)
Top 10 News Today:
Headlines 01- ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତ ପାଇଁ ୧୪୭ ରନର ଟାର୍ଗେଟ ଦେଇଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁଁ ପାକିସ୍ତାନ ୧୯.୧ ଓଭରରେ ୧୪୬ ରନରେ ଅଲଆଉଟ ହୋଇଯାଇଛି।
Headlines 02- ଆଜି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଜୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉପରାଷ୍ଟ୍ରପତିଙ୍କ ସହ ଅନେକ ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଏନେଇ ଫଟୋ ସହ ସୂଚନା ସୋସିଆଲ ମିଡିଆ ପ୍ଲଟଫର୍ମରେ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
Headlines 03- କଟକ ଦୁର୍ଗା ପୂଜାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ କମିଶନର ସୂଚନା ଦେଇ କହିଛନ୍ତି ଯେ, ପୂଜା ପାଇଁ ୧୨୨ ପ୍ଲାଟୁନ୍ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିଛନ୍ତି । ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯିବା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖାଯାଇଛି । ସୁରକ୍ଷା ପାଇଁ CCTV ଓ ଡ୍ରୋନ୍ର ବ୍ୟବସ୍ଥା କରାଯାଇଛି ବୋଲି କମିଶନର କହିଛନ୍ତି ।
Headlines 04- ଛତ୍ରପୁର ସହରରୁ ୨୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରାଯାଇଛି । ଅତିରିକ୍ତ ତହସିଲଦାର, ଏସ୍ଡିପିଓଙ୍କ ଉପସ୍ଥିତିରେ ରେଡ୍ ହୋଇଥିଲା । ସେହିପରି ଜଗତସିଂପୁରର ବିଭିନ୍ନ ସ୍ଥାନରେ ରେଡ୍ କରାଯାଇ ୨୦ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି । ବିରିଡ଼ି, କୁଜଙ୍ଗ, ରଘୁନାଥପୁରର ବିଭିନ୍ନ ସ୍ଥାନରେ ରେଡ୍ ହୋଇଛି । ରେଡ୍ ବେଳେ ଜଣେ ଗିରଫ ହୋଇଥିବା ସମୟରେ ୫ଜଣ ଫେରାର୍ ହୋଇଥିଲେ ।
Headlines 05- ନୂଆପଡ଼ା ଉପନିର୍ବାଚନ ନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିହାର ବିଧାନସଭା ନିର୍ବାଚନ ସହ ହେବ ଉପନିର୍ବାଚନ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ୮ଟି ରାଜ୍ୟରେ ଉପନିର୍ବାଚନରେ ନିୟୋଜିତ ହେବେ ବୋଲି ECI ସୂଚନା ମିଳିଛି । ଏକା ସାଙ୍ଗରେ ବିହାର ବିଧାନସଭା ନିର୍ବାଚନ ସହିତ ତେଲେଙ୍ଗାନା, ପଞ୍ଜାବ, ମିଜୋରାମ, ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଏବଂ ଉପନିର୍ବାଚନ ପାଇଁ ୪୭୦ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବ । ୩୨୦ ଜଣ IAS, ୬୦ ଜଣ IPS ଓ IRS ଅଧିକାରୀ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ରହିବେ ବୋଲି ଜଣାପଡିଛି।
Headlines 06- ଓଡ଼ିଶାର ୧୦ଜଣ IAS ଓ ୨ଜଣ IPSଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । IAS ରାଜେଶ ପ୍ରଭାକର ପାଟିଲ୍, ଅରବିନ୍ଦ ଅଗ୍ରଓ୍ୱାଲ୍, ବଲଓ୍ୱନ୍ତ ସିଂହ, ଭୂପେନ୍ଦ୍ର ସିଂହ ପୁନିଆ, ବି. ପରମେଶ୍ୱରନ୍, ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ପ୍ରେମଚନ୍ଦ୍ର ଚୌଧୁରୀ, ଇନ୍ଦ୍ରମଣି ତ୍ରିପାଠୀ, ସିଦ୍ଧାର୍ଥ ଦାସ ଓ ଶୁଭଶ୍ରୀ ନନ୍ଦଙ୍କୁ ଦାୟିତ୍ୱ ମିଳିଛି । ସେହିପରି IPS ପ୍ରତୀକ ମହାନ୍ତି ଓ ଏସ୍. ସାଇନିଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି ।
Headlines 07- ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେବ । ଏନେଇ ଗୋବିନ୍ଦଙ୍କ ସମ୍ପର୍କୀୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଗୋବିନ୍ଦଙ୍କ ସମ୍ପର୍କୀୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏନେଇ ସୂଚନା ଦେଇଛନ୍ତି ପ୍ରଦୀପ୍ତ କୁମାର ନାଏକ । ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋବିନ୍ଦ ସାହୁ । ୨୦୨୨ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି ସବ୍-ଜେଲ୍ରେ ଥିବା ସମୟରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା । ଆଜି ଗୋବିନ୍ଦ ସାହୁଙ୍କ ପରିବାର ସଦସ୍ୟ ପ୍ରଦୀପ୍ତ କୁମାର ନାଏକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଘଟଣାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାବି କରିଥିଲେ ।
Headlines 08- ମିଥୁନ ମାନହସ BCCIର ନୂଆ ସଭାପତି ହୋଇଛନ୍ତି । ବିସିସିଆଇ ଏଜିଏମ୍ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ମିଥୁନ ମାନହସ । ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ସେ BCCIର ସର୍ବୋଚ୍ଚ ପଦ ହାସଲ କରିଛନ୍ତି । ସେହିପରି ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ ହୋଇଛନ୍ତି । ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ଏବଂ ପ୍ରଭତେଜ ସିଂ ଭାଟିଆ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
Headlines 09- ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହୋଇଛନ୍ତି ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ ହୋଇଛନ୍ତି ପ୍ରଜ୍ଞାନ ଓଝା । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଛନ୍ତି ପ୍ରଜ୍ଞାନ । ନୂଆ ସଦସ୍ୟ ଭାବେ ଆର୍ପି ସିଂ ସାମିଲ ହୋଇଥିବା ସମୟରେ ସ୍ଥାନ ବଜାୟ ରଖିଛନ୍ତି ଅଜୟ ରାତ୍ରା ।
Headlines 10- ପାଣିପାଗ ରିପୋର୍ଟ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏ ନେଇ ସୋମବାର ସେପ୍ଟେମ୍ବର ୨୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମସ୍ତ ୩୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୧ ତାରିଖ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ସମୁଦ୍ର ଅଶାନ୍ତ କାରଣରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜିବୀଙ୍କୁ ସମୁଦ୍ର ଯିବା ପାଇଁ ବାରଣ କରାଯାଇଛି।