)
Top 10 News Today
Headlines 01- ରାଜ ଭବନ ନାଁ ବଦଳି ହେଲା ଲୋକ ଭବନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ଆଧାରରେ ଏନେଇ ବିଜ୍ଞପ୍ତି ପ୍ରକାଶ ହୋଇଛି । ଭୁବନେଶ୍ୱର ସମେତ ପୁରୀ ରାଜ ଭବନ ନାଁ ବଦଳି ଲୋକ ଭବନ ହୋଇଛି । ଆଜିଠାରୁ ସରକାରୀ ଭାବେ ଲୋକ ଭବନ ଲେଖାଯିବ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ସୂଚନା ଦେଇଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ।
Headlines 02- ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଗୃହ ଆରମ୍ଭର ପ୍ରଥମ ଦିନରେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ତାଙ୍କ ପୋଷା କୁକୁରକୁ କାରରେ ଧରି ସଂସଦ ପରିସରରେ ପହଞ୍ଚିଥିଲେ । ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ବିଜେପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।
Headlines 03- ପୁଣି ଥରେ କିଟ୍ ରେ ଜଣେ ଛାତ୍ର ଜୀବନ ହାରିଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ ତୃତୀୟ ଥର ପାଇଁ ଘଟିଛି ଏପରି ସାଂଘାତିକ କାଣ୍ଡ। ଘଟଣାରେ କମିସନରେଟ୍ ପୋଲିସ୍ର ପ୍ରେସ୍ ରିଲିଜ୍ ଜାରି କରି କହିଛି ଯେ, ଗତକାଲି ରାତି ୧୦ଟା ୪୫ରେ ଖବର ପାଇଥିଲା ଇନଫୋସିଟି ଥାନା ପୋଲିସ୍ । କବାଟ ଭାଙ୍ଗି ଭିତରକୁ ପ୍ରବେଶ ବେଳେ ଛାତ୍ର ରାହୁଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲା ପୋଲିସ। ତାଙ୍କୁ ତୁରନ୍ତ କିମ୍ସ ହସପିଟାଲ ନିଆଯାଇଥିଲା ଓ ସେଠାରେ ଡାକ୍ତର ଛାତ୍ରଜଣଙ୍କୁ ମୃତ ଘୋଷଣା କରିଥିଲେ ।
Headlines 04- କିଟ୍ ଛାତ୍ର ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଧାୟକ ପ୍ରଦୀପ ଦିଶାରୀ । ସେ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ସରକାର ଏହାକୁ ତଦନ୍ତ ପରିସରଭୁକ୍ତ କରନ୍ତୁ ବୋଲି କହିଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଯେଉଁମାନେ ଓଡ଼ିଶା ଅସୁଥିଲେ ସେମାନେ ଆଉ ଆସିବେନି ବୋଲି ପ୍ରଦୀପ କହିଛନ୍ତି ।
Headlines 05- ବିଧାନସଭାରେ ଆଗତ ହୋଇଛି ଓଡ଼ିଶା ଜନ ବିଶ୍ୱାସ ବିଲ୍ ୨୦୨୫ । ବିଲ୍ ଆଗତ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ବିଶ୍ୱାସ ଭିତ୍ତିକ ଶାସନକୁ ସୁଦୃଢ଼ କରିବା ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।
Headlines 06- ପୁଣି ବିଜେଡିକୁ ଲାଗିଛି ଆଉ ଏକ ଝଟକା । ପୂର୍ବରୁ ଭଦ୍ରକରେ ୩ ନେତା ବିଜେଡିରୁ ଇସ୍ତଫା ଦେବା ପରେ ଆଜି ସମାନ ଜିଲ୍ଲାରୁ ଆଉଜଣେ ନେତା ଇସ୍ତଫା ଦେଇଛନ୍ତି। ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
Headlines 07- ନବୀନ ନିବାସରେ ଭଦ୍ରକ ନେତାଙ୍କୁ ଡାକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଲୋଚନା କରିଛନ୍ତି । ୪ ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡିବା ପରେ ନବୀନ ପଟ୍ଟନାୟକ ଏହି ବୈଠକ ଆୟୋଜନ କରିଛନ୍ତି । ବିଧାୟକ ସଞ୍ଜୀବ ମଲ୍ଲିକ, ବରିଷ୍ଠ ନେତା ପ୍ରଫୁଲ୍ଲ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବୈଠକରେ ସାମିଲ ହୋଇଛନ୍ତି ।
Headlines 08- ବିଧାନସଭା ଆଗରେ ଆନ୍ଦୋଳନ କରିଛନ୍ତି ୮ ଶିକ୍ଷକ ସଂଘ । ୪୨୦୦ ଗ୍ରେଡ ପେ' ଦେବାକୁ ପ୍ରାଥମିକ ଶିକ୍ଷକ ସଂଘର ଦାବି ରହିଛି । ରାଜ୍ୟରେ ମୋଟ ୧.୫ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଅଛନ୍ତି । ସରକାର ଶିକ୍ଷକଙ୍କୁ ମୂଳ ଗ୍ରେଡ ପେ' ୨୨୦୦ ଟଙ୍କା ଦେଉଛନ୍ତି । ୨୨ ରାଜ୍ୟରେ ଶିକ୍ଷକମାନେ ୪୨୦୦ ଗ୍ରେଡ ପେ' ପାଉଛନ୍ତି ବୋଲି ଧାରଣାଗତ ଶିକ୍ଷକ କହିଛନ୍ତି । ୬ ବର୍ଷରେ ୬ ନୋସୋନାଲ୍ ଇନକ୍ରିମେଣ୍ଟ ପ୍ରଦାନ ପାଇଁ ଦାବି ରହିଛି ।
Headlines 09- ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ବିଜୟୀ ଓଡ଼ିଶାର ୪ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୪ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ, ବାସନ୍ତୀ ହାଁସଦାଙ୍କୁ ପୁରସ୍କାର ମିଳିଛି । ଖେଳାଳିଙ୍କ ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କହିଛନ୍ତି ଯେ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆପଣମାନେ ପ୍ରେରଣା । 'ଆତ୍ମବିଶ୍ୱାସର ସହ ଆଗକୁ ଏହି ବିଜୟ ଯାତ୍ରା ଜାରି ରହୁ' ।
Headlines 10- ବିଧାନସଭା ଭିତରେ ସଂକଳ୍ପ ପତ୍ର ଚିରି ଫିଙ୍ଗିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଜଳ ନିୟନ୍ତ୍ରଣ ଓ ନିବାରଣ ସଂକଳ୍ପ ସଂଶୋଧନ ନିୟମ ୨୦୨୪କୁ ବିରୋଧ କରି ସେ ସଂକଳ୍ପ ପତ୍ର ଚିରିଛନ୍ତି । ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିବା ବେଳେ ପ୍ରତିବାଦ କରିଥିଲେ ରଣେନ୍ଦ୍ର । ସଂକଳ୍ପ ପତ୍ର ଚିରି ଫିଙ୍ଗିବା ପରେ ବିଜେଡି ଓ କଂଗ୍ରେସ ସଦସ୍ୟ କକ୍ଷ ତ୍ୟାଗ କରିଥିଲେ ।