Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ଜମ୍ମୁରେ ପାକିସ୍ତାନୀ ଡ୍ରୋନ୍ ଧ୍ବଂସକଲା ଏୟାର ଡିଫେନ୍ସ ସିଷ୍ଟମ୍। ଜମ୍ମୁ କାଶ୍ମୀର, ପଠାନକୋଟ, ଏୟାରବେସ୍ ପାଖରେ ବାଜିଛି ସାଇରନ୍ । ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜସ୍ଥାନର ଜୈସଲମେରରେ ମଧ୍ୟ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କରାଯାଇଥିବା ସୂଚନା ମିଳିଛି।
Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ସ୍ଥିତ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, NSA ଅଜିତ ଡୋଭାଲଙ୍କ ସହ ୩ ସେନାର ପୂର୍ବତନ ମୁଖ୍ୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାୟୁସେନା, ସ୍ଥଳସେନା ଓ ନୌସେନାର ପୂର୍ବତନ ମୁଖ୍ୟଙ୍କ ସହ ସାଂପ୍ରତିକ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି ।
Headlines 03- ସାମ୍ପ୍ରତିକ ସ୍ଥିତିକୁ ନେଇ ଛୁଟି ବାତିଲ କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏନେଇ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର ଜାରି କରାଯାଇଛି । ମେଡିକାଲ୍ ଗ୍ରାଉଣ୍ଡ ବ୍ୟତୀତ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସମସ୍ତ ଛୁଟି ମନା ବୋଲି କୁହାଯାଇଛି। ଛୁଟି ମଞ୍ଜୁର ହୋଇଥିଲେ ତାହାକୁ ବାତିଲ୍ କରିବା ସହ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Headlines 04- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏବେ ଦେଶର ୨୪ଟି ବିମାନବନ୍ଦରରେ ଘରୋଇ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକକୁ ୧୫ ମଇ ସକାଳ ୫ଟା୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସୁରକ୍ଷା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏହି ବିମାନବନ୍ଦରଗୁଡ଼ିକରୁ ବିମାନ ଚଳାଚଳ କରିବ ନାହିଁ। ଏହି ପଦକ୍ଷେପ ସମ୍ବେଦନଶୀଳ ଏବଂ ସୀମାବର୍ତ୍ତୀ ଅଞ୍ଚଳର ବିମାନବନ୍ଦରଗୁଡ଼ିକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
Headlines 05- ପାକିସ୍ତାନ ସେନା ପକ୍ଷରୁ ଗୁରୁବାର ରାତିରେ ଭାରତର ଉତ୍ତର ଏବଂ ପଶ୍ଚିମ ଅଞ୍ଚଳରେ ଥିବା ଅନେକ ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଭାରତ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ମାଧ୍ୟମରେ ଏହି ଆକ୍ରମଣଗୁଡ଼ିକୁ ପଣ୍ଡ କରିଥିଲା। ଏହି ସୂଚନା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦିଆଯାଇଛି। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ ଆଜି କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ତୁର୍କୀ ଡ୍ରୋନର ଭଗ୍ନାବଶେଷ ମିଳିଛି। ସେ ଏକଥା ମଧ୍ୟ କହିଛନ୍ତି ଯେ, ପାକିସ୍ତାନୀ ସେନା ପଶ୍ଚିମ ସୀମାରେ ୩୬ ଟି ସ୍ଥାନରେ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।
Headlines 06- ଆଜି ସନ୍ଧ୍ୟା ୫:୩୦ ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ୱାଦିକ ସମ୍ମୀଳନୀ କରାଯାଇଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଅପରେସନ ସିନ୍ଦୂର ବିଷୟରେ ନୂଆ ଅପଡେଟ୍ ପ୍ରଦାନ କରିଥିଲେ । କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି ଯେ, ପାକିସ୍ତାନ ନିୟନ୍ତ୍ରଣ ରେଖା ଉପରେ ପ୍ରବଳ ଗୁଳିମାଡ଼ କରିଥିଲା ଏବଂ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା। ତଙ୍ଗଧର, ଉରି ଏବଂ ଉଧାରପୁରରେ ପ୍ରବଳ ଗୁଳିବର୍ଷା ହୋଇଥିଲା। ପାକିସ୍ତାର ଗୁଳିମାଡ଼ କାରଣରୁ କ୍ଷତି ମଧ୍ୟ ହୋଇଛି। କିଛି ଫଟୋ ଦେଖାଇ ସେ କହିଥିଲେ ଯେ, ଭାରତୀୟ ବାୟୁସେନା ବହୁତ ସଂଯମତା ଦେଖାଇଛି।
Headlines 07- ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ପାକିସ୍ତାନ ୭ ମଇ ରାତି ୮:୩୦ ରେ ଏକ ଅସଫଳ ଅପ୍ରରୋଚନାପୂର୍ଣ୍ଣ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବା ସତ୍ତ୍ୱେ ଏହାର ବେସାମରିକ ବିମାନ ବନ୍ଦ କରିନାହିଁ। ପାକିସ୍ତାନ ବେସାମରିକ ବିମାନକୁ ଢାଲ ଭାବରେ ବ୍ୟବହାର କରୁଛି । ଏହା ଭଲ ଭାବରେ ପାକିସ୍ତାନ ଜାଣେ ଯେ, ଭାରତ ଉପରେ ଏହାର ଆକ୍ରମଣ ଦେଶ ପକ୍ଷରୁ ଏକ ଦ୍ରୁତ ବାୟୁ ପ୍ରତିରକ୍ଷା ପ୍ରତିକ୍ରିୟା ଆଣିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନ୍ତର୍ଜାତୀୟ ସୀମା ନିକଟରେ ଉଡ଼ୁଥିବା ଆନ୍ତର୍ଜାତୀୟ ବିମାନ ସମେତ ମାନବହୀନ ବେସାମରିକ ବିମାନ ପାଇଁ ଏହା ନିରାପଦ ନୁହେଁ।
Headlines 08- ଭାରତ ପାକ୍ ମଧ୍ୟରେ ଉତ୍ତେଜନାକୁ ନଜରରେ ରଖି ପ୍ରସ୍ତୁତି ବଢାଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମ୍ୱେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ଭାବେ ବୃଦ୍ଧି କରାଯାଇଛି । ପୂର୍ବାଞ୍ଚଳ ରେଞ୍ଜ୍ ଡିଆଇଜି ଚାନ୍ଦିପୁରରେ ସୁରକ୍ଷା ବୈଠକ କରି ଆଲୋଚନା କରିଛନ୍ତି । ITR ଓ PXE ନିର୍ଦ୍ଦେଶକଙ୍କ ସହ ପୂର୍ବାଞ୍ଚଳ DIG , ବାଲେଶ୍ୱର ଜିଲ୍ଲାପାଳ ଓ SP ଉପସ୍ଥିତ ଥିଲେ । DRDO କ୍ଷେପଣାସ୍ତ୍ର ଘାଟି ଓ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ଅନ୍ୟପଟେ, ଚାନ୍ଦିପୁର, ହୀରାକୁଦ ଡ୍ୟାମ୍, ସଇଁନ୍ତଳା ଗୋଳାବାରୁଦ କାରଖାନା, ପୁରୀ ମନ୍ଦିରର ଭଳି ସ୍ଥାନରେ ସୁରକ୍ଷା ବଢାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
Headlines 09- ଆଜି ଲୋକସେବା ଭବନରେ ଓଡ଼ିଶା କୁଡୋ ଆସୋସିଏସନର ସଦସ୍ୟ, କୋଚ ଓ ଖେଳାଳୀଙ୍କ ସମେତ ୭୦ ଜଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସୂଚନାଯୋଗ୍ୟ ଯେ, କୁଡୋ ଏକ ପ୍ରକାର ମିଶ୍ରିତ ସାମରିକ କଳା, ଯାହା ଜୁଡୋ, କରାଟେ, ଏବଂ ତାଇକୱାଣ୍ଡୋ ଖେଳର ସମାହାର। ଏହି ଖେଳ ଭାରତର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ଅନେକ ପ୍ରସିଦ୍ଧି ଲାଭ କରିଛି। ଓଡ଼ିଶାର ମଧ୍ୟ ଅନେକ ଜିଲ୍ଲାରେ ଏହି ଖେଳ ପାଇଁ ତାଲିମ୍ ଦିଆଯାଉଛି। ଏଣୁ ରାଜ୍ୟରେ ଏହି କୁଡୋ ଖେଳର ପ୍ରସାର ଓ ଏହି ଖେଳକୁ ମାନ୍ୟତା ଦେବା ପାଇଁ ଏହି ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ।
Headlines 10- ଭାରତ ପାକିସ୍ତାନ ଉତ୍ତେଜନା ସ୍ଥିତି ମଧ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରତିକ୍ରିୟା ରଖିଛନ୍ତି । ଶିବରାଜ କହିଛନ୍ତି ଯେ, ଦେଶରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି । ଅଟା, ଚାଉଳ ସହ ଅନ୍ୟ ଖାଦ୍ୟଶସ୍ୟ ଯଥେଷ୍ଟ ପରିମାଣର ମହଜୁଦ ଅଛି ବୋଲି ଶିବରାଜ ସିଂ ଚୌହାନ ପ୍ରତିକ୍ରିୟାରେ କହିଛନ୍ତି ।