୍ରାପ୍ତ ବୟସ୍କ ଦନ୍ତା, ୧୩ଟି ପ୍ରାପ୍ତ ବୟସ୍କମାଖନା ହାତୀ ଜୀବିତ। ୭୪୮ ପ୍ରାପ୍ତ ବୟସ୍କ ମାଈହାତୀ। ୧୪୮ ଟି ଯୁବ ଅଣ୍ତିରା ହାତୀ ଓ ୨୮୨ଟି ଯୁବ ମାଈ ହାତୀ ଥିବା ବେଳେ ୨୦୯ଟି ହାତୂ ଅଛନ୍ତି। ୩୮୫ଟି ଶାବକଙ୍କୁ ହାତୀ ଗଣନାରେ ଠାବ କରାଯାଇଛି।

N.8-ଭାରତ ପାଣିପାଗ ବିଭାଗ (IMD) ଜୁନ୍ ୯ ପର୍ଯ୍ୟନ୍ତ ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ହେବା ନେଇ ପୂର୍ବାନୁମାନ କରିଛି। ଗୋଆ, କେନ୍ଦ୍ରୀୟ ମହାରାଷ୍ଟ୍ର, ଉପକୂଳ କର୍ଣ୍ଣାଟକ, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଜୁନ୍ ୮ ଓ ୯ ରେ ଉତ୍ତରପ୍ରଦେଶର କିଛି ଅଞ୍ଚଳ ଏବଂ ମଧ୍ୟପ୍ରଦେଶ, ବିହାର, ଓଡିଶା ଏବଂ ଝାଡ଼ଖଣ୍ଡର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ମଧ୍ୟ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିହାର ଏବଂ ଝଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ନେଇ ଆଇଏମଡି ପୂର୍ବାନୁମାନ କରିଛି।

N.9-ଇତିହାସ ରଚିଥିବା ଚନ୍ଦ୍ରଯାନ ୩ର ମିଶନରେ କାମ କରୁଥିବା ଜଣେ ବୈଜ୍ଞାନିକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ସେ ଇସ୍ରୋ ବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଛନ୍ତି।ଇସ୍ରୋ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମନିର୍ଭର ହୋଇନଥିବା ସେ ପ୍ରକାଶ କରିଛନ୍ତି।ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚନ୍ଦ୍ରଯାନ ୩ ମିଶନ୍‌ରେ କାର୍ଯ୍ୟ କରୁଥିବା ମହାକାଶ ବିଜ୍ଞାନୀ ପାର୍ଥ ତିୱାରୀ ଇସ୍ରୋ ଆତ୍ମନିର୍ଭର ନୁହେଁ ବୋଲି କହିଛନ୍ତି। ଏଥି ସହିତ ଏହାର ୩ ପ୍ରମୁଖ କାରଣ ମଧ୍ୟ ସେ କହିଛନ୍ତି। ଏଥିରେ ଆଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତ ସିମୀତ ପହଞ୍ଚ, ଅନୁସନ୍ଧାନ ଏବଂ ବିକାଶ ପାଇଁ ଆବଶ୍ୟକ ଅର୍ଥ ନମିଳିବା ଏବଂ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବିଭିନ୍ନ ନିୟମ ସାମିଲ୍‌ ରହିଛି।

N.10-ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ଏମାନେ ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେବାର ଖବର ପ୍ରାସରିତ ହେଉଥିଲା । କୁହାଯାଉଥିଲା ଯେ, ଏହି ଦମ୍ପତ୍ତିଙ୍କର ବୈବାହିକ ଜୀବନ ଠିକ ଚାଲୁନଥିଲା । ତେବେ ଏହାରି ମଧ୍ୟରେ ନତାଶା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ସରେ ବିବାହର ସମସ୍ତ ପୋଷ୍ଟକୁ ରିଷ୍ଟୋର କରିଥିଲେ ଏବଂ ବର୍ତ୍ତମାନ ନତାଶାଙ୍କ ଷ୍ଟୋରୀ ହିଣ୍ଟରୁ ଲାଗୁଛି ଯେ, ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଛି ।